କରୋନା କାଳରେ ରେଡିଓ, ଟିଭି, ହ୍ବାଟସ୍ ଆପ୍ ସମେତ ‘ମଧୁ’, ‘ଦୀକ୍ଷା’, ‘ଇ-ପାଠଶାଳା’, ‘ସ୍ବୟଂ’, ‘ସ୍ବୟଂପ୍ରଭା’ ପରି ମୋବାଇଲ୍ ଆପ୍ ମାଧ୍ୟମରେ ପିଲାଙ୍କ ନିକଟରେ ଶିକ୍ଷା ପହଞ୍ଚାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟବସ୍ଥା କଲେ। ଏତେ ସବୁ ପରେ ବି ଅନ୍ଲାଇନ୍ ଶିକ୍ଷା ଏବେ ବି ଅପହଞ୍ଚ ପାଲଟିଛି। ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ନ ଥିବାରୁ କେଉଁଠି ଗଛ ଉପରେ ଚଢ଼ି ପିଲା ପଢ଼ିଛନ୍ତି ତ ଆଉ କେଉଁଠି ପାହାଡ଼, ପାଣିଟାଙ୍କି, ନଈ ପଠା ଭରସା ସାଜିଛି। ଗଞ୍ଜାମରୁ ଆରମ୍ଭ କରି ରାୟଗଡ଼ା, କୋରାପୁଟ, ସମ୍ବଲପୁର, ଖୋର୍ଧା, ମୟୂରଭଞ୍ଜ ସବୁଠି ଏଭଳି ଚିତ୍ର ସାମ୍ନାକୁ ଆସିଛି। ଲୋକଙ୍କ ପାଇଁ ଅଲୋଡ଼ା ହୋଇପଡ଼ିଥିବା ଦୂରଦର୍ଶନ, ରେଡିଓ ଏବର୍ଷ ଖୋଜା ପଡ଼ିଛି। ପିଲାଙ୍କ ନିକଟରେ ଶିକ୍ଷା ପହଞ୍ଚାଇବା ଲାଗି ଏହା ହିଁ ଏକମାତ୍ର ମାଧ୍ୟମ ସାଜିଛି। ଏପ୍ରିଲ ୨୦ରୁ ‘ଏଜୁସାଟ୍’ ଦ୍ୱାରା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟରେ ଶିକ୍ଷା ଦିଆଯାଉଛି। ପରବର୍ତୀ ସମୟରେ ଦ୍ବାଦଶ ଓ ନବମ ଶ୍ରେଣୀ ପିଲାଙ୍କ ଲାଗି ବ୍ୟବସ୍ଥା ହେଲା। ପ୍ରଥମରୁ ୮ମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ରେଡିଓ ମାଧ୍ୟମରେ ପଢ଼ାଯାଉଛି। ଏ କ୍ଷେତ୍ରରେ ‘ସମ୍ବାଦ’ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛି। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ବିଷୟରେ ଶିକ୍ଷା ଦିଆଯାଉଛି। ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ପାଠ୍ୟକ୍ରମ ପ୍ରତିଦିନ ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି।
ମହାବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ
ଏବର୍ଷ ରାଜ୍ୟର ୩ଟି ମହାବିଦ୍ୟାଳୟକୁ ଉନ୍ନତି କରାଯାଇ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଯାଇଛି। ବଲାଙ୍ଗୀରର ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟ ଓ କଟକସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବିଭିନ୍ନ ପଦରେ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ପୁରୀର ସତ୍ୟବାଦୀଠାରେ ପ୍ରତିଷ୍ଠା ହେବାକୁ ଥିବା ଓଡ଼ିଆ ବିଶ୍ବବିଦ୍ୟାଳୟ ଲାଗି ନକ୍ସା ପ୍ରସ୍ତୁତ ହୋଇଛି।
ଶ୍ରେଷ୍ଠ ଶହେରେ ଉତ୍କଳ
କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରକାଶିତ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାକୁ ନେଇ ଏଥର କିଛିଟା ଆଶ୍ବସ୍ତି ମିଳିଛି। ପ୍ରଥମ ଥର ଲାଗି ବିଶ୍ବବିଦ୍ୟାଳୟ ବର୍ଗରେ ଉତ୍କଳ ବିଶ୍ବବିଦ୍ୟାଳୟ ଶ୍ରେଷ୍ଠ ଶହେ ମଧ୍ୟରେ ପ୍ରବେଶ କରି ୯୬ତମ ସ୍ଥାନରେ ରହିଥିଲା। ‘ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ’ ବର୍ଗରେ ଏନ୍ଆଇଟି ରାଉରକେଲା, ସୋଆ ବିଶ୍ବବିଦ୍ୟାଳୟ, କିଟ୍ ବିଶ୍ବବିଦ୍ୟାଳୟ ଉପରକୁ ଉଠିଥିବା ବେଳେ ଆଇଆଇଟି ଭୁବନେଶ୍ବର ତଳକୁ ଖସିଥିଲା।
