ଜୀବନ-ମନ୍ତ୍ର: ଶଙ୍ଖର ନାମ ପଞ୍ଚଜନ୍ୟ

ସାଧାରଣତଃ ବେଦଧ୍ୱନି, ବନ୍ଦୀଧ୍ୱନି, ଜୟଧ୍ୱନି, ବାଦ୍ୟଧ୍ୱନି ଓ ଶଙ୍ଖଧ୍ୱନି ମନ ପ୍ରାଣକୁ ପୁଲକିତ କରିଥାଏ। ତେଣୁ ଏଗୁଡ଼ିକୁ ପବିତ୍ରଧ୍ୱନି ଭାବରେ ଗ୍ରହଣ କରାଯାଏ। ପ୍ରଥମ ଚାରିଧ୍ୱନି ମନୁଷ୍ୟକୃତ। କିନ୍ତୁ ଶଙ୍ଖଧ୍ୱନି ଏକ ଜଳଜୀବରୁ ଜାତ ଧ୍ୱନି। ଶଙ୍ଖ ଏକ ସମୁଦ୍ରଜାତ ଜୀବ। ସମୁଦ୍ର ମନ୍ଥନ ସମୟରେ ଏହାର ଉଦ୍ଭବ ହୋଇଥିଲା। ଏହା ବିଜୟ, ସମୃଦ୍ଧି, ସୁଖ, ଶାନ୍ତି, ଯଶ ଓ କୀର୍ତ୍ତି ଏବଂ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିଦ୍ୟମାନ। ଶଙ୍ଖ ସାଧାରଣତଃ ତିନି ପ୍ରକାର- ଦକ୍ଷିଣାବର୍ତ୍ତ, ମଧ୍ୟାବର୍ତ୍ତ ଓ ବାମାବର୍ତ୍ତ। ପୁରାଣରେ ଏହାର ଅନେକ ନାମ ମିଳେ। ଯଥା- କମ୍ବୁ, ସୁନାଦ, ପାବନଧ୍ୱନି, କମ୍ବୋଜ, ମହାନାଦ, ଅର୍ଣ୍ଣବଭବ ଓ ପଞ୍ଚଜନ୍ୟ। କିନ୍ତୁ ପଞ୍ଚଜନ୍ୟ ସ୍ୱତନ୍ତ୍ର। ଏହା ସ୍ୱୟଂ ବିଷ୍ଣୁଙ୍କର ଅନ୍ୟତମ ଆୟୁଧ। ଶଙ୍ଖ, ଚକ୍ର, ଗଦା ଓ ପଦ୍ମର ଧାରଣ ଅନୁଯାୟୀ ବିଷ୍ଣୁଙ୍କର ଭିନ୍ନଭିନ୍ନ ନାମ ହୋଇଥାଏ।

