ପାନ ପତ୍ର ଓ ତା’ ଉପରେ ଗୁଆ ଥୋଇ ବନ୍ଧୁଟିଏ ବନ୍ଧୁକୁ ନିମନ୍ତ୍ରଣ ଦିଏ। ସାଇପଡ଼ିଶା ଓ ବନ୍ଧୁବାନ୍ଧବଙ୍କୁ କୌଣସି ଶୁଭକାର୍ଯ୍ୟକୁ ଡାକିବା ପାଇଁ ତାଳପତ୍ରରେ କିଛି ପଦ ଲେଖି ନିମନ୍ତ୍ରଣ ଦିଆଯାଉଥିଲା। ହେଲେ ଯୁଗ ସହ ତାଳ ଦେଇ ବଦଳି ଯାଇଛି ନିମନ୍ତ୍ରଣ କରିବାର ପରିଭାଷା। ଖାଲି ବିବାହ ସ୍ଥାନ, ପୋଷାକ, ଖାଦ୍ୟ ବା ସାଜସଜ୍ଜା ଉପରେ ଧ୍ୟାନ ଦିଆଯାଉନି, କର୍ତ୍ତା ବିବାହ ନିମନ୍ତ୍ରଣ ପତ୍ର ଉପରେ ମଧ୍ୟ ବେଶ୍ ଗୁରୁତ୍ବ ଦେଉଛନ୍ତି। କାରଣ ଏବେ ଏହା କର୍ତାର ଷ୍ଟାଟସ୍ର ପ୍ରତୀକ ଭାବେ ପରିଗଣିତ ହେଉଛି। ତେଣୁ ନିମନ୍ତ୍ରଣ ଗୁଆରୁ ଆରମ୍ଭ ହୋଇ ତାଳପତ୍ର, ରଙ୍ଗିନ କାଗଜ ଓ ଏବେ ଡିଜିଟାଲ୍ ହେବା ସହ ଏହାର ଲେଖା, ଡିଜାଇନ୍, ଥିମ୍ ସବୁ ବଦଳୁଛି। ବିବାହ ଋତୁ ଆସିଲେ କର୍ତ୍ତାଙ୍କ ମୁଣ୍ଡରେ ବିବାହ କାର୍ଡର ଡିଜାଇକୁ ନିଆରା ଢଙ୍ଗରେ ପ୍ରସ୍ତୁତ କରିବା ପାଇଁ ଉତ୍ସାହ ଦେଖିବାକୁ ମିଳେ। ନିମନ୍ତ୍ରଣ କାର୍ଡକୁ ନେଇ ସସ୍ମିତା ସାହୁଙ୍କ ଉପସ୍ଥାପନା।
ଚାହିଦାରେ ପର୍ୱାନା ଓ ବ୍ୟାଗ୍ ପାଟର୍ନ କାର୍ଡ
ପୂର୍ବରୁ ବିବାହ ପାଇଁ କେବଳ କାର୍ଡ ଛପାଯାଉଥିବା ବେଳେ ଏବେ ବିହାହ, ବ୍ରତୋପନୟନ, ଜନ୍ମ ଦିନ, ଏକାଦଶାହ, ଗୃହ ପ୍ରବେଶ ଏପରିକି ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ କାର୍ଡ ଛପାଯାଉଛି। ପୂର୍ବରୁ କାର୍ଡ ଉପରେ କେବଳ ଭଗବାନ ଗଣେଶ ବା ରାଧାକୃଷ୍ଣଙ୍କର ଫଟୋ ରହୁଥିବା ବେଳେ ବର୍ତ୍ତମାନ ବର କନ୍ୟାଙ୍କର ଫଟୋ ମଧ୍ୟ ଛପାଯାଉଛି। କାର୍ଡର ଡିଜାଇନ୍, ପାଟର୍ନ, ଥିମ୍, ଆକାର ଓ ପ୍ରକାରକୁ ନେଇ ବ୍ୟବସାୟୀ ମୂଲ୍ୟ ନିର୍ଧାରଣ କରୁଛନ୍ତି। ବଜାରରେ ବର୍ତ୍ତମାନ ସେମିବକ୍ସ କାର୍ଡ, ହ୍ୟାଣ୍ଡମେଡ୍ ପେପର୍ ଡିଜାଇନ୍, ୫ ପରସ୍ତ ପିଆନୋ କାର୍ଡ, କଲର୍ ବୋର୍ଡ କାର୍ଡ, ରାଜା ମହାରାଜାଙ୍କ ପରୱାନା ଡିଜାଇନ୍ର ସ୍କ୍ରୋଲ କାର୍ଡ, ବ୍ୟାଗ୍ ପାଟର୍ନ କାର୍ଡ ଆଦି ବହୁ ରକମର କାର୍ଡ ଉପଲବ୍ଧ ହେଉଛି। ୧ ଟଙ୍କାରୁ ଆରମ୍ଭ କରି ୨୫୦ ଟଙ୍କା ପର୍ଯ୍ୟନ୍ତ କାର୍ଡ ସହ ଗ୍ରାହକଙ୍କ ବରାଦ ଅନୁଯାୟୀ ୪୦୦/୫୦୦ ଟଙ୍କିଆ କାର୍ଡ ମଧ୍ୟ ଉପଲବ୍ଧ। ତେବେ ବକ୍ସ ପାଟର୍ନ କାର୍ଡରେ ୨ ତିନୋଟି ବକ୍ସ କରାଯାଇଥାଏ। ଏଥିରେ କର୍ତ୍ତା ଡ୍ରାଏ ଫ୍ରୁଟ୍ସ୍ କିମ୍ବା ଚକୋଲେଟ୍ ଆଦି ଭର୍ତ୍ତି କରି ବନ୍ଧୁମାନଙ୍କୁ ନିମନ୍ତ୍ରଣ କରିପାରିବେ। ଆଗରୁ ଅଧିକ ପର୍ୱାନା କାର୍ଡର ଚାହିଦା ଥିବା ବେଳେ ଏବେ ବ୍ୟାଗ୍ ପାଟର୍ନ କାର୍ଡର ଚାହିଦା ଅଧିକା ରହିଛି।
