ଶ୍ରୀଜଗନ୍ନାଥଙ୍କ ଦୋଳଉତ୍ସବ ଶ୍ରୀମନ୍ଦିର ପରିଭାଷାରେ ‘ଚାଚେରୀ ଲୀଳା’। ଏହା ଏକ ବସନ୍ତକାଳୀନ ଉତ୍ସବ। ଏହି ଅବସରରେ ଫାଲଗୁନ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କର ‘ଚାଚେରୀ ବେଶ’ ଅନୁଷ୍ଠିତ ହୁଏ। ଏହି ବେଶରେ ଠାକୁରମାନେ ମୁଖ୍ୟତଃ ଲାଲରଙ୍ଗର ପାଟବସ୍ତ୍ର ପିନ୍ଧନ୍ତି। ‘ଚାଚେରୀ’ର ମୂଳ ସଂସ୍କୃତ ‘ଚର୍ଚ୍ଚରୀ’। ଏହା ଫାଲଗୁନ ପୂର୍ଣ୍ଣମୀ ବା ଦୋଳପୂର୍ଣ୍ଣମୀ ଅବସରରେ ଅନୁଷ୍ଠିତ ଆନନ୍ଦ ଉତ୍ସବ। ଏହାର ମୁଖ୍ୟ ଆଧାର- ରାଧାକୃଷ୍ଣ ଲୀଳାର ବସନ୍ତ ରାସ। କିନ୍ତୁ ଶ୍ରୀମନ୍ଦିରର ଏହି ଦୋଳଯାତ୍ରା ସ୍ୱତନ୍ତ୍ର। ଏହା ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଗୋଟିଏ ଏବଂ ସାତଦିନ ଧରି ଅନୁଷ୍ଠିତ ହୁଏ। ପୂର୍ଣ୍ଣିମାର ପାଞ୍ଚଦିନ ପୂର୍ବରୁ ଏହା ଆରମ୍ଭ ହୋଇ ପୂର୍ଣ୍ଣିମା ପରଦିନ, ଅର୍ଥାତ୍ ଚୈତ୍ର କୃଷ୍ଣ ପ୍ରତିପଦରେ ଶେଷ ହୁଏ। ଏଥିରେ ‘ଶ୍ରୀଦେବୀ’ ଓ ‘ଭୂଦେବୀ’ଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ‘ଦୋଳଗୋବିନ୍ଦ’ ଅଂଶଗ୍ରହଣ କରିଥାନ୍ତି।
ଏହି ଦୋଳଯାତ୍ରା ବା ଚାଚେରୀ ଲୀଳାର ପ୍ରାଚୀନ ପ୍ରମାଣ ‘ମାଦଳା ପାଞ୍ଜି’ରୁ ମିଳେ। ସେଥିରୁ ସୂଚିତ, ଯେ ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ଏହି ଉତ୍ସବ ଅନୁଷ୍ଠିତ ହେଉଥିଲା। ସେତେବେଳେ ଶ୍ରୀମନ୍ଦିରର ରତ୍ନବେଦୀରେ ବିରାଜିତ ଦାରୁବିଗ୍ରହ ଦୋଳଯାତ୍ରାରେ ଶ୍ରୀମନ୍ଦିର ବାହାରର ଦୋଳବେଦୀକୁ ଯାଉଥିଲେ। ‘ମାଦଳା ପାଞ୍ଜି’ରେ ବର୍ଣ୍ଣିତ ଅଛି- ଗଉଡ଼ିଆ ଗୋବିନ୍ଦ ଦେବ ରାଜା ହେଲେ ଦୁଇବର୍ଷ। ଶ. ୧୪୮୩ ପର୍ଯ୍ୟନ୍ତ। ଏ ରାଜାଙ୍କ ଦିନରେ ଦୋଳବେଦୀ ଉପରେ ଦୋଳି ଛିଡ଼ିପଡ଼ିଲା। ବଡ଼ଠାକୁରଙ୍କ ଭୁଜ ଭାଙ୍ଗିଗଲା। ଦେଉଳ ଭିତରେ ବିଜେ କଲା ଉତ୍ତାରୁ ବିଗ୍ରହ ନିର୍ମାଣ, ମହାସ୍ନାନ ହୋଇ ଏହିଠାରୁ ଦୋଳଯାତ୍ରାକୁ ଦୋଳଗୋବିନ୍ଦ ବିଜେ ହେଲେ। ଏହା ସୂଚାଏ, ଯେ ଏହା ୧୫୭୩ ଖ୍ରୀଷ୍ଟାବ୍ଦର କଥା। ଷୋଡ଼ଶ ଶତାବ୍ଦୀର ବୈଷ୍ଣବ କବି ଶରଣ ଦାସଙ୍କ ‘ଚାଚେରୀ ଲୀଳା’ରେ ଶ୍ରୀଜଗନ୍ନାଥଙ୍କର ଏହି ବସନ୍ତୋତ୍ସବର ସୁନ୍ଦର ବର୍ଣ୍ଣନା ଅଛି। ଏହା ଏକ ଗଦ୍ୟ-ପଦ୍ୟ ମିଶ୍ରିତ ରଚନା। ସପ୍ତଦଶ ଶତାବ୍ଦୀର କବି ଦେବଦୁର୍ଲଭ ଦାସ ମଧ୍ୟ ଏହାର ବର୍ଣ୍ଣନା କରି ଲେଖିଛନ୍ତି, “ଚାଚେରୀ ଗହଳ ସଖି ଗୋବିନ୍ଦଙ୍କ ଦୋଳ / ସର୍ବସୁଖ ଘେନିଗଲେ ମଦନ ଗୋପାଳ।”