କାକଟପୁର ମା’ ମଙ୍ଗଳାଙ୍କର ମୁଖ୍ୟ ପୀଠ। ଚୈତ୍ରମାସର ପ୍ରଥମ ମଙ୍ଗଳବାରରୁ ଆରମ୍ଭ କରି ପଞ୍ଚମ ମଙ୍ଗଳବାର ପର୍ଯ୍ୟନ୍ତ ସେହି ପୀଠର ଶ୍ରେଷ୍ଠ ପର୍ବ ଦିବସ। କିନ୍ତୁ ଚୈତ୍ର ମାସର ପ୍ରଥମ ଚାରିଟି ମଙ୍ଗଳବାର ସେଠାରେ ‘ପାଳିଯାତ୍ରା’ ଭାବରେ ପାଳିତ ହେବାବେଳେ, ପଞ୍ଚମ ମଙ୍ଗଳବାର ‘ଝାମୁଯାତ୍ରା’ ରୂପେ ପାଳିତ ହୋଇଥାଏ। ଶେଷ ମଙ୍ଗଳବାର ଚୈତ୍ରମାସରେ ନ ପଡ଼ି ବୈଶାଖ ମାସରେ ପଡ଼ିଲେ ବି ତାହା ପର୍ବ ରୂପେ ପାଳିତ ହୁଏ। ଯେଉଁ ବର୍ଷ ପଞ୍ଚମ ମଙ୍ଗଳବାର ଚୈତ୍ର ମାସରେ ପଡ଼େ, ତାହାକୁ ଅଧିକ ପବିତ୍ର ବୋଲି ବିବେଚନା କରାଯାଏ। ତାହାକୁ ‘ବାରୁଣୀ ଯାତ୍ରା’ କୁହାଯାଏ।

Advertisment

ଚୈତ୍ର ହେଉ ବା ବୈଶାଖ- ଏହି ପାଞ୍ଚ ମଙ୍ଗଳବାର କାହିଁକି ପବିତ୍ର, ସେ ନେଇ ଗୋଟିଏ କିଂବଦନ୍ତି ଅଛି। କିଂବଦନ୍ତିଟି ଶ୍ରୀଜଗନ୍ନାଥଙ୍କ ନବକଳେବର ସହ ସଂପୃକ୍ତ।
ନବକଳେବରର ପାରମ୍ପରିକ ବିଧି ଅନୁସାରେ, ଚୈତ୍ର ଶୁକ୍ଳ ଦଶମୀ ଦିନ ଆରମ୍ଭ ହୋଇଥାଏ ଦାରୁଚୟନ ପାଇଁ ଯାତ୍ରା ବା ବନଯାଗ ଯାତ୍ରା। ସେହି ଯାତ୍ରାରେ ଦାରୁଯାତ୍ରୀ ଦଳ ଆସି ମା’ ମଙ୍ଗଳାଙ୍କ ପୀଠ ନିକଟରେ ଥିବା ଦେଉଳି ମଠରେ ବିଶ୍ରାମ ନିଅନ୍ତି। ସେମାନେ ମା’ ମଙ୍ଗଳାଙ୍କର ମାଜଣା କରିବା ପରେ ମା’ ସ୍ୱପ୍ନାଦେଶ ମାଧ୍ୟମରେ ଦାରୁବୃକ୍ଷଙ୍କର ଦିଗ ନିର୍ଦ୍ଦେଶ କରିଥାନ୍ତି।

କିନ୍ତୁ ଗୋଟିଏ ନବକଳେବର ସମୟରେ, ଗଜପତି ମହାରାଜା ଖବର ପାଇଲେ ଯେ ମା’ ମଙ୍ଗଳା ତାଙ୍କ ପୀଠରେ ନାହାନ୍ତି। ତେଣୁ ତନ୍ତ୍ର, ମନ୍ତ୍ର, ଯୋଗ ଓ ଯଜ୍ଞ ଆଦିରେ ଦକ୍ଷ ଦୁଇଜଣ ବ୍ରାହ୍ମଣଙ୍କୁ ସେ ମା’ଙ୍କର ସନ୍ଧାନପାଇଁ ପଠାଇଲେ। ସେ ଦୁହିଁଙ୍କର ନାମ ‘ହଟ’ ଓ ‘ବଟ’।

ସେ ଦୁହେଁ ଆସି, ଯଜ୍ଞାଦି କରି ମା’ଙ୍କର ଶରଣାପନ୍ନ ହେଲେ। ଏପରିକି, ମା’ଙ୍କର ସନ୍ଧାନ ନ ମିଳିଲେ ଯଜ୍ଞାଗ୍ନିରେ ଆତ୍ମାହୁତି ଦେବେ ବୋଲି ମଧ୍ୟ ନିଷ୍ପତ୍ତି କଲେ। ଫଳରେ ମା’ ସ୍ୱପ୍ନାଦେଶ ଦେଇ କହିଲେ, ସେ ପ୍ରାଚୀ ନଦୀର ଗର୍ଭରେ ରହିଛନ୍ତି।

ସେହି ସ୍ୱପ୍ନାଦେଶ ମିଳିବା ପରେ, ନଦୀ ଗର୍ଭରୁ ମା’ଙ୍କୁ ଉଦ୍ଧାର କରି ଆଣି ଆଜିର ପୀଠରେ ପ୍ରତିଷ୍ଠା କରାଗଲା। ସେହି ଦିନଟି ଥିଲା ଚୈତ୍ର ମାସର ପଞ୍ଚମ ମଙ୍ଗଳବାର। ସେଥିପାଇଁ ମା’ ମଙ୍ଗଳାଙ୍କ ପୀଠରେ ଚୈତ୍ର ମାସର ପ୍ରଥମରୁ ଚତୁର୍ଥ ମଙ୍ଗଳବାରକୁ ‘ପାଳିଯାତ୍ରା’ ଏବଂ ପଞ୍ଚମ ମଙ୍ଗଳବାରକୁ ‘ଝାମୁଯାତ୍ରା’ ଭାବରେ ପାଳନ କରାଯାଏ।