ତାଳପତ୍ରରେ ଡିଜିଟାଲ୍ ପ୍ରିଣ୍ଟ୍
କଥାରେ ଅଛି ‘ଓଲ୍ଡ୍ ଇଜ୍ ଗୋଲ୍ଡ’ ଅର୍ଥାତ୍ ପୁରୁଣାର ମୂଲ୍ୟ ଅମୂଲ୍ୟ। ଧୀରେଧୀରେ ଫ୍ୟାସନ ଦୁନିଆକୁ ବହୁ ପୁରୁଣା କେଶସଜ୍ଜା, ପୋଷାକ, ମେକ୍ଅପ୍ ଓ ଚପଲ ଆଦି ପ୍ରବେଶ କରୁଥିବା ବେଳେ ନିମନ୍ତ୍ରଣ କାର୍ଡ ଦୁନିଆକୁ ପୁଣି ପ୍ରବେଶ କରିଛି ନିମନ୍ତ୍ରଣର ପୁରୁଣା ତରିକା ତାଳପତ୍ର। ପୁରୁଣା କଥାରେ ଅତ୍ୟାଧୁନିକତାର ଛୁଙ୍କ, ଅର୍ଥାତ୍ ତାଳପତ୍ରରେ ଡିଜିଟାଲ୍ ପ୍ରିଣ୍ଟିଂ ବେଶ୍ ଆକର୍ଷିତ କରୁଛି ଗ୍ରାହକଙ୍କୁ। ତାଳପତ୍ରକୁ ବିଭିନ୍ନ ଆକାରରେ କାଟି ଏହାକୁ ଅତ୍ୟାଧୁନିକ ରୂପ ଦେଇ ୧୫ ଟଙ୍କାରୁ ୩୦୦ ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ବିଭିନ୍ନ ରଙ୍ଗରେ ରଙ୍ଗିନ ଏହି ତାଳପତ୍ର ନିମନ୍ତ୍ରଣ କାର୍ଡରେ ତାକୁ ଖାପଖାଉଥିବା ରଙ୍ଗର ଅକ୍ଷର ବି ପ୍ରିଣ୍ଟ ହେଉଛି।
ଉତ୍ତର ଭାରତରୁ ଓଡ଼ିଶା
ପୂର୍ବରୁ ଆମ ଓଡ଼ିଆ ସଂସ୍କୃତିରେ ଗୁଆ ଓ ତାଳପତ୍ରରେ ନିମନ୍ତ୍ରଣ କରିବାର ପରମ୍ପରା ଥିଲା। କିନ୍ତୁ ସାଂସ୍କୃତିକ ଭାବ ବିନିମୟ ତଥା ସୁବିଧା ଦୃଷ୍ଟିରୁ ଧୀରେଧୀରେ ହାତ ଲେଖା ନିମନ୍ତ୍ରଣ କାର୍ଡ ଓ ପରେ ଏହା ଅତ୍ୟାଧୁନିକ ରୂପରେ ବଜାରକୁ ଆସିଲା। ବାପୁଜୀ ନଗରସ୍ଥିତ ‘ଗୁଞ୍ଜନ’ ନିମନ୍ତ୍ରଣ କାର୍ଡ ଦୋକାନର ସ୍ବତ୍ତ୍ବାଧିକାରୀ କ୍ରିଷ୍ଣକାନ୍ତ ଗୋୟଲ କୁହନ୍ତି, ୧୯୯୦ରେ ଭୁବନେଶ୍ବରରେ ଆମେ ଏହି ବ୍ୟବସାୟ ଆରମ୍ଭ କରିଥିଲୁ। ୧୯୯୫ ମସିହା ଆଡ଼କୁ ନିମନ୍ତ୍ରଣ କାର୍ଡର ଟ୍ରେଣ୍ଡ ବଢ଼ିବାକୁ ଲାଗିଲା। ବିଶେଷ କରି ଏହା ଉତ୍ତର ଭାରତର ପରମ୍ପରା ହୋଇଥିବା ବେଳେ ନିମନ୍ତ୍ରଣ କାର୍ଡ ଛପାଇବା ଫଳରେ ଭୋଜିର ଦିନ, ସ୍ଥାନ, ସମୟ ଓ କର୍ତ୍ତାଙ୍କ ଯୋଗାଯୋଗ ଠିକଣା ସ୍ପଷ୍ଟ ହୋଇପାରିଲା। ତେଣୁ ନିମନ୍ତ୍ରଣ କରିବାର ଏଭଳି ଏକ ସୁବିଧାଜନକ ଉପାୟ ଧୀରେଧୀରେ ଆଦୃତି ଲାଭ କଲା।