ଆମ ଅଞ୍ଚଳକୁ ଆସୁଛି ଯିଏ, ଦୁର୍ଗନ୍ଧରେ ନାକ ନଟେକୁ ସିଏ

‘ଯାହା ମୁହଁରେ ନଥାଏ ଲାଜ, ସେ ବାହାରେ କରଇ ଶୌଚକାର୍ଯ୍ୟ’, ‘ଆମ ଅଞ୍ଚଳକୁ ଆସୁଛି ଯିଏ, ଦୁର୍ଗନ୍ଧରେ ନାକ ନଟେକୁ ସିଏ’, ‘ପଲିଥିନ୍‌ ପାଇଁ ପରିବେଶ ହୁଏ ନଷ୍ଟ, ଗାଈଗୋରୁ ତାହା ଭକ୍ଷଣ କରି ପାଆନ୍ତି ଅସହ୍ୟ କଷ୍ଟ’। ଏହିଭଳି ଅନେକ ସ୍ଳୋଗାନ ନେଇ ସାଇକେଲ୍‌ରେ ବିଭିନ୍ନ ଗାଁ’ରେ ବୁଲି ବାର୍ତା ବାଣ୍ଟନ୍ତି କିଛି ଯୁବକ। ‘ଆଞ୍ଚଳିକ ବିକାଶ ପରିଷଦ’ ସହଯୋଗରେ ୩ଶହରୁ ଅଧିକ ଯୁବକ ଓ ଛାତ୍ରଛାତ୍ରୀ ସାଇକେଲ୍‌ରେ ଶୋଭାଯାତ୍ରା କରୁଥିବା ବେଳେ ନିକଟରେ ଏହି ଶୋଭାଯାତ୍ରା ଦୟାସେତୁଠାରୁ ବାହାରି ନାଥପୁର, ନୂଆଗାଁ ପାଟଣା, ଡିହପୁର, ବିକିପୁର, ଜୟପୁର ଏବଂ ଇତିପୁର ଗ୍ରାମ ପର୍ଯ୍ୟନ୍ତ ଯାଇଥିଲା। ତେବେ ଏହା କେବଳ ପରିବେଶ ପ୍ରଦୂଷଣ ସଚେତନତା ସମ୍ପର୍କିତ ବାର୍ତା ଦେଇନଥିଲା ନିଶା ନିବାରଣର ମଧ୍ୟ ବାର୍ତା ଦେଇଥିଲା। ‘ମାଦକ ଦ୍ରବ୍ୟର ଚୋରା ବେପାର, ଯୋଉଠି ଦେଖୁଛ ଖବର କର’ ସ୍ଳୋଗାନକୁ ଅସ୍ତ୍ର କରାଯାଇଥିଲା। କେବଳ ଯେ ଏହି ଯୁବକମାନେ ଗୋଟେ ଦିନ ସାମିଲ୍‌ ହୋଇଥିଲେ ତାହା ନୁହେଁ, ବରଂ ପ୍ରତି ରବିବାର ନିଜ ଗାଁ’କୁ ସଫା କରିବାର ଭାର ନେଇଛନ୍ତି ଏହି ଯୁବକମାନେ। ଛୁଟିଦିନରେ ନିଜ ସମାଜ ପାଇଁ କେଇ ଘଣ୍ଟାର ଅବଦାନ ରଖିବାକୁ ପଣ କରିଛନ୍ତି ପରିଷଦର ଯୁବକମାନେ।

ସମ୍ବନ୍ଧିତ ଖବର