ଆଦିକବି ବାଲ୍ମୀକିଙ୍କ ‘ରାମାୟଣ’ ତ୍ରେତୟା ଯୁଗର ଶ୍ରୀରାମଙ୍କ କଥା। ବ୍ୟାସଦେବଙ୍କ ‘ଶ୍ରୀମଦ୍ଭାଗବତ’ ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କର ଗାଥା। ଏ ଦୁଇ ଯୁଗର ଦୁଇ ନାୟକଙ୍କ ମଧ୍ୟରେ ଗୋଟିଏ ସୁନ୍ଦର ସଂଯୋଗ ସୂତ୍ର ‘ଶ୍ରୀମଦ୍ଭାଗବତ’ରେ ବର୍ଣ୍ଣିତ ହୋଇଛି। ମଥୁରାରେ, କଂସ ବନ୍ଦୀଶାଳାରେ ଶ୍ରୀକୃଷ୍ଣ ଜନ୍ମହେବା ସମୟର କଥା। ‘ଶ୍ରୀମଦ୍ଭାଗବତ’ର ଦଶମ ସ୍କନ୍ଧ, ଚତୁର୍ଥ ଅଧ୍ୟାୟରେ ବ୍ୟାସଦେବ ବର୍ଣ୍ଣନା କରିଛନ୍ତି- ଯୋଗମାୟାଙ୍କ ପ୍ରଭାବରେ କଂସ କାରାଗାରର ପ୍ରହରୀମାନେ ଅଚେତନ ହୋଇ ଶୋଇ ରହିଲେ। ବିଶାଳ ଲୁହା କବାଟ, ଲୁହା କିଳିଣୀ ଓ ଶକ୍ତ ଶିକୁଳିଦ୍ୱାରା କାରାକକ୍ଷ ବନ୍ଦ ରହିଥିଲା। ତାହା ତତ୍କ୍ଷଣାତ୍ ଖୋଲିଗଲା। ସୂର୍ଯ୍ୟୋଦୟ ହେଲେ ଯେପରି ଅନ୍ଧକାର ଦୂର ହୋଇଯାଏ, ସେହିପରି ବସୁଦେବ କୃଷ୍ଣଙ୍କୁ ଧରି ଆସିବାମାତ୍ରେ ଏହା ଘଟିଲା। ସେତେବେଳେ ଧୀରେ ଧୀରେ ମେଘ ଗର୍ଜନ କରୁଥିଲା ଓ ବୃଷ୍ଟିପାତ ହେଉଥିଲା। ଶେଷଦେବ (ଅନନ୍ତ) ନିଜର ସହସ୍ରଫଣା ଟେକି, ବର୍ଷା ପାଣି ନପଡ଼ିବା ପାଇଁ ବସୁଦେବଙ୍କ ପଛେ ପଛେ ଯିବାକୁ ଲାଗିଲେ।
ଏହି ପ୍ରସଙ୍ଗରେ, ବ୍ୟାସଦେବ ବର୍ଣ୍ଣନା କରିଛନ୍ତି ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଥିବା ଏକ ସଂଯୋଗର କାହାଣୀ। ସେ କହିଛନ୍ତି- ବାରମ୍ବାର ବର୍ଷା ହେବା ଫଳରେ ଯମୁନା ଖୁବ୍ ବଢ଼ିଥିଲା। ତାହାର ଜଳରାଶି ଗଭୀର ଥିଲା। ଉଚ୍ଚ ଲହରୀ ଉଠୁଥିଲା ଏବଂ ଜଳସ୍ରୋତରେ ଭଉଁରୀ ସୃଷ୍ଟି ହେଉଥିଲା। କିନ୍ତୁ ସୀତାପତି ଭଗବାନ ଶ୍ରୀରାମଙ୍କୁ ଯେପରି ସମୁଦ୍ର ବାଟ ଛାଡ଼ି ଦେଇଥିଲା, ସେହିପରି ଯମୁନା ନଦୀ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ବାଟ ଖୋଲିଦେଲା। ଏ ପ୍ରସଙ୍ଗରେ ସ୍ମରଣ କରିବାର କଥା, ଯେ ତ୍ରେତୟା ଯୁଗରେ ଶ୍ରୀରାମ ସମୁଦ୍ରରେ ସେତୁବନ୍ଧ ବାନ୍ଧିବାକୁ ଯିବା ବେଳେ, ସାଗର ରାଜାଙ୍କ ସମ୍ମତି ମିଳି ନଥିଲା। ସେଥିରେ ଶ୍ରୀରାମ କ୍ରୁଦ୍ଧ ହୋଇ, ଶରମାରି ସାଗରର ଜଳ ଶୁଖାଇ ଦେବାକୁ ଉଦ୍ୟତ ହୋଇଥିଲେ। ତାହା ଦେଖି ସାଗରରାଜ ଭୟଭୀତ ହୋଇ ତାଙ୍କର ଶରଣ ପଶିଥିଲେ ଏବଂ ସେତୁବନ୍ଧ ପାଇଁ ପଥ ଦେଇଥିଲେ। ଦ୍ୱାପର ଯୁଗରେ କିନ୍ତୁ ଶ୍ରୀକୃଷ୍ଣଙ୍କୁ ଦେଖି କାଳିନ୍ଦୀ କୃତାର୍ଥ ହେବା ସହିତ ଭୟରେ ବାଟ ଛାଡ଼ି ଦେଇଥିଲା। ଜଗନ୍ନାଥ ଦାସ ତାଙ୍କ ନବାକ୍ଷରୀ ଓଡ଼ିଆ ଭାଗବତରେ ଏହାର ବର୍ଣ୍ଣନା କରି କହିଛନ୍ତି- “ହରିଙ୍କି ଦେଖି ଭୟ କଲା। ବାଲିବନ୍ତରେ ବାଟ ଦେଲା।”
‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ : [email protected]