ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଅନୁଷ୍ଠିତ ହୁଏ ଶ୍ରୀଜଗନ୍ନାଥଙ୍କର ଶ୍ରୀଗୁଣ୍ଡିଚାଯାତ୍ରା। ଏହି ଯାତ୍ରାରେ ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧା  ବିଗ୍ରହ, ଅନ୍ୟମାନଙ୍କ ସହ ମିଶି ନବଦିନ ଯାତ୍ରାରେ ଯାଆନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର। ସେଠାରେ ସପ୍ତଦିବସର ରହଣି ପରେ, ବାହୁଡ଼ା-ଦଶମୀରେ  ଫେରିଆସନ୍ତି ଶ୍ରୀମନ୍ଦିରର ସିଂହଦ୍ୱାରକୁ। ପରିଶେଷରେ ତ୍ରୟୋଦଶୀ ତିଥିର ନୀଳାଦ୍ରି ବିଜେରେ ଏହି ସାମ୍ବତ୍ସରିକ ଉତ୍ସବର ପରିସମାପ୍ତି ଘଟେ।

Advertisment

ଏହି ପରିପ୍ରେକ୍ଷୀରେ ମନକୁ ପ୍ରଶ୍ନ ଆସେ- ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର- ଏ ଦୁଇ ସ୍ଥାନ ଭିତରୁ କିଏ ତାଙ୍କର କେତେ ପ୍ରିୟ? ଏହାର ସୁନ୍ଦର ଉତ୍ତର ‘ସ୍କନ୍ଦ ପୁରାଣ’ରେ ଅଛି।

‘ସ୍କନ୍ଦ ପୁରାଣ’ର ୨୯ ଅଧ୍ୟାୟ ଅନ୍ତର୍ଗତ ‘ପ୍ରତିମା ଉବାଚ’ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏଥିରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ‘ପ୍ରତିମା’ ଅର୍ଥାତ୍ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ସ୍ୱୟଂ, ତାଙ୍କର ଦ୍ୱାଦଶଯାତ୍ରା ଓ ଅନ୍ୟାନ୍ୟ ରୀତିନୀତିର ପାଳନ ସଂପର୍କରେ କହିଛନ୍ତି। ସେହି ପ୍ରସଙ୍ଗରେ ଆସିଛି ‘ନୀଳାଦ୍ରିମଣ୍ଡପ’ ବା ଶ୍ରୀମନ୍ଦିର ଏବଂ ‘ଗୁଣ୍ଡିଚାମଣ୍ଡପ’ ବା ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରସଙ୍ଗ। ‘ପ୍ରତିମା’ କହିଛନ୍ତି- ଗୁଣ୍ଡିଚାମଣ୍ଡପର ନୃସିଂହ କ୍ଷେତ୍ର ହେଉଛି, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଅଶ୍ୱମେଧ ଯଜ୍ଞର ମହାବେଦୀ ତଥା ତାଙ୍କର ଜନ୍ମସ୍ଥାନ। ତେଣୁ ତାହା ତାଙ୍କର ‘ନିତ୍ୟପ୍ରୀତିଜନକ’ ସ୍ଥାନ। ସେହିପରି, ନୀଳାଦ୍ରି ମଣ୍ଡପର ପ୍ରାସାଦ (ମନ୍ଦିର) ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବାରୁ, ତାହା ତାଙ୍କ ପାଇଁ ‘ପରମପ୍ରୀତିକର’ ସ୍ଥାନ। ତେଣୁ ସେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଅତି ସ୍ପଷ୍ଟ ଭାବରେ କହିଛନ୍ତି, “ମୋର ଆତ୍ମାସ୍ୱରୂପ ପଦ୍ମଯୋନି ବ୍ରହ୍ମା ଯେହେତୁ ମୋତେ ଏହି ପ୍ରାସାଦ (ଶ୍ରୀମନ୍ଦିର)ରେ ସଂସ୍ଥାପନ କରିଛନ୍ତି, ସେହେତୁ, ଏବଂ ତାଙ୍କର ପ୍ରାର୍ଥନା ଓ ତୁମ୍ଭର ଭକ୍ତିଯୋଗୁଁ, ମୁଁ ଏଠାରେ ନିତ୍ୟ ଅବସ୍ଥାନ କରିବି। କିନ୍ତୁ ସେଠାରୁ (ଅର୍ଥାତ୍ ଶ୍ରୀଗୁ୍‌ଣ୍ଡିଚା ମହାବେଦୀ ସ୍ଥଳରୁ) ଆସିଥିବାରୁ, କେବଳ ନବଦିନପାଇଁ ମୁଁ ସେଠାକୁ ଯିବି।”

ତେଣୁ ସେହି ଅନୁସାରେ, ପ୍ରତିବର୍ଷ ଶ୍ରୀଜଗନ୍ନାଥଙ୍କର ନବଦିନବ୍ୟାପୀ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି।

ଆମ ସମସ୍ତଙ୍କ ପାଇଁ ଏହାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ରହିଛି।  ତାହା ହେଉଛି- କର୍ମଭୂମି ଆମପାଇଁ ‘ପରମପ୍ରୀତିକର’ ସ୍ଥାନ ହେଲେ ମଧ୍ୟ, ଆମ ପାଇଁ ‘ନିତ୍ୟପ୍ରୀତିଜନକ’ ସ୍ଥାନ ହେଉଛି ଆମର ଜନ୍ମଭୂମି।