ଲାଉ ତୁମ୍ବାରେ ଲାଇଟ୍‌ ଲ୍ୟାମ୍ପ୍‌

ଲାଉ ତୁମ୍ବାରେ ଲାଇଟ୍‌ ଲ୍ୟାମ୍ପ୍‌। ଅଡ଼ୁଆ ଲାଗୁଥିଲେ ହେଁ ଏକ ସ୍ବତନ୍ତ୍ର ଲାଉରେ ଲ୍ୟାମ୍ପ୍‌ ପ୍ରସ୍ତୁତ କରିଛନ୍ତି ସୂରଜ ବିଶ୍ବକର୍ମା। ନିକଟରେ ଏକ ମେଳାରେ ବିକ୍ରି ହେଉଥିବା ଏହି ଲ୍ୟାମ୍ପ୍‌ ‌କଳାପ୍ରେମୀଙ୍କ ଆକର୍ଷଣ ପାଲଟିଥିଲା। ବାସ୍ତବରେ ଲାଉ ତୁମ୍ବା ଉପରେ ଖୋଦିତ ଛିଦ୍ରାକୃତି ଏହି ଲ୍ୟାମ୍ପ୍‌କୁ ଆକର୍ଷଣୀୟ କରିଛି। ବିଶେଷତ୍ବ ହେଉଛି ଏହା ଭିତରେ ବିଦ୍ୟୁତ ବଲ୍‌ବ ଜଳିଲେ ତାହା ଛିଦ୍ର ବାଟ ଦେଇ କାନ୍ଥରେ ଚିତ୍ର ଆଙ୍କି ଦେଉଛି। ବାସ୍ତବ କଥା ହେଉଛି, ଯିଏ ଯେଉଁ ଆକୃତିର ଛିଦ୍ର କଳାକୃତି ଚାହୁଁଛି ସୂରଜ ସେଇଭଳି ଲ୍ୟାମ୍ପ୍‌ ପ୍ରସ୍ତୁତ କରି ଦେବା ପାଇଁ ବଇନା ରଖୁଛନ୍ତି। ଯଦି କେହି ନିଜ ନାଁ’ ବି ଖୋଦେଇ କରି ଏହି ଲ୍ୟାମ୍ପ୍‌ ପ୍ରସ୍ତୁତ କରିବା ପାଇଁ ଅର୍ଡର ଦେଉଛନ୍ତି ତାହା ସେ ପ୍ରସ୍ତୁତ କରିପାରିବେ ବୋଲି କହିଛନ୍ତି। ଏହାର ଦାମ ୫୦୦ ଟଙ୍କାରୁ ନେଇ ୧୭୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସୂରଜଙ୍କ କହିବା ମୁତାବକ, ଏହା ସାଧାରଣ ଲାଉ ନୁହେଁ। ବରଂ ଏହି ଲାଉକୁ କେବଳ କଳାକୃତି ପାଇଁ ବ୍ୟବହାର କରାଯାଏ। ଏହା ପିତା ଲାଗୁଥିବାରୁ ଏହାକୁ ଖାଇ ହୁଏ ନାହିଁ। ତେବେ ପିତା ଯୋଗୁଁ ଏଥିରେ ପୋକ ମଧ୍ୟ ଲାଗନ୍ତି ନାହିଁ। ତେଣୁ ଏହା ଦୀର୍ଘଦିନ ପର୍ଯ୍ୟନ୍ତ ଘରେ ସାଇତି ହୁଏ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର