ମହାବିଷୁବ ସଂକ୍ରାନ୍ତି ହିଁ ଓଡ଼ିଆ ପଞ୍ଜିକାର ପ୍ରଥମ ଦିବସ। ଏହିଦିନ ଓଡ଼ିଆମାନେ ନବବର୍ଷ ପାଳନ କରନ୍ତି। ପୃଥିବୀ ସୂର୍ଯ୍ୟ ଚାରିପାଖରେ ଥରେ ପରିକ୍ରମଣ କରିବାକୁ ଗୋଟିଏ ବର୍ଷ ସମୟ ନିଏ। ଆପେକ୍ଷିକ ଦୃଷ୍ଟିରୁ ଦେଖିଲେ ସୂର୍ଯ୍ୟ ଏହି ସମୟ କାଳ ମଧ୍ୟରେ ଆକାଶ ପଥରେ ୩୬୦ ଡିଗ୍ରୀ ଗତି କରନ୍ତି। ଏହି ଖଗୋଳପଥକୁ ବାର ଭାଗରେ ବିଭକ୍ତ କରାଯାଇଛି; ଯାହାକି ବିଭିନ୍ନ ନକ୍ଷତ୍ରପୁଞ୍ଜଙ୍କୁ ନେଇ ବାରଟି କାଳ୍ପନିକ ଆକୃତିଦ୍ୱାରା ଚିହ୍ନିତ ହୁଏ। ଏଗୁଡ଼ିକୁ ରାଶି କୁହାଯାଏ। ଏଗୁଡ଼ିକ ହେଲା ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ ଓ ମୀନ। ମହାବିଷୁବ ସଂକ୍ରାନ୍ତି ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି।
ସଂକ୍ରାନ୍ତି ବା ସଂକ୍ରମଣ କହିଲେ ସ୍ଥାନାନ୍ତର ଗମନକୁ ବୁଝାଏ। ଆପେକ୍ଷିକ ଗତିରେ ସୂର୍ଯ୍ୟ ଗୋଟିଏ ରାଶି ଛାଡ଼ି ଅନ୍ୟ ଏକ ରାଶିରେ ପ୍ରବେଶ କରିବା ଦିନଟିକୁ ସଂକ୍ରାନ୍ତି ରୂପେ ଚିହ୍ନିତ କରାଯାଏ। ଏଣୁ ମେଷ, ବୃଷ... କ୍ରମରେ ବର୍ଷରେ ବାରଟି ସଂକ୍ରାନ୍ତି ପାଳିତ ହୁଏ। ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ବିଶେଷତ୍ୱ ହେଲା, ଯେ ଏହିଦିନ ସୂର୍ଯ୍ୟ ଖଗୋଳ ପଥରେ ଯେଉଁ କଳ୍ପିତ ବିନ୍ଦୁରେ ପହଞ୍ଚନ୍ତି ତାହା ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବରେଖା ଉପରେ ଅବସ୍ଥିତ। ବର୍ଷକ ମଧ୍ୟରେ ସୂର୍ଯ୍ୟ ଦୁଇ ଥର ବିଷୁବ ରେଖା ଉପରକୁ ଆସନ୍ତି। ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ରେ ଦିଆଯାଇଥିବା ସୂଚନା ଅନୁସାରେ, ‘ବିଷୁ’ ଦିବାରାତ୍ରିର ସମତାକୁ ବୁଝାଏ। ଇଂରାଜୀ ଗଣନାରେ ମାର୍ଚ୍ଚ ମାସର ୨୧ /୨୨ ଓ ସେପ୍ଟେମ୍ବର ୨୨ /୨୩ରେ ସମ ଦିବାରାତ୍ର ଦିବସ ପଡ଼େ।
ଏହି ଦୁଇଦିନର ପରବର୍ତ୍ତୀ ସଂକ୍ରାନ୍ତି ଅର୍ଥାତ୍ ମେଷ ସଂକ୍ରାନ୍ତି ଓ ତୁଳା ସଂକ୍ରାନ୍ତିକୁ ବିଷୁବ ସଂକ୍ରାନ୍ତି କୁହାଯାଏ। ମେଷ ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି କୁହାଯାଉଥିବାବେଳେ, ତୁଳା ମାସର ସଂକ୍ରାନ୍ତି (ଗର୍ଭଣା ସଂକ୍ରାନ୍ତି)କୁ ଜଳ ବିଷୁବ ସଂକ୍ରାନ୍ତି କୁହାଯାଏ। ଏହି ଦୁଇଟି ବିଷୁବ ସଂକ୍ରାନ୍ତି ମଧ୍ୟରେ ଛଅ ମାସର ଅନ୍ତର ରହେ। ପୃଥିବୀ ଓ ସୂର୍ଯ୍ୟର ସ୍ଥିତିକୁ ନେଇ କରାଯାଉଥିବା ଇଂରାଜୀ ସାୟନ ଗଣନାଠାରୁ ଆମ ପାଞ୍ଜିର ନିରୟଣ ଗଣନା ଭିନ୍ନ ହୋଇଥାଏ। ଏଥିରେ ଅୟନାଂଶକୁ ମଧ୍ୟ ବିଚାରକୁ ନିଆଯାଏ। ଏହି କାରଣରୁ ସମଦିବାରାତ୍ର ଦିବସଠାରୁ ଆମ ବିଷୁବ ସଂକ୍ରାନ୍ତି ମଧ୍ୟରେ ପ୍ରାୟ ୨୩ରୁ ୨୪ ଦିନ ଅନ୍ତର ରହେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/gd54j654gd65gjd.jpg)