ଅଭୁଲା ଚଗଲା ଦିନ: ନାଟକ ରିହର୍ସାଲ ବେଳେ ବାପାଙ୍କୁ ଧକ୍କା ମାରି ଦେଇଥିଲି

ସେତେବେଳେ ମୁଁ ବୋଧେ ଅଷ୍ଟମ କି ନବମରେ ପଢ଼ୁଥାଏ। ସେଇ ବୟସରେ ଆମ ଗାଁ’ ଶାଗୁଆରେ ଅଭିନୀତ ହେବାକୁ ଯାଉଥିବା ଡ.ବସନ୍ତ ମହାପାତ୍ରଙ୍କ ରଚିତ ନାଟକ ‘ଝରା ବଉଳ’ର ନିର୍ଦେଶନା ଦେଉଥାଏ। ମୋ ବାପା, ଭାଇ ଓ ଭଉଣୀ ମଧ୍ୟ ସେ ନାଟକରେ ଅଭିନୟ କରୁଥାଆନ୍ତି। ରିହର୍ସଲ୍‌ ଚାଲିଥାଏ। ପ୍ରଥମତଃ ମୋ ଜୀବନର ପ୍ରଥମ ନିର୍ଦେଶିତ ନାଟକ, ପୁଣି ତା ସାଙ୍ଗକୁ ବାପା(ବନବିହାରୀ ପଟ୍ଟନାୟକ)ଙ୍କୁ ନିର୍ଦେଶନା ଦେଉଥାଏ। ରିହର୍ସଲ ବେଳେ ବାପା କିଛି ଭୁଲ କରିବାରୁ ଧକ୍କାଟିଏ ପକେଇଲି। ବାପା ପଡ଼ିଗଲେ। ଧକ୍କା ଦେବା ପରେ ଯେତେବେଳେ ବାପାଙ୍କ ମୁହଁକୁ ଚାହିଁଲି, ଆଉ ସେଠି ରହିପାରିଲିନି। ସେଠୁ ଦୌଡ଼ି ସଙ୍ଗାତ ଘରକୁ ପଳେଇଲି। ବାପା ମତେ ଖୋଜିଖୋଜି ଯାଇ ମୋ ସାଙ୍ଗ ଘରୁ ଆଣିଲେ। ଘରେ ପହଞ୍ଚିବା ପରେ ମା’ ଗାଳି ଦେଉଥାଏ। ମୁଁ ବି ପଖାଳ ଖାଇବା ବେଳେ କାନ୍ଦୁଥାଏ। ବାପା କହିଲେ, କାହିଁକି କାନ୍ଦୁଛୁ? ମୁଁ ତତେ ଟିକେ ବି ଭୁଲ୍‌ ବୁଝିନି। ହୁଏତ ତୁ ଯାହା କହୁଥିଲୁ ମୁଁ ବୁଝିପାରିଲିନି, ଅବା ତୁ ମତେ ବୁଝେଇପାରିଲୁନି। କିନ୍ତୁ ମୁଁ ଆଜି ଉପଲବ୍ଧି କଲି ଯେ, ତୁ ଦିନେ ବହୁତ ବଡ଼ ନିର୍ଦେଶକ ହେବୁ। ମୋ ବାପା ୨ ବର୍ଷ ହେଲା ଆରପାରିକୁ ଚାଲିଗଲେଣି। ମାତ୍ର ସେଦିନ ବାପାଙ୍କ ସାଙ୍ଗେ ସେ ଦୁଷ୍ଟାମୀ ପରେ ବାପାଙ୍କ ପ୍ରେରଣାଦାୟୀ କଥା ମନେ ପଡ଼ିଲେ ଆଖି ଜକେଇ ଯାଏ।
ମନୋଜ ପଟ୍ଟନାୟକ
ସିନେ ଅଭିନେତା, ନାଟ୍ୟ ନିର୍ଦେଶକ

ସମ୍ବନ୍ଧିତ ଖବର