ହାତୀ ଗୋଟିଏ ସ୍ଥଳଚର ବିରାଟକାୟ ପ୍ରାଣୀ। କଇଁଛ ଏକ ଜଳ ଓ ସ୍ଥଳଚର କ୍ଷୁଦ୍ର ଜୀବ। ଏ ଦୁହିଁଙ୍କ ମଧ୍ୟରେ ଯୁଦ୍ଧର ଅବକାଶ ନାହିଁ। କିନ୍ତୁ ସେପରି ଗୋଟିଏ କୌତୂହଳ ଉଦ୍ଦୀପକ ଯୁଦ୍ଧ ଉପାଖ୍ୟାନ ‘ମହାଭାରତ’ରେ ଅଛି। ସେଥିରେ ପୁଣି ହାତୀ ସାନଭାଇ ଓ କଇଁଛ ବଡ଼ଭାଇ।
ଉପାଖ୍ୟାନଟିର ନାଆଁ, ‘ଗଜ-କଚ୍ଛପ ଯୁଦ୍ଧ’। ସେହି ଉପାଖ୍ୟାନଟି ଏହିପରି। 
ବିଭାବସୁ ନାମରେ ଥିଲେ ଜଣେ କ୍ରୋଧୀ ମହର୍ଷି। ତାଙ୍କ ସାନଭାଇ ସୁପ୍ରତିଭ। ପିତୃଧନର ଭାଗ ବାଣ୍ଟିବାପାଇଁ ସୁପ୍ରତିଭ ବାରମ୍ବାର କହିବାରୁ, ବିଭାବସୁ ଅତ୍ୟନ୍ତ କ୍ରୋଧିତ ହେଲେ। ତୁ ହାତୀ ହୋଇଯା’ ବୋଲି ସାନଭାଇକୁ ଅଭିଶାପ ଦେଲେ। ତାହା ଶୁଣି ସୁପ୍ରତିଭ ବି ବଡ଼ଭାଇକୁ ଅଭିଶାପ ଦେଇ କହିଲା- ତୁମେ କଇଁଛ ହେଇଯାଅ। 
କିନ୍ତୁ କଥା ସେତିକିରେ ସରିଲା ନାହିଁ। ଦୁଇ ଭାଇଙ୍କ ଭିତରେ ଦେବ ସରୋବରରେ ଘୋର ଯୁଦ୍ଧ ହେଲା। ସେହି ଯୁଦ୍ଧ ଦୀର୍ଘକାଳ ଧରି ଚାଲିଲା। ସେଥିରେ ଦେବସରୋବର ପଙ୍କ ପାଲଟି ଗଲା। ଫଳରେ, ବିବ୍ରତ ହୋଇ ଦେବତାମାନେ ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ।
ସେହି ସମୟରେ ଆଉ ଗୋଟିଏ ଘଟଣା ଘଟିଥିଲା। ଅମୃତ  ପାଇଁ ଉଡ଼ିଉଡ଼ି ଗରୁଡ଼ ଅତ୍ୟନ୍ତ କ୍ଷୁଧାର୍ତ୍ତ ହୋଇଥିଲେ। ତେଣୁ ପିତା କଶ୍ୟପ ଉଭୟ ଗଜ ଓ କଚ୍ଛପଙ୍କୁ ଖାଇ କ୍ଷୁଧା ମେଣ୍ଟାଇବା ନିମନ୍ତେ ତାଙ୍କୁ କହିଲେ। ଫଳରେ ଗରୁଡ଼ ଗଜ ଓ କଚ୍ଛପ ଦୁହିଁଙ୍କୁ ସେଠାରୁ ଉଠାଇ ନେଇ ଖାଇଦେଲେ। ଯୁଦ୍ଧର ଅବସାନ ଘଟିଲା।
ପ୍ରକୃତ କଥା ହେଉଛି, ଏହି ଗଜ ଓ କଚ୍ଛପ ନିଜର ପୂର୍ବ ଜନ୍ମରେ ଥିଲେ ଦୁଇ ଗନ୍ଧର୍ବ। ସେମାନେ ଗଜ ଓ କଚ୍ଛପ ହେବା ପାଇଁ ଅଭିଶାପ ପାଇଥିଲେ। ଗରୁଡ଼ ସେମାନଙ୍କୁ ଭକ୍ଷଣ କରିବାରୁ ସେହି ଅଭିଶାପ କଟିଗଲା। ସେମାନେ ନିଜ ନିଜର ପୂର୍ବ ରୂପ ଫେରିପାଇଲେ ଏବଂ ଗରୁଡ଼ଙ୍କୁ ପ୍ରଣାମ କରି ସ୍ୱର୍ଗଲୋକକୁ ଗଲେ।
କିନ୍ତୁ ଜନସମାଜ ପାଇଁ ଏହି ଉପାଖ୍ୟାନର ନିର୍ଦ୍ଦିଷ୍ଟ ବାର୍ତ୍ତା ଅଛି। ତାହା ହେଉଛି- ପୈତୃକ ସଂପତ୍ତି ପାଇଁ ଭାଇ-ଭାଇ ନିଜ ଭିତରେ କଳହ ଓ ଯୁଦ୍ଧ କଲେ, ପରିଣତିରେ ଉଭୟଙ୍କର ନିଧନ ଅନିବାର୍ଯ୍ୟ।