ଶନିଦେବ ବା ଶନି ମହାଗ୍ରହଙ୍କୁ ସମସ୍ତଙ୍କର ଡର। କାରଣ, ଏ ଦେବତା ବା ଏ ଗ୍ରହ ଅଶୁଭ ଓ ଅନିଷ୍ଟକାରୀ ବୋଲି ଗୋଟିଏ ଧାରଣା ଅଛି। କିନ୍ତୁ ପୁରାଣ କାହାଣୀ କହେ, ଶନି ପୂର୍ବରୁ ଏପରି ନଥିଲେ। ଦୁଇ ନାରୀଙ୍କର ଅଭିଶାପ ତାଙ୍କୁ କ୍ରୂର କରିଦେଲା।
ଶନି ସୂର୍ଯ୍ୟପୁତ୍ର। ସୂର୍ଯ୍ୟପତ୍ନୀ ଛାୟା ତାଙ୍କର ମାତା। ଜ୍ୟେଷ୍ଠ ଅମାବାସ୍ୟା ତାଙ୍କର ଜନ୍ମଦିନ। ‘ବ୍ରହ୍ମପୁରାଣ’ ଅନୁସାରେ, ସେ ପିଲାଦିନୁ ଥିଲେ ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତ। ଅହରହ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କରୁଥିଲେ। ବଡ଼ ହେଲା ପରେ ଚିତ୍ରରଥଙ୍କ କନ୍ୟା ସହ ତାଙ୍କର ବିବାହ ହେଲା। ତାଙ୍କର ପତ୍ନୀ ଥିଲେ ସତୀ, ସାଧ୍ୱୀ ଓ ତେଜସ୍ୱିନୀ। ଦିନେ ଋତୁସ୍ନାନ ପରେ, ପୁତ୍ରଲାଭର କାମନାରେ ସେ ଶନିଙ୍କ ନିକଟରେ ଉପସ୍ଥିତ ହେଲେ। ମାତ୍ର ଶନି ଶ୍ରୀକୃଷ୍ଣଙ୍କ ଧ୍ୟାନରେ ନିମଗ୍ନ ଥିବାରୁ ତାଙ୍କୁ ଚାହିଁଲେ ନାହିଁ। ବାହ୍ୟ ସଂସାରର ଜ୍ଞାନ ତାଙ୍କର ନଥିଲା। ପତ୍ନୀଙ୍କର ଋତୁକାଳ ନିଷ୍ଫଳ ହୋଇଗଲା। ସେଥିରେ କ୍ଷୁବ୍ଧ ହୋଇ ସେ ଶନିଙ୍କୁ ଅଭିଶାପ ଦେଲେ- ଏଣିକି ତୁମର ଦୃଷ୍ଟି ଯାହା ଉପରେ ପଡ଼ିବ, ତାହା ନଷ୍ଟ ହୋଇଯିବ। ସେଇଠୁ ଆସିଲା ‘ଶନିଦୃଷ୍ଟି’ କଥା।
ଯେତେବେଳେ ଗଣେଶ ଜନ୍ମ ହେଲେ, ସେତେବେଳେ ସବୁ ଦେବୀ, ଦେବତା ତାଙ୍କୁ ଦେଖିବାକୁ ଗଲେ। ଅଭିଶାପ ଥିବାରୁ ଶନି ଗଲେ ନାହିଁ। ମାତ୍ର ପାର୍ବତୀ ଅତି ବାଧ୍ୟ କରିବାରୁ, ଶନି ଶେଷରେ ଅନିଚ୍ଛା ସତ୍ତ୍ୱେ ଗଲେ। କିନ୍ତୁ ତାଙ୍କର ଦୃଷ୍ଟି ପଡ଼ିବା ମାତ୍ରେ ଗଣେଶଙ୍କର ମସ୍ତକ ନଷ୍ଟ ହୋଇଗଲା। ପରେ ଅବଶ୍ୟ ତାଙ୍କଠାରେ ହାତୀମୁଣ୍ଡ ଲଗାଗଲା ଏବଂ ସେ ଗଜାନନ ହେଲେ; ମାତ୍ର ପାର୍ବତୀଙ୍କର ଅଭିଶାପ ପାଇ ସେହିଦିନୁ ଶନି ଛୋଟା ହୋଇଗଲେ।
ଏହିପରି ଭାବରେ, ପତ୍ନୀ ଓ ପାର୍ବତୀ- ଦୁଇ ନାରୀଙ୍କର ଅଭିଶାପ ପାଇ ଶନି କ୍ରୂର ହୋଇଗଲେ।
କିନ୍ତୁ ଶନି ହେଉଛନ୍ତି ପିତା ସୂର୍ଯ୍ୟଙ୍କ ପରି ଧର୍ମଦେବତା। ସେ ବ୍ୟକ୍ତିକୁ ତାର କର୍ମ ଅନୁସାରେ ଫଳ ଦିଅନ୍ତି। ଶୁଭ କର୍ମ କଲେ ସେ ଶୁଭଫଳ ଏବଂ ଅଶୁଭ କର୍ମ କଲେ ଅଶୁଭ ଫଳ ଦିଅନ୍ତି। ତାହା ହିଁ ତାଙ୍କର ଧର୍ମ। ଶୁଭ ବା ଅଶୁଭ ଫଳ ପୁଣି ବ୍ୟକ୍ତିର ଭାବନା, ବାଣୀ ଓ କର୍ମ ଅନୁସାରେ ମିଳେ। ଏଣୁ ଶନିଙ୍କର କୃପା ଲାଭ ପାଇଁ ଆମକୁ ଆମର ଚିନ୍ତା, କଥା ଓ କର୍ମ- ସବୁକୁ ଶୁଭ କରିବାକୁ ପଡ଼ିବ। ଏହା କଷ୍ଟକର ହେଲେ ହେଁ ଅସମ୍ଭବ ନୁହେଁ। ଏହା ଆମପାଇଁ
ଏକ ସାଧନା।
‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :- [email protected]