ଜୀବନ ରଙ୍ଗ ଅଭିନବୀକରଣ

ଅଭିନବୀକରଣ
ଚିରାଚରିତ ବ୍ୟବସ୍ଥାରୁ ଭିନ୍ନ, ତଥା ବୁଦ୍ଧି ବଳରେ ଜୀବନ ଯାପନର ସରଳୀକରଣ ହେଉଛି ଅଭିନବୀକରଣ। କେବଳ ରୋଜଗାର ନୁହେଁ, ବରଂ ସାଧାରଣ ଜୀବନଯାତ୍ରାକୁ ଉପଭୋଗ କରିବାର ଏକ ନିଆରା ମାଧ୍ୟମ। ଏହି ଅଭିନବୀକରଣ ଉଚ୍ଚଶିକ୍ଷାର ପରିଣାମ ବୋଲି ଅନୁମେୟ ହେଉଥିଲେ ମଧ୍ୟ ସାଧାରଣ ମଣିଷ ବି ଏଥିରେ ସଫଳ ହୋଇଛି। ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ପ୍ରେରଣା ଯୋଗାଇଛି। ଏଭଳି ଅଭିନବୀକରଣ ବଳରେ ଜୀବନକୁ ସରସ ସୁନ୍ଦର କରିଥିବା କେତେକ ସଫଳ କାହାଣୀକୁ ନେଇ ବିବୁଧ ମହାନ୍ତିଙ୍କ ଉପସ୍ଥାପନା

ସୋଲାର୍‌ କେନ୍‌
ସକଳ ଶକ୍ତିର ଉତ୍ସ ସୂର୍ଯ୍ୟଙ୍କ କିରଣକୁ ବ୍ୟବହାର କରି ଜଟଣୀର ‘ବତିଘର’ ପ୍ରସ୍ତୁତ କରିଛି ‘ସୋଲାର କେନ୍‌’। ସୂର୍ଯ୍ୟ କିରଣକୁ ବିନିଯୋଗ କରି ପେଡ଼ି ହେଉଛି ଆଖୁ। ମୋଟରକୁ ଏକ ଅଟୋରେ ଖଞ୍ଜା ଯାଇଛି। ଅଟୋ ଜରିଆରେ ଯେକୌଣସି ସ୍ଥାନକୁ ଯାଇ ଏହି ଆଖୁ ରସ ପ୍ରସ୍ତୁତ କରାଯାଇ ପାରୁଛି। ସବୁ ବ୍ୟାଟେରି ଦ୍ବାରା ଚାଲୁଛି। ଥରେ ଖର୍ଚ୍ଚ କରିବା ପରେ ଏହା ରୋଜଗାରର ମାଧ୍ୟମ ହୋଇଛି। ସୂର୍ଯ୍ୟ କିରଣରେ ଚାର୍ଜ ହେବା ପରେ ବେଶ୍‌ କିଛି ସମୟ ଧରି ଏହା କାର୍ଯ୍ୟ ଜାରି ରଖି ପାରୁଛି। କେବଳ ଏଭଳି ଆଖୁ ପେଡ଼ା ଯନ୍ତ୍ର ନୁହେଁ, ସୂର୍ଯ୍ୟ କିରଣକୁ ବ୍ୟବହାର କରି ସାଇକେଲ୍‌ ଓ ଚାରି ଚକିଆ ଯାନ ଚକାରେ ପମ୍ପ୍‌ ବି ଦେଇ ହେଉଛି। ଯାହା କମ୍‌ ଖର୍ଚ୍ଚରେ ଆତ୍ମନିର୍ଭରଶୀଳ ହେବାକୁ ରାସ୍ତା ଦେଖାଉଛି। ସବୁଠାରୁ ବଡ଼ କଥା ହେଉଛି ବିନା ଡିଜେଲ୍‌ ଓ ପେଟ୍ରୋଲରେ ଚାଲୁଥିବାରୁ ବିନା ଖର୍ଚ୍ଚ ସହ ଏହା ପରିବେଶକୁ ସୁହାଇଛି।

ସନ୍‌ ଓଭନ୍‌


ସୂର୍ଯ୍ୟଙ୍କ ଶକ୍ତିକୁ ଆଧାର କରି ପ୍ରସ୍ତୁତ ହୋଇଛି ‘ସନ୍ ଓଭନ୍‌’। ଏହା ୨୦୦ ଡିଗ୍ରି ପର୍ଯ୍ୟନ୍ତ ଉତ୍ତାପ ସୃଷ୍ଟି କରିବାର କ୍ଷମତା ରଖିଛି। ଏକ ବ୍ୟାଗ୍‌ ଭଳି ସହଜରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ହେଉଥିବା ଏହି ଓଭନ୍‌ରେ ବିନା ଖର୍ଚ୍ଚରେ ଅଣ୍ଡା ସିଝାଇବାଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ରୋଷେଇ କମ୍‌ ସମୟରେ ହୋଇପାରୁଛି। ଜଟଣୀ ସେଞ୍ଚୁରିଅନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଦ୍ବାରା ପ୍ରସ୍ତୁତ ଏହି ଓଭନ୍‌ରେ ତାପମାତ୍ରା ନିୟନ୍ତ୍ରଣ ସହ ଅନ୍ୟ ସମସ୍ତ ଆଧୁନିକ ଜ୍ଞାନ କୌଶଳ ଖଞ୍ଜାଯାଇଛି। ବ୍ୟାଟେରି ଚାର୍ଜର ବ୍ୟବସ୍ଥା ନ ଥିବାରୁ ଏହା କେବଳ ଖରାରେ ହିଁ କାର୍ଯ୍ୟ କରିବାର ଦକ୍ଷତା ରଖିଛି।

ରି-ସାଇକେଲ୍‌ବିନ୍‌
କଠିନ ହେଉ କି ତରଳ, ବର୍ଜ୍ୟବସ୍ତୁ ପରିଚାଳନା ନେଇ ଚିନ୍ତା ବଢ଼ିଛି। ପରିବେଶକୁ ବଞ୍ଚାଇବା ପାଇଁ ବିଭିନ୍ନ ସ୍ତରରୁ ଉଦ୍ୟମ ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ଏସ୍‌ଜିଆର୍‌ ପ୍ରସ୍ତୁତ କରିଛି ରି-ସାଇକେଲ୍‌ବିନ୍‌ ମେସିନ୍‌। ଜୈବ ବର୍ଜ୍ୟବସ୍ତୁକୁ ନେଇ ଏହି ହାତ ତିଆରି ମେସିନ୍‌ ପ୍ରସ୍ତୁତ କରୁଛି ଜୈବିକ ସାର। ପ୍ରତ୍ୟେକ ବ୍ୟକ୍ତି ନିଜ ରୋଷେଇ ଘରେ ଏହାକୁ ରଖି ଜୈବ ବର୍ଜ୍ୟକୁ ବ୍ୟବହାର କରି ନିଜ କିଚେନ୍‌ ଗାର୍ଡେନ୍‌ ପାଇଁ ସାର ପ୍ରସ୍ତୁତ କରିପାରିବେ।

ସମ୍ବନ୍ଧିତ ଖବର