ଗୋଟିଏ ମାସରେ ଦୁଇଟି ପକ୍ଷ ଓ ପ୍ରତ୍ୟେକ ପକ୍ଷରେ ୧୫ଟି ତିଥି ଥାଏ। କିନ୍ତୁ ବେଳେବେଳେ ପାଞ୍ଜିରେ କୌଣସି ତିଥି କ୍ଷୟ ବୋଲି ଲେଖାଥାଏ। ପୁଣି ଅନ୍ୟ କେତେବେଳେ ତିଥିର ବୃଦ୍ଧି ହୋଇ ତାହା ପରଦିନକୁ ଯାଇଥାଏ। ଏଭଳି କ୍ଷୟବୃଦ୍ଧି କାରଣରୁ ପର୍ବପର୍ବାଣି, ବ୍ରତ, ଉପବାସ ପାଳନର ଦିନ ମଧ୍ୟ ଆଗ-ପଛ ହୁଏ। ମନରେ ପ୍ରଶ୍ନ ଉଠେ ଏଭଳି ହୁଏ କାହିଁକି?
ଆମେ ଜାଣୁ, ଯେ ପୃଥିବୀ ଓ ଚନ୍ଦ୍ର ଉଭୟ ଗତିଶୀଳ। ଉଭୟ ନିଜ ନିଜର ଅକ୍ଷ ଚାରିପଟେ ନଟୁ ପରି ଘୂରିବା ସହିତ ପୃଥିବୀ ସୂର୍ଯ୍ୟ ଚାରିପଟେ ଏବଂ ଚନ୍ଦ୍ର ପୃଥିବୀ ଚାରିପଟେ ପରିକ୍ରମଣ କରୁଥାନ୍ତି।
ପୃଥିବୀର ନିଜ ଅକ୍ଷ ଚାରିପଟେ ଘୂର୍ଣ୍ଣନକୁ ନେଇ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ହୁଏ ଏବଂ ଗୋଟିଏ ସୂର୍ଯ୍ୟୋଦୟଠାରୁ ପରବର୍ତ୍ତୀ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟକୁ ଆମେ ଗୋଟିଏ ଦିନ ବୋଲି ଗଣନା କରୁ। ମାସକରେ ଏହିପରି ୩୦ ଦିନ ରହେ। ମାତ୍ର ମାସକରେ ରହୁଥିବା ଦୁଇଟି ପକ୍ଷ ଓ ୩୦ଟି ତିଥିର ଗଣନା ଚନ୍ଦ୍ରଙ୍କ ଗତି ଓ ସୂର୍ଯ୍ୟଙ୍କ ସ୍ଥିତିକୁ ନେଇ ହୋଇଥାଏ। ଚନ୍ଦ୍ର ପୃଥିବୀ ଚାରିପଟେ ୩୬୦ ଡିଗ୍ରୀ ଗତିପଥ ପ୍ରାୟ ୩୦ ଦିନରେ ପରିକ୍ରମଣ କରେ। ଅତଏବ ଗୋଟିଏ ତିଥିରେ ଚନ୍ଦ୍ର ତାର ପରିକ୍ରମଣ ପଥର ୧୨ ଡିଗ୍ରୀ ଅତିକ୍ରମ କରିଥାଏ। ମାତ୍ର ଅମାବାସ୍ୟା, ପୂର୍ଣ୍ଣିମା ଓ ଚନ୍ଦ୍ରକଳାର ହ୍ରାସବୃଦ୍ଧି ଆଦି ଚନ୍ଦ୍ର ଓ ପୃଥିବୀର ଗତିଛଡ଼ା ସୂର୍ଯ୍ୟର ସ୍ଥିତି ସହ ମଧ୍ୟ ସଂପୃକ୍ତ। ଏଣୁ ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟର ଗତି ଓ ସ୍ଥିତିକୁ ନେଇ ଚନ୍ଦ୍ରର ୧୨ ଡିଗ୍ରୀ ପରିକ୍ରମଣ ଅନୁସାରେ ତିଥିର ହିସାବ କରାଯାଏ। ଏହି ହିସାବରେ ତିଥିର ଅବଧି ସୌର ଦିବସର ଅବଧିଠାରୁ କମ୍ ବା ବେଶୀ ହୋଇଥାଏ। ତିଥିର ଆରମ୍ଭ କେତେବେଳେ ସୂର୍ଯ୍ୟୋଦୟ ପୂର୍ବରୁ ହୁଏତ ତ କେତେବେଳେ ସୂର୍ଯ୍ୟୋଦୟ ପରେ।
ଯଦି କୌଣସି ତିଥି ସୂର୍ଯ୍ୟୋଦୟ ପରେ ଆରମ୍ଭ ହୋଇ ପରଦିନ ସୂର୍ଯ୍ୟୋଦୟ ପୂର୍ବରୁ ଶେଷ ହୁଏ ତେବେ ସେହି ତିଥିର କ୍ଷୟ ହୋଇଛି ବୋଲି କୁହାଯାଏ। ସେହିପରି ଗୋଟିଏ ତିଥି ଯଦି ସୂର୍ଯ୍ୟୋଦୟ ପୂର୍ବରୁ ଆରମ୍ଭ ହୋଇ ପରବର୍ତ୍ତୀ ସୂର୍ଯ୍ୟୋଦୟ ପରେ ଶେଷ ହୁଏ ତେବେ ସେହି ତିଥିର ବୃଦ୍ଧି ହୋଇଛି ବୋଲି କୁହାଯାଏ।
ତିଥି ଗଣନାକୁ ସୂର୍ଯ୍ୟୋଦୟ ସହ ମିଳାଇ ସଂପୃକ୍ତ ତିଥିର ପର୍ବପର୍ବାଣି, ବ୍ରତ, ଉପବାସ ଆଦି ପାଳିତ ହେଉଥିବାରୁ, ବେଳେବେଳେ ପର୍ବପର୍ବାଣି ପାଳନର ଦିନଗୁଡ଼ିକ ଆଗ-ପଛ ହୁଏ।
ଅନେକ ସମୟରେ ଆମେ ଦେଖୁ, ଯେ ସ୍ମାର୍ତ୍ତ ମତରେ ଏକାଦଶୀ ଗୋଟିଏ ଦିନ ପାଳିତ ହେଉଥିବା ବେଳେ, ବୈଷ୍ଣବ ମତରେ ଏକାଦଶୀ ତା’ ପରଦିନ ପାଳିତ ହୁଏ। ଏହାର କାରଣ, ବୈଷ୍ଣବମାନେ ଦଶମୀ-ବିଦ୍ଧା ତିଥିରେ ଏକାଦଶୀର ପାଳନ କରନ୍ତି ନାହିଁ। କୌଣସି ଏକାଦଶୀ ତିଥି ଅରୁଣୋଦୟ ପରେ ଆରମ୍ଭ ହେଉଥିଲେ, ସେହିଦିନ ଆରମ୍ଭରୁ କିଛି ସମୟ ଦଶମୀ ରହେ। ଏଣୁ ବୈଷ୍ଣବମାନେ ସେଦିନ ଏକାଦଶୀ ପାଳନ ନ କରି ପରଦିନ ପାଳନ କରନ୍ତି।