ଜୀବନ ମନ୍ତ୍ର: ଭଗବାନ ଦତ୍ତାତ୍ରେୟ

ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି- ମାସମାନଙ୍କ ମଧ୍ୟରେ ମୁଁ ମାର୍ଗଶିର। ଅର୍ଥାତ୍‌, ମାର୍ଗଶିର ସ୍ୱୟଂ ପୁରୁଷୋତ୍ତମଙ୍କ ସ୍ୱରୂପ। ଏହାକୁ ଅଗ୍ରହାୟନ ମାସ ମଧ୍ୟ କୁହାଯାଏ। କାରଣ, ପୂର୍ବରୁ ମୃଗଶିରା ନକ୍ଷତ୍ର ଯୁକ୍ତ ମାସ ମାର୍ଗଶିରରୁ ବର୍ଷର ଆରମ୍ଭ ହେଉଥିଲା।

ଏହି ମାସରେ ଉତ୍ତର ଓ ଦକ୍ଷିଣ ଭାରତରେ ଭଗବାନ ବିଷ୍ଣୁଙ୍କର ଅଂଶାବତାର ଦତ୍ତାତ୍ରେୟଙ୍କର ଜନ୍ମୋତ୍ସବ ପାଳିତ ହୋଇଥାଏ। ଦତ୍ତାତ୍ରେୟ କର୍ଦମ ଋଷିଙ୍କ କନ୍ୟା ଅନସୂୟା ଓ ବ୍ରହ୍ମାଙ୍କପୁତ୍ର ଅତ୍ରିଙ୍କର ପୁତ୍ର। କଥିତ ଅଛି, ଋଷିକ ପର୍ବତରେ ମହର୍ଷି ଅତ୍ରି ବହୁବର୍ଷ ଧରି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ଗୋଟିଏ ପୁତ୍ରସନ୍ତାନ ପ୍ରାପ୍ତି ନିମିତ୍ତ ପ୍ରାର୍ଥନା କରି ତପସ୍ୟା କରିଥିଲେ। ସତୀ ଅନସୂୟା ମଧ୍ୟ ଏହି ତିନିଜଣଙ୍କୁ ପୁତ୍ର ଭାବରେ ପାଇବା ପାଇଁ କାମନା କରିଥିଲେ।
ବ୍ରହ୍ମାଙ୍କ ଅଂଶରୁ ଚନ୍ଦ୍ର, ଶିବଙ୍କ ଅଂଶରୁ ଦୁର୍ବାସା ଓ ବିଷ୍ଣୁଙ୍କ ଅଂଶରୁ ଦତ୍ତା ଜନ୍ମଗ୍ରହଣ କରିଥିଲେ। ଚନ୍ଦ୍ର ଓ ଦୁର୍ବାସା ନିଜ ନିଜର ଅଂଶ ଦତ୍ତାଙ୍କୁ ପ୍ରଦାନ କରି ନିଜ ନିଜ ପଥରେ ଚାଲିଯିବାରୁ, ଦତ୍ତାତ୍ରେୟ ସମସ୍ତ ଅଂଶ ଧାରଣ କରି ଦତ୍ତାତ୍ରେୟ ହେଲେ। ତିନି ଅଂଶ ଏକତ୍ର ହେବା ଫଳରେ ସେ ତିନି ମୁଣ୍ଡ, ଛଅ ହାତ, ଏକ ଶରୀର, ଦୁଇ ପାଦ ବିଶିଷ୍ଟ ରୂପ ହେଲେ। ତ୍ରିଦେବଙ୍କ ଅଂଶ ତାଙ୍କଠାରେ ଥିବାରୁ ସେ ମହାଜ୍ଞାନୀ ଆଦିଗୁରୁରେ ପରିଣତ ହେଲେ।

ଦତ୍ତାତ୍ରେୟଙ୍କ ଜନ୍ମର ଏକମାତ୍ର ଉଦ୍ଦେଶ୍ୟ ଥିଲା ସଂସାରରେ ବ୍ରହ୍ମଜ୍ଞାନର ପ୍ରଚାର ଓ ପ୍ରସାର। ‘ଅବଧୂତ ଗୀତା’ର ସେ ସ୍ରଷ୍ଟା। ରାଜା ଯଦୁଙ୍କୁ ସେ ତାଙ୍କର ଚବିଶ ଗୁରୁଙ୍କ ସଂପର୍କରେ ଯାହା କହିଛନ୍ତି, ତାହା ‘ଶ୍ରୀମଦ୍‌ଭାଗବତ’ର ଅନ୍ତରାତ୍ମା କହିଲେ ଅତ୍ୟୁକ୍ତି ହେବନାହିଁ। ଶୈବ, ବ୍ରାହ୍ମ ଓ ବୈଷ୍ଣବ ଏହି ତ୍ରିଶକ୍ତିଙ୍କର ପ୍ରତିଭାତ ରୂପ ଦତ୍ତାତ୍ରେୟ। ତେଣୁ ସେ ଛଅ ହାତରେ ଶଙ୍ଖ, ଚକ୍ର, ତ୍ରିଶୂଳ, ଅକ୍ଷମାଳ, କମଣ୍ଡଳୁ ଓ ଡମ୍ବରୁ ଧାରଣ କରିଥାନ୍ତି। ତାଙ୍କ ପାଖରେ ଥିବା ଚାରି କୁକୁର ଇଚ୍ଛା, ବାସନା, ଆଶା ଓ ତୃଷ୍ଣା ନିବାରକ ଚାରିବେଦ। ପଛରେ ଥିବା ଗାଭୀ ମାତା ଧରିତ୍ରୀଙ୍କର ପ୍ରତୀକ। ଧରିତ୍ରୀ ପଞ୍ଚଭୂତର ସମାହାର- ଯେଉଁମାନେ ଥିଲେ ଦତ୍ତାତ୍ରେୟଙ୍କର ଆଦି ଗୁରୁ। ଛଅ ହାତ ଯମ, ନିୟମ, ଶମ, ଦମ, ଦୟା ଓ ଶାନ୍ତିର ପ୍ରତୀକ। ଏକ ଉଦୁମ୍ବର (ଡିମିରିଗଛ) ବୃକ୍ଷର ଛାୟା ତାଙ୍କର ନିବାସ ସ୍ଥାନ। କଥିତ ଅଛି, ଗୁରୁ ଗୋରଖନାଥଙ୍କୁ ଚତୁରଙ୍ଗ ଯୋଗ ମାର୍ଗ (ଆସନ, ପ୍ରାଣାୟମ, ମୁଦ୍ରା ଓ ସମାଧି) ଦତ୍ତାତ୍ରେୟଙ୍କ ଉକ୍ତିରୁ ପ୍ରାପ୍ତ ହୋଇଥିଲା। ମାର୍ଗଶିର ପୂର୍ଣ୍ଣିମାକୁ ଦତ୍ତାତ୍ରେୟଙ୍କର ଜନ୍ମ ଦିବସ ଭାବରେ ପାଳନ କରାଯାଏ।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର