ଅନ୍ୟାନ୍ୟ ଦେବୀପୀଠ ପରି ଝଙ୍କଡ଼ର ମା’ ଶାରଳାଙ୍କ ପୀଠରେ ମଧ୍ୟ ଶାରଦୀୟ ଦୁର୍ଗାପୂଜା ବିଧିମତେ ଅନୁଷ୍ଠିତ ହୁଏ। ଏହା ‘ଶାରଦୀୟ ମହାପୂଜା’ ଭାବରେ କଥିତ ହୋଇଥାଏ। ଏ ସଂପର୍କରେ ଉଲ୍ଲେଖ ଅଛି, “ଆଶ୍ୱିନ ମାସ ଶୁକ୍ଳପକ୍ଷ ଅଷ୍ଟମୀ ପରିଯନ୍ତେ / ଉଛବ ବିଧାନ କରିବ ଅର୍ଚ୍ଚନା କରି ନିତ୍ୟେ।” କିଂବଦନ୍ତି ଅଛି, ଯେ ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ଆଦିକବି ସାରଳା ଦାସ, କନ୍ୟାମାସ ଶୁକ୍ଳପକ୍ଷ ଦଶମୀ ଅର୍ଥାତ୍ ଦଶହରା ରାତିରେ ଏହି ଦେବୀଙ୍କର କୃପାଲାଭ କରିଥିଲେ।
‘ଶ୍ରୀଚଣ୍ଡୀପୁରାଣ’ର ଏକ ଉଲ୍ଲେଖ ଏ ପ୍ରସଙ୍ଗରେ ବିଶେଷ ଗୁରୁତ୍ୱପୂର୍ଣ୍ଣ। ସେଥିରେ ଉଲ୍ଲେଖ ଅଛି, “ଅହୋ କନ୍ୟାମାସ ଶୁକ୍ଳ ପକ୍ଷ ଦଶମୀ ଅପରାଜିତେ / ରାତ୍ରେଣ ସ୍ତ୍ରୀ ଏକ ଭେଟିଲା ଆସି ମୋତେ। / ତୁଳସୀ ମାଳା ଗୋଟିଏ ମୋହର ହୃଦେ ଦେଇ / ୟେ ଶାସ୍ତ୍ରକଥା ମୋତେଣ ବସି କହି।” ଏହି ଶାରଳା ଦେବୀ ‘ସାରୋଳ ଚଣ୍ଡୀ’ ଓ ‘ସାରଦା (ଶାରଦା) ଠାକୁରାଣୀ’ ନାମରେ ମଧ୍ୟ କଥିତ ହୁଅନ୍ତି। ସାରୋଳ ଚଣ୍ଡୀ ଶାକ୍ତତନ୍ତ୍ର ବିଧିରେ ମାହେଶ୍ୱରୀ ଶିବା ଭାବେ ଉପାସିତା ହେଉଥିବା ବେଳେ, ସାରଦା ବା ଶାରଦା ଠାକୁରାଣୀ ବୈଷ୍ଣବୀ ବାକ୍ଦେବୀ ବା ସରସ୍ୱତୀ ଭାବରେ ଉପାସିତା ହୁଅନ୍ତି। ତାଙ୍କ କୃପାରେ ସାରଳା (ବା ସାରୋଳ) ଦାସ କବି ହେବା ତାଙ୍କର ଶାରଦାତ୍ୱ ପ୍ରତିପାଦିତ କରିଥାଏ।
ସାରୋଳ ଚଣ୍ଡୀ ଶାକ୍ତତନ୍ତ୍ର ବିଧିରେ ମାହେଶ୍ୱରୀ ଶିବା ଭାବେ ଉପାସିତା ହେଉଥିବା ବେଳେ, ସାରଦା ବା ଶାରଦା ଠାକୁରାଣୀ ବୈଷ୍ଣବୀ ବାକ୍ଦେବୀ ବା ସରସ୍ୱତୀ ଭାବରେ ଉପାସିତା ହୁଅନ୍ତି।
ଏହି ଦେବୀଙ୍କର ବିଗ୍ରହ ଏକ ନାତିଦୀର୍ଘ ଅଷ୍ଟଭୁଜା ସିଂହବାହିନୀ ମହିଷମର୍ଦ୍ଦିନୀ ବିଗ୍ରହ। ଏକ ଆୟତାକାର ମସୃଣ ଶିଳା ଉପରେ ଏହା ଖୋଦିତ। ଏଠାରେ ମହିଷାସୁରର ମସ୍ତକ ଦୈତ୍ୟର ଏବଂ ଶରୀର ଦାନବର। ଦେବୀଙ୍କର ଦକ୍ଷିଣପାଦ ସିଂହ ଉପରେ ରହିଛି। ସେ ଦୈତ୍ୟର ମସ୍ତକକୁ ଗୋଟିଏ ହସ୍ତରେ ଚାପି ଧରି ଅନ୍ୟ ହସ୍ତର ତ୍ରିଶୂଳରେ ଦୈତ୍ୟର ବକ୍ଷଭେଦ କରୁଛନ୍ତି। ତାଙ୍କର ଚକ୍ଷୁ ଅର୍ଦ୍ଧନିମୀଳିତ ଓ ଶ୍ରୀମୁଖ ସୌମ୍ୟ। ଦେବୀ ନିମ୍ନ ଦୁଇହସ୍ତରେ ବୀଣା ଓ ପୁସ୍ତକ ଧାରଣ କରିଛନ୍ତି। ଏଣୁ ପାରମ୍ପରିକ ଭାବରେ ଶାରଳା ଉତ୍କଳର ବାଗ୍ଦେବୀ ଭାବରେ ସ୍ୱୀକୃତ ହୋଇ ଆସିଛନ୍ତି। କବିବର ରାଧାନାଥ ରାୟ ତାଙ୍କ ‘ମହାଯାତ୍ରା’ କାବ୍ୟର ଆରମ୍ଭରେ ମଧ୍ୟ ତାଙ୍କୁ ‘ପଙ୍କଜବାସିନୀ ଦେବୀ ଉତ୍କଳ ଭାରତୀ’ ବୋଲି କହିଛନ୍ତି।