ଜୀବନ ରଙ୍ଗ: ପ୍ରତିଦିନ ମାଲିସ ହୁଏ ବେସନ, କଞ୍ଚା ହଳଦୀ, ସମିତା ମଣ୍ଡଳ

ଦିନେ ଏହି ସ୍ଲିମ୍‌ ଶରୀର ପାଇଁ କେହି ଧାରାବାହିକ କିମ୍ବା ଚଳଚ୍ଚିତ୍ରରେ ଅଭିନୟ ଦେବାକୁ ରାଜି ନଥିଲେ। କିନ୍ତୁ ଆଜି ସେଇ ସ୍ଲିମ୍‌ ଶରୀର ଯୋଗୁଁ ହିଁ ତାଙ୍କ ପାଇଁ ଅଫରର ବର୍ଷା କରାଇଛି। ସେ ଆଉ କେହି ନୁହନ୍ତି, ନିକଟରେ ପ୍ରେକ୍ଷାଳୟକୁ ଆସିଥିବା ସିଦ୍ଧାର୍ଥ ମ୍ୟୁଜିକର ୨୫ ତମ ଚଳଚ୍ଚିତ୍ର ‘ବାପା ତୁ‌ମେ ଭାରି ଦୁଷ୍ଟ’ର ମୁଖ୍ୟ ନାୟିକା ସମିତା ମଣ୍ଡଳ। ତରଙ୍ଗ ଚ୍ୟାନେଲର ‘ରାନୀ’ ଧାରାବାହିକରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ ଯାତ୍ରା। ଏହା ପରେ ସାର୍ଥକର ‘ମୋ ଜେଜେ ମା’ରେ ମଧ୍ୟ ସେ ନଜର ଆସିଥିଲେ। ପ୍ରଥମ ଚଳଚ୍ଚିତ୍ର ଭାବେ ‘ଲଭ୍‌ ଏକ୍ସପ୍ରେସ୍‌’ରେ ପାର୍ଶ୍ବ ଚରିତ୍ର ଭୂମିକାରେ ଥିଲେ। ତଥାପି ତାଙ୍କ ଅଭିନୟର ଯାଦୁ ଏମିତି ଥିଲା ଯେ, ପ୍ରଯୋଜକ ସୀତାରାମ ଅଗ୍ରୱାଲ ତାଙ୍କୁ ‘ବାପା ତୁ‌ମେ ଭାରି ଦୁଷ୍ଟ’ର ମୁଖ୍ୟ ନାୟିକା ପାଇଁ ଅଫର୍‌ ଦେଇଥିଲେ। ନୃତ୍ୟରେ ନିପୁଣା ଏହି ଅଭିନେତ୍ରୀ ସମିତା ମଣ୍ଡଳ ଏବେ ଅଭିନୟ ଜଗତରେ ନାମ କମାଇବାକୁ ଅଣ୍ଟା ଭିଡ଼ିଛନ୍ତି। ସେ କୁହନ୍ତି, କେବଳ ଗ୍ଲାମର ନୁହେଁ ସମସ୍ତେ ନିଜକୁ ଫିଟ୍‌ ଓ ସୁନ୍ଦର ରଖିବା ଆବଶ୍ୟକ। ଏହା ଦ୍ବାରା ବ୍ୟକ୍ତିତ୍ବର ବିକାଶ ହେବା ସହ ନିଜକୁ ଅନ୍ୟ ଆଗରେ ସହଜରେ ଉପସ୍ଥାପିତ କରିହୁଏ। ତେବେ ସେ କିନ୍ତୁ ତ୍ବଚାର ଯତ୍ନ ପାଇଁ ପ୍ରାକୃତିକ ଉପଚାର ଉପରେ ଅଧିକ ଗୁରୁତ୍ବ ଦିଅନ୍ତି। ପ୍ରତିଦିନ ଗାଧୋଇବା ପୂର୍ବରୁ କଞ୍ଚା ହଳଦୀ ଓ ବେସନର ଏକ ମିଶ୍ରଣ ପ୍ରସ୍ତୁତ କରି ମୁହଁ ଓ ଶରୀରରେ ମାଲିସ୍‌ କରନ୍ତି। ଏହାପରେ ସ୍ନାନ କରନ୍ତି। ଫଳରେ ଏହା ତ୍ବଚା ଉଜ୍ଜ୍ବଳ ଦେଖାଯାଏ। ଏହାସହ ଫେସ୍‌ୱାସ୍‌ ବ୍ୟବହାର ନ କରି ବେସନ ବା ମସୁର ଡାଲିରେ ଟମା‌ଟୋ ରସ ବା ମହୁ ମିଶାଇ ଲଗାଇଥାନ୍ତି। ସମିତା ହେଉଛନ୍ତି ଜଣେ କନ୍‌ଟେମ୍ପରାରି ନୃତ୍ୟଶିଳ୍ପୀ। ପ୍ରତିଦିନ ନୃତ୍ୟାଭ୍ୟାସ ତାଙ୍କ ଶରୀରକୁ ସ୍ଲିମ୍‌ ରଖିଥିବା ସେ କହିଛନ୍ତି। ପ୍ରତିଦିନ କିଛି ସମୟ ଚାଲିବା ଓ ଦୌଡ଼ିବା ଅଭ୍ୟାସ ରଖିଥିବା ସମିତା ତୈଳଯୁକ୍ତ ଓ ଜଙ୍କ୍‌ ଫୁଡ୍‌ ବିଲ୍‌କୁଲ ଖାଆନ୍ତି ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର