ଯାଜପୁରର ପ୍ରସିଦ୍ଧ ଦେବୀ ମାଆ ବିରଜାଙ୍କ ରଥର ନାମ ‘ସିଂହଧ୍ୱଜ’। ମାଆଙ୍କର ଏହି ସାମ୍ବତ୍ସରିକ ରଥଯାତ୍ରା ଶାରଦୀୟ ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ହୋଇଥାଏ। ଅବଶ୍ୟ ଶ୍ରୀକ୍ଷେତ୍ରରେ ଶାରଦୀୟ ଦୁର୍ଗାପୂଜା ଅବସରରେ, ଏକ ରଥାକୃତି ବିମାନରେ ଶ୍ରୀଦୁର୍ଗାମାଧବଙ୍କର ଯାତ୍ରା ହୁଏ ଏବଂ ତାହାକୁ ଶାକ୍ତ ରଥଯାତ୍ରା ଭାବରେ ଆଖ୍ୟାୟିତ କରାଯାଏ; କିନ୍ତୁ ମା’ ବିରଜାଙ୍କର ଏହି ରଥଯାତ୍ରା ସେହି ରଥଯାତ୍ରାଠାରୁ ମଧ୍ୟ ସ୍ୱତନ୍ତ୍ର।
ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ବା ଶୁଭ ସୁନିଆ ଦିନଠାରୁ ଏହି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଆଶ୍ୱିନ ଅମାବାସ୍ୟା ବା ମହାଳୟା ଅମାବାସ୍ୟା ଦିନ ଶେଷ ହୋଇଥାଏ। ଏଥି ନିମନ୍ତେ ୮୮୧ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ଏହି ରଥର ଉଚ୍ଚତା ୫୫ ଫୁଟ ଏବଂ ଏଥିରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଅନୁରୂପ ୧୨ଟି ଚକ ରହିଥାଏ। ୨୪ଟି ଧାରଣା ଓ ୬୪ଟି ଖୁଣ୍ଟି ବିଶିଷ୍ଟ ଏହି ରଥ ୧୩ଟି ଥାକରେ ନିର୍ମିତ।
ଦେବୀ ବିରଜାଙ୍କ ରଥର ସାରଥି ସ୍ୱୟଂ ବ୍ରହ୍ମା। ଏହି ରଥରେ ୩୮ ଜଣ ପାର୍ଶ୍ବଦେବତା ଥାଆନ୍ତି ଏବଂ ରଥରେ ଅଶ୍ୱ, ଗଜ ଓ ସିଂହ ସଂଯୋଜିତ ହୋଇଥାଆନ୍ତି ବୋଲି ଗବେଷକ ଜ୍ଞାନରଞ୍ଜନ ପତି କହିଛନ୍ତି। ମହାଳୟା ଅମାବାସ୍ୟାରେ ରଥର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ, ସେହିଦିନ ଅଧିବାସ ହୋଇ, ଆଶ୍ୱିନ-ଶୁକ୍ଳ ପ୍ରତିପଦରେ ରଥର ପ୍ରତିଷ୍ଠା ହୁଏ। ଏହି ରଥ ପ୍ରତିଷ୍ଠା ‘ଶକ୍ତିପଲ୍ଲବ ତନ୍ତ୍ର’ରେ ଉଲ୍ଲିଖିତ ବିଧାନ ଅନୁସାରେ ହୋଇଥାଏ ଏବଂ ପ୍ରତିଦିନ ରଥରେ ହେଉଥିବା ପୂଜା ମଧ୍ୟ ସେଥିରେ ନିର୍ଦ୍ଦେଶିତ ବିଧାନ ଅନୁସାରେ ହୁଏ ବୋଲି ଗବେଷକ ପଣ୍ଡିତ ଭୂପତି ମିଶ୍ର କହିଛନ୍ତି।
ବିଧିମତେ ରଥ ପ୍ରତିଷ୍ଠା ହେବା ପରେ, ସେଦିନ ଅପରାହ୍ଣରେ ମା’ ବିରଜାଙ୍କର ଧାତୁନିର୍ମିତ ବିଜେ ପ୍ରତିମା ଏବଂ କାଷ୍ଠଦଣ୍ଡ (ଆଶାଦଣ୍ଡ) ରଥକୁ ବିଜେ କରନ୍ତି। ତା’ପରେ ମା’ଙ୍କ ସିଂହଧ୍ୱଜ ରଥ ମନ୍ଦିର ପରିକ୍ରମା କରେ। ମା’ ବିରଜାଙ୍କର ଏହି ଶାରଦୀୟ ସିଂହଧ୍ୱଜ ରଥଯାତ୍ରା ମହାନବମୀ ପର୍ଯ୍ୟନ୍ତ ନବଦିନବ୍ୟାପୀ ଅନୁଷ୍ଠିତ ହୋଇଥାଏ। ନବମୀ ନିଶାର୍ଦ୍ଧରେ ମାଆଙ୍କ ବିଜେ ପ୍ରତିମା ରଥରୁ ଅବତରଣ କରିବା ପରେ ଲାଖବିନ୍ଧା ପଡ଼ିଆକୁ ଯାତ୍ରା କରନ୍ତି ଏବଂ ସେଠାରେ ଲାଖବିନ୍ଧା ନୀତି ଅନୁଷ୍ଠିତ ହୋଇଥାଏ। ସେଥିରେ ଦଶ ଦିଗପାଳଙ୍କୁ ବଳି ଦିଆଯିବା ସହିତ ଯମ, ବରୁଣ, ଇନ୍ଦ୍ର ଓ କୁବେରଙ୍କୁ ପୂଜା କରାଯାଇ ଚାରିଦିଗକୁ ତୀର ମରାଯାଏ। ଏହିସବୁ ବିଶେଷତ୍ୱ ଦେବୀ ବିରଜାଙ୍କ ସିଂହଧ୍ୱଜ ରଥଯାତ୍ରାକୁ ଅନ୍ୟ ସବୁ ରଥଯାତ୍ରାଠାରୁ ସ୍ୱତନ୍ତ୍ର କରିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/AqybGGCug5aHnl64hFxu.jpg)