ରଥ: ପୃଥିବୀ ଓ ସ୍ୱର୍ଗର ସାର

ଜୀବନ-ମନ୍ତ୍ର

ପ୍ରତିବର୍ଷ ଅକ୍ଷୟତୃତୀୟା ଦିନଠାରୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ତିନିଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ‘ନନ୍ଦିଘୋଷ’, ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ରଥର ନାମ ‘ତାଳଧ୍ୱଜ’ ଏବଂ ଦେବୀ ସୁଭଦ୍ରାଙ୍କ ରଥର ନାମ ‘ଦେବଦଳନ’। ଏହାର ଅନ୍ୟନାମ ‘ଦର୍ପଦଳନ’। ଏହି ରଥରେ ଶ୍ରୀସୁଦର୍ଶନ ବିରାଜମାନ କରନ୍ତି।

ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ବିଗ୍ରହ ଦାରୁ ବା ନିମ୍ବକାଠରେ ନିର୍ମିତ। ସେହିପରି, ଏହି ତିନି ରଥ ମଧ୍ୟ ମୁଖ୍ୟତଃ କାଠରେ ହିଁ ନିର୍ମିତ ହୋଇଥାଆନ୍ତି। ଏହି ରଥକାଠ ନିମନ୍ତେ ବୃକ୍ଷ ଛେଦନ ପୂର୍ବରୁ ପାରମ୍ପରିକ ବିଧି ଅନୁସାରେ ବନଦୁର୍ଗାଙ୍କୁ ପୂଜା କରାଯିବା ସହିତ ଯଜ୍ଞ ମଧ୍ୟ କରାଯାଇଥାଏ।

କାଠରେ ରଥର ନିର୍ମାଣ କରାଯିବା ଏକ ପ୍ରାଚୀନ ଓ ପାରମ୍ପରିକ ବିଧି। ଏ ଦୃଷ୍ଟିରୁ ଋକ୍‌ବେଦ ସଂହିତାର ଗୋଟିଏ ମନ୍ତ୍ରରେ ରଥକୁ ‘ବନସ୍ପତି’ ବୋଲି ସମ୍ବୋଧନ କରାଯାଇଛି। ସେଥିରେ କୁହାଯାଇଛି, “ହେ ଯଜ୍ଞର ପୁରୋହିତଗଣ! ଆପଣମାନେ ପୃଥ୍ୱୀ ଓ ସୂର୍ଯ୍ୟାଲୋକରୁ ଗ୍ରହଣ କରାଯାଇଥିବା ତେଜକୁ, ବନସ୍ପତିଠାରୁ ନେଇଥିବା ବଳକୁ, ଜଳରୁ ପ୍ରାପ୍ତ ପରାକ୍ରମଯୁକ୍ତ ରସକୁ ସବୁଦିଗରୁ ନିୟୋଜିତ କରାନ୍ତୁ। ସୂର୍ଯ୍ୟକିରଣ ଦ୍ୱାରା ଆଲୋକିତ, ବଜ୍ରସମାନ ସୁଦୃଢ଼ ରଥକୁ ଯଜନ କାର୍ଯ୍ୟରେ ସମର୍ପିତ କରାନ୍ତୁ।” ରଥ ଆରୋହଣ କରିବା ସମୟରେ, ଏହି ମନ୍ତ୍ରପାଠ କରାଯିବାର ବିଧି ଅଛି।

ଏହି ମନ୍ତ୍ରର ବିଶେଷତ୍ୱ ହେଉଛି- ଏଥିରେ ରଥକୁ ପୃଥିବୀ ଓ ସ୍ୱର୍ଗର ସାର ବୋଲି କୁହାଯାଇଛି। କାରଣ ବନସ୍ପତି ବା ବୃକ୍ଷ ସ୍ୱର୍ଗର ସାର ଜଳ ଏବଂ ପୃଥିବୀର ସାର ମୃତ୍ତିକା ଦ୍ୱାରା ପରିବର୍ଦ୍ଧିତ ହୋଇଥାଏ। ରଥ ବନସ୍ପତି (ବୃକ୍ଷର କାଠ)ଦ୍ୱାରା ନିର୍ମିତ ହୁଏ। ଏଣୁ ଏହା ପୃଥିବୀ ଓ ସ୍ୱର୍ଗର ସାର। ଋକ୍‌ବେଦ ସଂହିତାରେ ରଥ ଉଦ୍ଦେଶ୍ୟରେ ହବି ବା ଆହୁତି ପ୍ରଦାନ କରାଯିବାର କଥା ମଧ୍ୟ କୁହାଯାଇଛି। ଏଣୁ ଭାରତୀୟ ପରମ୍ପରାରେ ରଥ କେବଳ ସ୍ତୁତି କରାଯାଉଥିବା ଦେବତା ନୁହନ୍ତି; ରଥ ମଧ୍ୟ ହବି ଗ୍ରହଣ କରୁଥିବା ଦେବତା।

ସମ୍ବନ୍ଧିତ ଖବର