ଦେବୀ ଲକ୍ଷ୍ମୀଙ୍କର ଅନ୍ୟନାମ ‘ଶ୍ରୀ’। ତାଙ୍କର ଈଶ ବା ସ୍ୱାମୀ ହେଉଛନ୍ତି ‘ଶ୍ରୀଶ’ ବା ନାରାୟଣ। ଶ୍ରୀ ବା ଲକ୍ଷ୍ମୀ ସାଗର ମନ୍ଥନରୁ ଊଦ୍ଭୂତା ହୋଇଥିଲେ। ତା’ପରେ ସେ ବିଷ୍ଣୁଙ୍କର ପତ୍ନୀ ହେଲେ। ତାଙ୍କର ସ୍ୱାମୀ ଭାବରେ ବିଷ୍ଣୁଙ୍କର ନାମ ହେଲା ‘ଶ୍ରୀ-ଈଶ’- ‘ଶ୍ରୀଶ’।
‘ଋଗ୍‌ବେଦ’ର ପଞ୍ଚମ ମଣ୍ଡଳର ଅନ୍ତିମ ଭାଗରେ ଥିବା ପନ୍ଦରଟି ମନ୍ତ୍ର ‘ଶ୍ରୀସୂକ୍ତ’ ରୂପେ ଖ୍ୟାତ। ସେଥିରେ ଦେବୀ ଲକ୍ଷ୍ମୀଙ୍କର ବର୍ଣ୍ଣନା ଓ ବନ୍ଦନା କରାଯାଇଛି। ଲକ୍ଷ୍ମୀ ଯେ ବିଷ୍ଣୁଙ୍କର ଶକ୍ତି, ସେ ସଂପର୍କରେ ତାହା ପ୍ରଥମ ଉଲ୍ଲେଖ। ଲକ୍ଷ୍ମୀ ପ୍ରସନ୍ନା ହେବାପାଇଁ ସେଥିରେ ଲକ୍ଷ୍ମୀପତିଙ୍କୁ ପ୍ରାର୍ଥନା କରାଯାଇଛି।
‘ଶ୍ରୀସୂକ୍ତ’ର ପ୍ରଥମ ମନ୍ତ୍ରରେ କୁହାଯାଇଛି- ହେ ଲକ୍ଷ୍ମୀପତି! ଆପଣ ସେହି ଲକ୍ଷ୍ମୀଙ୍କୁ ମୋର ଅଭିମୁଖୀ କରାନ୍ତୁ, ଯିଏ ହିତୈଷିଣୀ ଏବଂ ରମଣୀୟା। ସେ ସମସ୍ତ ପାପର ବିନାଶକାରିଣୀ। ସେ ମାଲ୍ୟ ଓ ଆଭୂଷଣରେ ଭୂଷିତା ଏବଂ ସ୍ୱର୍ଣ୍ଣାଦି ସମସ୍ତ ସମ୍ପତ୍ତିର ଅଧିକାରିଣୀ।
ସେହିପରି, ‘ଶ୍ରୀସୂକ୍ତ’ର ଦ୍ୱିତୀୟ ମନ୍ତ୍ରରେ କୁହାଯାଇଛି- ହେ ଲକ୍ଷ୍ମୀପତି! ଆପଣଙ୍କର ନିତ୍ୟ ସହଚରୀ ଏବଂ ଭକ୍ତଙ୍କ ପ୍ରତି ସତତ ଅନୁରାଗିଣୀ ଲକ୍ଷ୍ମୀଙ୍କୁ ଆପଣ ମୋର ଅଭିମୁଖୀ କରାନ୍ତୁ। ତାଙ୍କର ସାନ୍ନିଧ୍ୟରେ ମୂଲ୍ୟବାନ ଧାତୁ ଆଦି ସଂପତ୍ତି, ଗୋ, ଅଶ୍ୱ ଆଦି ପଶୁଧନ ଏବଂ ପୁତ୍ର ଆଦି ପରିଜନ ପ୍ରାପ୍ତ ହୁଅନ୍ତି।
‘ଶ୍ରୀସୂକ୍ତ’ର ଏହି ଦୁଇ ଆଦ୍ୟ ଶ୍ଳୋକ ‘ଶ୍ରୀ’ ବା ଲକ୍ଷ୍ମୀଙ୍କ ସହିତ ‘ଶ୍ରୀଶ’ ବା ବିଷ୍ଣୁଙ୍କର ଘନିଷ୍ଠତା ସୂଚାଏ।
ଐତିହାସିକ ତଥ୍ୟ କହେ, ଯେ ଆମ ଦେଶରେ ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀର ସନ୍ଥ ରାମାନୁଜଙ୍କ ସମୟରୁ, ବିଷ୍ଣୁଶକ୍ତି ଭାବରେ ଦେବୀ ଲକ୍ଷ୍ମୀଙ୍କର ଉପାସନା ବିଶେଷ ଲୋକପ୍ରିୟତା ଲାଭ କରି ଆସିଛି। ବିଶେଷକରି, ମାର୍ଗଶିର ମାସ ହେଉଛି ଲକ୍ଷ୍ମୀପୂଜାର ବିଶେଷ ମାସ। ଏହି ମାସର ଗୁରୁବାରଗୁଡ଼ିକରେ ଘରେ ଘରେ ଦେବୀ ଲକ୍ଷ୍ମୀ ପୂଜା ପାଆନ୍ତି। ତେବେ ଅନ୍ୟ ସବୁ ମାସର ଗୁରୁବାରଗୁଡ଼ିକ ମଧ୍ୟ ଲକ୍ଷ୍ମୀଙ୍କର ପ୍ରିୟ ଏବଂ ଲକ୍ଷ୍ମୀପୂଜା ପାଇଁ ପ୍ରଶସ୍ତ।