‘ମତ୍ସ୍ୟପୁରାଣ’ରେ ଅଛି ‘ବାସ୍ତୁପୁରୁଷ’ଙ୍କ ଉପାଖ୍ୟାନ। ତାହା ଅନୁସାରେ, ଏକଦା ଅନ୍ଧକାସୁର ସହିତ ଶିବଙ୍କର ଘୋର ଯୁଦ୍ଧ ହେଲା। ସେହି ଯୁଦ୍ଧ ସମୟରେ ଶିବଙ୍କ ଶରୀରରୁ ଏକ ସ୍ୱେଦବିନ୍ଦୁ ପତିତ ହୋଇ ମହାଭୂତରେ ପରିଣତ ହେଲା। ସେହି ମହାଭୂତର ଆବିର୍ଭାବ ଘଟିଥିଲା- ଭାଦ୍ରବମାସ କୃଷ୍ଣପକ୍ଷ, ଦଶମୀ, ଶନିବାର ଦିନ; ଆର୍ଦ୍ରା ନକ୍ଷତ୍ର, ବ୍ୟତିପାତ ଯୋଗ ଓ ବିଷ୍ଟି କରଣରେ। ତାହାର ଥିଲା ବିଶାଳ ଓ କଦାକାର ରୂପ। ସେଥିରେ ଦେବତା, ଦାନବ ସମସ୍ତେ ଭୟଭୀତ ହେଲେ। ଦେବତାମାନେ ପ୍ରତିକାରପାଇଁ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ। ବ୍ରହ୍ମା ସେମାନଙ୍କୁ ନିର୍ଦ୍ଦେଶ ଦେଲେ, ଯେ ତାହାକୁ ଅଧୋମୁଖ କରି ପୃଥିବୀ ଉପରେ ନିକ୍ଷେପ କର। ଦେବତାମାନେ ତାହା କଲେ। ମହାଭୂତକୁ ନିକ୍ଷେପ କରି ଦେବତାମାନେ ତାହା ଉପରେ ଭାରା ଦେଇ ରହିଲେ।
ତାହା ଫଳରେ ବହୁ କଷ୍ଟ ପାଇ ସେହି ମହାଭୂତ ବ୍ରହ୍ମାଙ୍କୁ ପ୍ରାର୍ଥନା କଲା, ଯେ ତାହାର କଦାକାର ରୂପ ପାଇଁ ସେ କିପରି ଦାୟୀ ହେବ? ବ୍ରହ୍ମା ତାହାର ପ୍ରାର୍ଥନା ଶୁଣି କହିଲେ, ଆଜିଠାରୁ ତୁମେ ‘ବାସ୍ତୁପୁରୁଷ’ ରୂପେ ପୂଜିତ ହେବ। ଯେ କୌଣସି ନିର୍ମାଣ କାର୍ଯ୍ୟରେ ଲୋକେ ତୁମର ଶୟନରତ, ଅଧୋମୁଖ ରୂପକୁ ସ୍ମରଣ ଓ ପୂଜନ କରି ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ।
ସେହି ଅନୁସାରେ, ଗ୍ରାମ, ନଗର, ପୁର, ପଲ୍ଲୀ, ଦୁର୍ଗ, ବାମ୍ଫି, କୂପ, ତଡ଼ାଗ, ଅଟ୍ଟାଳିକା, ଗୃହ ପ୍ରଭୃତିର ନିର୍ମାଣ କାର୍ଯ୍ୟରେ ବାସ୍ତୁପୁରୁଷ ପୂଜା ପାଇ ଆସୁଛନ୍ତି। ଏହି ବାସ୍ତୁପୁରୁଷଙ୍କ ପୂଜା ନ କଲେ, ଗୃହ ଲକ୍ଷ୍ମୀହୀନ ହେବା ସହିତ କାର୍ଯ୍ୟରେ ବିଘ୍ନ ହୁଏ ବୋଲି ବିଶ୍ୱାସ ରହିଛି।
ଏ ସଂପର୍କରେ ଜଣାଯାଏ, ଯେ ଏହି ପୁରାଣ ପ୍ରସଙ୍ଗକୁ ବାସ୍ତୁଶାସ୍ତ୍ରର ଆଦି ପ୍ରବକ୍ତା ମୁନି ପରାଶର ବୃହଦ୍ରଥଙ୍କୁ ଶୁଣାଇଥିଲେ ଏବଂ ପରବର୍ତ୍ତୀ କାଳରେ ବିଶ୍ୱକର୍ମା ବୃହଦ୍ରଥଙ୍କଠାରୁ ବାସ୍ତୁ ଶାସ୍ତ୍ରର ବିଧି ଓ ଉପଯୋଗିତା ଶୁଣି ତାହାର ପ୍ରସାର କରିଥିଲେ।
ବିଜ୍ଞାନ ଅନୁସାରେ, ପଞ୍ଚ ମହାଭୂତରୁ ଏ ଜଗତ୍ ତଥା ଆମେ ସମସ୍ତେ ଗଠିତ। ଏଣୁ ମହାଭୂତମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅବସ୍ଥାନ ହିଁ ବାସ୍ତୁଶାସ୍ତ୍ରର ମୂଳମନ୍ତ୍ର। ସେହିଥିରୁ ସୃଷ୍ଟି ହୋଇଛି ‘ବାସ୍ତୁପୁରୁଷ’ଙ୍କର କଳ୍ପନା ଓ ପୂଜନ। ଏହା ବାସ୍ତୁଶାସ୍ତ୍ର ନିର୍ଦ୍ଦେଶିତ ବିଧିବ୍ୟବସ୍ଥାର ପରିପାଳନ ମାତ୍ର।
-ଇଂ. ଅଜୟ ମହାପାତ୍ର
‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :- [email protected]