ଶଙ୍ଖର ଉତ୍ପତ୍ତି ସଂପର୍କରେ ପୁରାଣରେ ଆଖ୍ୟାନମାନ ରହିଛି। ‘ମହାଭାରତ’ର ବର୍ଣ୍ଣନା ଅନୁସାରେ, ଶଙ୍ଖାସୁର ନାମରେ ଏକ ଅସୁର ଥିଲା। ସେ ଏକ ବିଶାଳ ଶଙ୍ଖ ମଧ୍ୟରେ ଆତ୍ମଗୋପନ କରି ରହୁଥିଲା। ସେ ସାନ୍ଦୀପନି ମୁନିଙ୍କ ପୁତ୍ରକୁ ନେଇ ବନ୍ଦୀ କରି ରଖିଥିଲା। ଶ୍ରୀକୃଷ୍ଣ ଶଙ୍ଖାସୁରକୁ ମାରି ଗୁରୁପୁତ୍ର ଏବଂ ଶଙ୍ଖକୁ ଉଦ୍ଧାର କରି ଆଣିଥିଲେ। ଗୁରୁ ସାନ୍ଦୀପନି ସେହି ଶଙ୍ଖର ନାମ ଦେଇଥିଲେ ପଞ୍ଚଜନ୍ୟ। ସାନ୍ଦୀପନି ଜାଣିଥିଲେ, ଶ୍ରୀକୃଷ୍ଣ ହିଁ ସ୍ୱୟଂ ପରଂବ୍ରହ୍ମ। ଏ ସମଗ୍ର ସୃଷ୍ଟିର ନିର୍ମାଣ ପଞ୍ଚଭୂତ, ପଞ୍ଚତନ୍ମାତ୍ର, ପଞ୍ଚଗୁଣ ଆଦି ପଞ୍ଚତତ୍ତ୍ୱ ଉପରେ ଆଧାରିତ। ଏହାର ସ୍ରଷ୍ଟା ସ୍ୱୟଂ ଈଶ୍ୱର। ଅଥଚ ଏ ସମସ୍ତ ତାଙ୍କଠାରୁ ଉତ୍ପନ୍ନ ହେଲେ ମଧ୍ୟ, ସେ କୌଣସି ପ୍ରକାରେ ଏମାନଙ୍କଠାରୁ ଉତ୍ପନ୍ନ ନୁହନ୍ତି। ତେଣୁ ପ୍ରତୀକାତ୍ମକ ଭାବରେ ପଞ୍ଚଜନ୍ୟ ତାଙ୍କର ଏକ ଆୟୁଧ।

ଆୟୁଧର ଅର୍ଥ ବିନାଶକାରୀ। ଭଗବାନ ବିଭିନ୍ନ ଅବତାରରେ ବିଭିନ୍ନ ଅସ୍ତ୍ର ଧାରଣ କରି ଅପଶକ୍ତିମାନଙ୍କର ବିନାଶ କରିଛନ୍ତି। କିନ୍ତୁ ମହାଭାରତ ଯୁଦ୍ଧରେ ଅସ୍ତ୍ର ଧାରଣ କରିବେ ନାହିଁ ବୋଲି ସେ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପଞ୍ଚଜନ୍ୟ ତାଙ୍କ ହାତରେ ଥିଲା; ଯାହା ଯୁଦ୍ଧ ଆରମ୍ଭର ସଙ୍କେତ ଦେଉଥିଲା। ଏଥିରୁ ଜଣାଯାଏ, ଏହାର ବାଦନ ଶତ୍ରୁବିନାଶର କାରଣ ହେଉଥିଲା। ଏହି ଶଙ୍ଖ ବାଦନ କରି ଶ୍ରୀକୃଷ୍ଣ ଶତ୍ରୁରୂପକ ଅବିଦ୍ୟାର ମୋହରେ ବଶୀଭୂତ ମନୁଷ୍ୟର ସମସ୍ତ ଦୁଷ୍କୃତିକୁ ବିନାଶ କରି, ହୃଦୟରେ ନିର୍ମଳ ଭାବର ସଂଚାର କରୁଥିଲେ। ଏଣୁ ଏହାର ନାମ ପଞ୍ଚଜନ୍ୟ- ଯାହା ପଞ୍ଚଦୁଷ୍କୃତିର ବିନାଶକ ତଥା ବିଜୟୀ ଆୟୁଧ। ପଞ୍ଚଜନ୍ୟର ଆକାର ଓ ପ୍ରକାର ସଂପର୍କରେ ବହୁବିଧ ଆଲୋଚନା ଦେଖାଯାଏ। କଲମ୍ବୋର ଜାତୀୟ ସଂଗ୍ରହାଳୟରେ ଏକ ଶଙ୍ଖ ରହିଛି- ଯାହାକୁ ଶ୍ରୀକୃଷ୍ଣଙ୍କର ପଞ୍ଚଜନ୍ୟ ବୋଲି କୁହାଯାଏ।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର