ଆମ ଓଡ଼ିଶାର ବରପୁତ୍ରମାନଙ୍କ ମଧ୍ୟରେ ରାୟ ରାମାନନ୍ଦ ଅନ୍ୟତମ। ତାଙ୍କର ଘର ପୁରୀ ଜିଲ୍ଲାର ବ୍ରହ୍ମଗିରି ଅନ୍ତର୍ଗତ ବେଣ୍ଟପୁର। ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ଶାସନକାଳରେ ସେ ରାଜମହେନ୍ଦ୍ରୀଠାରେ ଉତ୍କଳ ସାମ୍ରାଜ୍ୟର ଦକ୍ଷିଣାଞ୍ଚଳ ପ୍ରଶାସକ ରୂପେ ଅବସ୍ଥାପିତ ହୋଇଥିଲେ। ସେତେବେଳେ ସେ ‘ରାଜମହେନ୍ଦ୍ରୀର ରାଜା’ ରୂପେ ବିବେଚିତ ହେଉଥିଲେ। ସେ ଥିଲେ ଭବାନନ୍ଦ ପଟ୍ଟନାୟକଙ୍କ ପୁତ୍ର। କିନ୍ତୁ ପ୍ରତାପରୁଦ୍ରଦେବଙ୍କଠାରୁ ‘ରାୟ’ ଉପାଧି ପାଇ ସେ ରାମାନନ୍ଦ ପଟ୍ଟନାୟକରୁ ରାୟ ରାମାନନ୍ଦଙ୍କ ନାମରେ ପ୍ରସିଦ୍ଧ ହୋଇଥିଲେ। କିନ୍ତୁ ପ୍ରଶାସକ ଅପେକ୍ଷା କବି ଓ ପଣ୍ଡିତ ଭାବରେ ତାଙ୍କର ବିଶେଷ ଖ୍ୟାତି ଥିଲା। ‘ଜଗନ୍ନାଥ ବଲ୍ଲଭ ନାଟକ’ ସମେତ ଅନେକ ସଂସ୍କୃତ ରଚନାରୁ ତାଙ୍କର କବିତ୍ୱ, ପାଣ୍ଡିତ୍ୟ ଓ ଭକ୍ତିର ନିଦର୍ଶନ ମିଳେ।
ରାୟ ରାମାନନ୍ଦଙ୍କର ବିଶେଷତ୍ୱ ହେଉଛି, ସେ ଥିଲେ ଶ୍ରୀଚୈତନ୍ୟଙ୍କର ‘ଗୁରୁକଳ୍ପ’। ୧୫୧୦ରେ ଶ୍ରୀଚୈତନ୍ୟ ଉତ୍କଳ ଆସିବା ପରେ, ଦିଗ୍ବିଜୟୀ ପଣ୍ଡିତ ସାର୍ବଭୌମଙ୍କୁ ତର୍କରେ ପରାସ୍ତ କଲେ। ସେହି ସାର୍ବଭୌମ ହିଁ ତାଙ୍କୁ ଦକ୍ଷିଣଦେଶଯାଇ ରାୟ ରାମାନନ୍ଦଙ୍କୁ ଭେଟିବାପାଇଁ ପରାମର୍ଶ ଦେଇଥିଲେ। ସେହି ଅନୁସାରେ, ଶ୍ରୀଚୈତନ୍ୟ ରାଜମହେନ୍ଦ୍ରୀ ଗଲେ। ସେଠାରେ ଦୁହିଁଙ୍କ ମଧ୍ୟରେ ଯେଉଁ ତାତ୍ତ୍ୱିକ ଆଳାପ ଆଲୋଚନା ହୋଇଥିଲା, ତାହା ହିଁ ଶ୍ରୀଚୈତନ୍ୟ ପ୍ରଚାରିତ ବୈଷ୍ଣବ ଧର୍ମର ଭିତ୍ତି ପ୍ରତିଷ୍ଠା କରିଥିଲା।
କୃଷ୍ଣଦାସ କବିରାଜ ‘ଚୈତନ୍ୟ ଚରିତାମୃତ’ରେ ତାହାର ବିଶଦ ବର୍ଣ୍ଣନା ଦେଇଛନ୍ତି। ରାୟ ରାମାନନ୍ଦ ଶ୍ରୀଚୈତନ୍ୟଙ୍କୁ ଗୋଟିଏ ପରେ ଗୋଟିଏ ତତ୍ତ୍ୱ କଥା କହିଚାଲିବାବେଳେ, “ଆହୁରି କହିଚାଲ” “ଆହୁରି କହିଚାଲ” ବୋଲି ଶ୍ରୀଚୈତନ୍ୟ ତାଙ୍କୁ କହିଛନ୍ତି।
‘ଚୈତନ୍ୟ ଚରିତାମୃତ’ରେ ଶ୍ରୀଚୈତନ୍ୟଙ୍କ ସ୍ୱୀକାରୋକ୍ତି ରୂପେ କୁହାଯାଇଛି- “ଏ ସବ ଶିଖାଇଲ ମୋରେ ରାୟ ରାମାନନ୍ଦ।” ଆହୁରି ମଧ୍ୟ କୁହାଯାଇଛି- “ରାମାନନ୍ଦ ପାଶେ ଯତ ସିଦ୍ଧାନ୍ତ ଶୁନିଲ। / ରୂପେ କୃପା କରି ତାହା ସବ ସଂଚାରିଲ।ା” ଅର୍ଥାତ୍, ରାୟ ରାମାନନ୍ଦଙ୍କଠାରୁ ସେ ରାଧାକୃଷ୍ଣ ଭକ୍ତି ଓ ପ୍ରୀତିର ଯେଉଁସବୁ ତତ୍ତ୍ୱ ଶୁଣିଥିଲେ, ସେସବୁ ରୂପଗୋସ୍ୱାମୀଙ୍କୁ କହିଥିଲେ। ତାହାର ଆଧାରରେ ସେହି ତତ୍ତ୍ୱକୁ ଅଧିକ ବ୍ୟାଖ୍ୟା କରି ରୂପ ଗୋସ୍ୱାମୀ ଅନେକ ଉଚ୍ଚକୋଟୀର କାବ୍ୟ ସୃଷ୍ଟିକରି ତାହାକୁ ପ୍ରସାରିତ କରିଥିଲେ। କିନ୍ତୁ ଶ୍ରୀଚୈତନ୍ୟଙ୍କ ପାର୍ଷଦମାନଙ୍କ ମଧ୍ୟରେ ଏହି ଗୋସ୍ୱାମୀମାନେ ଯେତେ ଚର୍ଚ୍ଚିତ, ରାୟ ରାମାନନ୍ଦ ସେତେ ଚର୍ଚ୍ଚିତ ହୁଅନ୍ତି ନାହିଁ। ଏପରିକି, ଶ୍ରୀଚୈତନ୍ୟଙ୍କ ‘ଗୁରୁକଳ୍ପ’ ରାୟ ରାମାନନ୍ଦ ଏବେ ଓଡ଼ିଶାରେ ମଧ୍ୟ ପ୍ରାୟ ବିସ୍ମୃତ ହୋଇଯାଇଛନ୍ତି। ଏବେ ତାଙ୍କୁ ସ୍ମରଣ କରିବାର ବେଳ ଆସିଛି।