କରୋନା ବାଜିରେ ଶିକ୍ଷକକରୋନା ଲଢ଼େଇର ସମ୍ମୁଖ ଭାଗରେ ରହି ଶିକ୍ଷକ ଶିକ୍ଷୟିତ୍ରୀ ପ୍ରବାସୀଙ୍କ କଥା ବୁଝୁଥିଲେ। ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖିବାଠାରୁ ଆରମ୍ଭ କରି ଟିଏମ୍ସିରେ ସେମାନଙ୍କ ଦେଖାଶୁଣା କରିବା ପର୍ଯ୍ୟନ୍ତ। କୋଭିଡ୍ ସର୍ଭେ ପରି କାର୍ଯ୍ୟରେ ବି ନିୟୋଜିତ ହୋଇଥିଲେ। ପାଖାପଖି ୬ ମାସ ଧରି କାର୍ଯ୍ୟ କରିଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କଲେ ନାହିଁ। କାମ କରିବା ଭିତରେ କରୋନା କବଳରେ ପଡ଼ି ୨୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରାଣ ହରାଇଲେ।
ଚମକିଲେ ଓଡ଼ିଆ
ଜାନୁଆରି ୧୧ରେ ପ୍ରକାଶିତ ଭାରତୀୟ ଅର୍ଥନୀତି ସେବା(ଆଇଇଏସ୍) ପରୀକ୍ଷାରେ ଓଡ଼ିଶାର ଅଂଶୁମାନ କାମିଲା ସାରା ଦେଶରେ ଟପର୍ ହୋଇଥିଲେ। ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍)ରେ ଓଡ଼ିଆ ଛାତ୍ର ସୋଏବ୍ ଅଫ୍ତାବ୍ ଦେଶର ୧୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ୭୨୦ରୁ ୭୨୦ ମାର୍କ ରଖି ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ସୋଏବ୍ଙ୍କ ବ୍ୟତୀତ ଏହି ପରୀକ୍ଷାରେ ଭିନ୍ନକ୍ଷମ ବର୍ଗରେ ଶ୍ରେଷ୍ଠ ୧୦ ଜଣ ଛାତ୍ରୀଙ୍କ ମଧ୍ୟରେ ଓଡ଼ିଶାର ପ୍ରିୟଙ୍କା ସାହୁ ଓ ଛାତ୍ର ବର୍ଗରେ ଓଡ଼ିଶାର ଅନିମେଶ ଗିରି ୬୫୦ ନମ୍ବର ରଖି ଦ୍ବିତୀୟ ସ୍ଥାନରେ ଥିଲେ। ସିଭିଲ୍ ସର୍ଭିସ୍ ପରୀକ୍ଷାରେ ରାଉରକେଲାର ଝିଅ ସଂଜିତା ମହାପାତ୍ର ଦେଶର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଓଡ଼ିଶା ଲାଗି ଗୌରବ ଆଣିଥିଲେ। ଜେଇଇ ପରୀକ୍ଷାରେ ସୌରଭ ସୌମ୍ୟକାନ୍ତ ଦାସ ରାଜ୍ୟରେ ପ୍ରଥମ ହୋଇଥିଲେ।
ବିବାଦ, ବିଳମ୍ବ ମଧ୍ୟରେ ନୂଆ ମୁଖିଆ
ବାଦବିବାଦ ଓ ବିଳମ୍ବ ମଧ୍ୟରେ ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତ ହୋଇଛନ୍ତି। ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଭାର ମିଳିଥିବା ବେଳେ ପ୍ରଫେସର କିଶୋର ବାସାଙ୍କୁ ଉତ୍ତର ଓଡ଼ିଶା, ପ୍ରଫେସର ଅପରାଜିତା ଚୌଧୁରୀଙ୍କୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ପ୍ରଫେସର ଦୀନବନ୍ଧୁ ସାହୁଙ୍କୁ ଫକୀରମୋହନ, ପ୍ରଫେସର ଏନ୍. ନାଗରାଜୁଙ୍କୁ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଓ ପ୍ରଫେସର ପ୍ରଫୁଲ୍ଲ ମହାନ୍ତିଙ୍କୁ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଚୟନ କରାଯାଇଛି। ବର୍ଷ ଶେଷ ଆଡ଼କୁ ରେଭେନ୍ସା, ସମ୍ବଲପୁର, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ଓ ଭିସୁଟ୍ର ନୂତନ କୁଳପତି ଚୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/fhsfhsfhfshfshfshfsfshfshfshfsfsh.jpg)