ମାର୍କଣ୍ଡେୟ ପୁରାଣ, ମହାଭାରତ, ସ୍କନ୍ଦପୁରାଣ ଆଦିରେ ଯେଉଁ ପାବନ ପର୍ବତର ଉଲ୍ଲେଖ ଅଛି, ସେହି ପର୍ବତର ନାମ ମନ୍ଦରଗିରି। ଏହି ପର୍ବତ ଚନ୍ଦନ, ନାଗେଶ୍ୱର, ଚମ୍ପକ, ବିଲ୍ୱ, ମନ୍ଦାର, କରବୀର ଆଦି ବୃକ୍ଷ ସହିତ ଅଜସ୍ର ଔଷଧୀୟ ଗୁଳ୍ମଲତାରେ ପରିପୂର୍ଣ୍ଣ ହୋଇ ରହିଥିଲା। ଅନେକ ସୁକଣ୍ଠି ପକ୍ଷୀଙ୍କର କଳରବରେ ଏହା ସର୍ବଦା ମୁଖରିତ ହେଉଥିଲା। ବିଭିନ୍ନ ପ୍ରକାରର ପଶୁ, ସରୀସୃପ, ନାଗ ଏବଂ ଅପ୍ସରା ଓ ଗନ୍ଧର୍ବମାନେ ଏହି ମନୋହର ପର୍ବତର ସୁଷମା ଉପଭୋଗ କରିବା ସହିତ ନାନା ପ୍ରକାର କ୍ରୀଡ଼ା କୌତୁକରେ ସର୍ବଦା ମାତି ରହୁଥିଲେ।
ଏକଦା ଅସୁରମାନଙ୍କ ସହିତ ସଂଗ୍ରାମ କରି କରି ଦେବତାମାନେ ଯେତେବେଳେ ଦୁର୍ବଳ ହୋଇପଡ଼ିଲେ, ଭଗବାନ ବିଷ୍ଣୁଙ୍କ ନିର୍ଦ୍ଦେଶରେ ସେମାନେ ରାକ୍ଷସମାନଙ୍କ ସହଯୋଗରେ କ୍ଷୀର ସମୁଦ୍ର ମନ୍ଥନ କରି ଅମୃତ ପ୍ରାପ୍ତି ନିମିତ୍ତ ନିଷ୍ପତ୍ତି କଲେ। ଏହି ମନ୍ଥନ ନିମିତ୍ତ ଏକ ମନ୍ଥନୀ (ଖୁଆଦଣ୍ଡ) ଓ ରଜ୍ଜୁର ଆବଶ୍ୟକତା ପଡ଼ିବାରୁ, ଖୁଆଦଣ୍ଡ ନିମିତ୍ତ ମନ୍ଦର ପର୍ବତ ସର୍ବୋତ୍କୃଷ୍ଟ ଜାଣି, ଇନ୍ଦ୍ରଙ୍କ ସହିତ ଦେବତାମାନେ ଆସି ମନ୍ଦର ପର୍ବତକୁ ଅନୁରୋଧ କଲେ। କିନ୍ତୁ ପୂର୍ବରୁ ଇନ୍ଦ୍ର ତାଙ୍କର ପକ୍ଷଛେଦନ କରିଥିବାରୁ, ମନ୍ଦର କ୍ଷୀର ସମୁଦ୍ର ପର୍ଯ୍ୟନ୍ତ ଯିବାକୁ ନିଜର ଅକ୍ଷମତା ପ୍ରକାଶ କଲେ। ଦେବତାମାନେ ପ୍ରଥମେ ଏହାକୁ ଉତ୍ପାଟନ କରି ନେବାର ପ୍ରଚେଷ୍ଟା କଲେ। କିନ୍ତୁ ଏହା ସମ୍ଭବ ହେଲା ନାହିଁ। ମହାବଳୀ ଦୈତ୍ୟମାନେ ମଧ୍ୟ ଚେଷ୍ଟା କରି ବିଫଳ ହେଲେ। ଶେଷରେ ଦେବ ଓ ଦାନବ ଏକତ୍ର ହୋଇ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିବାରୁ ବିଷ୍ଣୁଙ୍କ ନିର୍ଦ୍ଦେଶରେ ଗରୁଡ଼ ଏହାକୁ ନିଜର ପୃଷ୍ଠଦେଶରେ ବହନ କରି ନେଇ କ୍ଷୀର ସମୁଦ୍ର ମଝିରେ ରଖିଦେଲେ। ବାସୁକୀ ନାଗ ମନ୍ଥନୀ ରଜ୍ଜୁ ହୋଇ ଏହାକୁ ବେଷ୍ଟନ କଲେ। ତଥାପି ଏହା ସ୍ଥିର ନହେବାରୁ ସ୍ୱୟଂ ଶ୍ରୀବିଷ୍ଣୁ କୂର୍ମାବତାର ଧାରଣ କରି ମନ୍ଦରକୁ ନିଜ ପୃଷ୍ଠଦେଶରେ ଧାରଣ କରିବାରୁ ମନ୍ଦର ସ୍ଥିର ହେଲା ଏବଂ ସମୁଦ୍ରମନ୍ଥନ କାର୍ଯ୍ୟ ସମାପନ ହେଲା। ଦେବତାମାନେ ଅମୃତ ପ୍ରାପ୍ତ ହେଲେ। ଅମୃତ ପାନ କରି ଦେବତାମାନେ ଅମର ହେଲେ।
ସମୁଦ୍ର ମନ୍ଥନ ପରି ମହାନ କାର୍ଯ୍ୟରେ ଅଂଶଗ୍ରହଣ କରିଥିବାରୁ ମନ୍ଦର ଦେବତାମାନଙ୍କର ପୂଜ୍ୟ ହେଲା। ଏକଦା ମଧୁକୈଟଭଙ୍କ ଅତ୍ୟାଚାରରୁ ପୃଥିବୀକୁ ରକ୍ଷା କରିବା ନିମିତ୍ତ ଭଗବାନ ବିଷ୍ଣୁ ମନ୍ଦର ପର୍ବତରେ ଚାପି ସେମାନଙ୍କୁ ବଧ କରିଥିଲେ। କଥିତ ଅଛି, ମୃତ୍ୟୁ ପୂର୍ବରୁ ମଧୁକୈଟଭ ବିଷ୍ଣୁଙ୍କୁ ପ୍ରାର୍ଥନା କରିଥିଲେ- ପ୍ରତ୍ୟେକ ମକର ସଂକ୍ରାନ୍ତିରେ ମନ୍ଦର ପର୍ବତକୁ ଆସି ତାଙ୍କୁ ଦର୍ଶନ ଦେବେ। ଏହି କାରଣରୁ ପ୍ରତ୍ୟେକ ବର୍ଷ ମଧୁସୂଦନ ଭଗବାନ ବିଷ୍ଣୁଙ୍କ ପ୍ରତିମା ସେଠାର ବଂଶୀ ନାମକ ସ୍ଥାନରୁ ମନ୍ଦରକୁ ଯାତ୍ରା କରିଥାଏ; ଯେଉଁଥିରେ ଲକ୍ଷ ଲକ୍ଷ ଭକ୍ତ ସାମିଲ ହୋଇଥାଆନ୍ତି। ସଂପ୍ରତି ମନ୍ଦର ପର୍ବତ ବିହାର ଅନ୍ତର୍ଗତ ଭାଗଲପୁରର ଅନତି ଦୂରରେ ଅବସ୍ଥିତ। ଏହି ପର୍ବତ କଳାମୁଗୁନି ପଥରର ଏବଂ ଏହାର ଚଟାଣ ଉପରେ ବାସୁକୀ ନାଗର ବନ୍ଧନ ଡୋରିର ଚିହ୍ନ ଦେଖାଯାଏ। ଏହାର ଉପରି ଭାଗରେ ଦୁଇଟି ମନ୍ଦିର ଏବଂ ନିମ୍ନରେ ପାପହାରିଣୀ କୁଣ୍ଡ ରହିଛି। ଏହା ଏକ ବିଶେଷ ତୀର୍ଥସ୍ଥଳର ମାନ୍ୟତା ଲାଭ କରିଛି।
-ଡକ୍ଟର ତୁଳସୀ ଓଝା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/sfhfhfhfhsfh.jpg)