ମାଘ ସ୍ନାନ ଧର୍ମ

ମଘା ନକ୍ଷତ୍ର ଅନୁସାରେ ମାସର ନାମ ମାଘ। ସଂସ୍ମୃତ ମାଘମ୍ ଶବ୍ଦର ଅର୍ଥ, ଯେଉଁ ମାସ ସଂପୂର୍ଣ୍ଣ ପାପମୁକ୍ତ। ଏହି ମାସରେ ଭଗବାନ ବିଷ୍ଣୁ ମାଧବ ନାମରେ ପୂଜିତ ହୋଇଥାନ୍ତି। କଥିତ ଅଛି, ଏହି ମାସରେ ସରସ୍ୱତୀ, ସୂର୍ଯ୍ୟ ଓ ଶିବ ଜନ୍ମ ଗ୍ରହଣ କରିଥିଲେ। କାର୍ତ୍ତିକ ମାସରେ ଯେପରି ଦୀପଦାନ ଦ୍ୱାରା ମହତ୍ ପୁଣ୍ୟ ପ୍ରାପ୍ତି ହୁଏ, ଠିକ୍ ସେହିପରି ମାଘମାସରେ ଅରୁଣୋଦୟ କାଳରେ ସ୍ନାନ କରି ସୂର୍ଯ୍ୟ ଓ ବିଷ୍ଣୁଙ୍କର ପୂଜନ କଲେ ପ୍ରାଣୀ ସମସ୍ତ ପାପରୁ ମୁକ୍ତ ହୋଇଥାଏ-
ପାଳିଲେ ମାଘ ସ୍ନାନ ଧର୍ମ। ଗଞ୍ଜଇ ସକଳ ଅଧର୍ମ।
ଯମ ନ ଲଂଘେ ତାର ସୀମା। ସେ ପ୍ରାଣୀ ଅଟେ ପୁଣ୍ୟ ଆତ୍ମା।

ଏ ସଂପର୍କରେ ଏକ ‌ପୌରାଣିକ କଥାର ବର୍ଣ୍ଣନା ରହିଛି।

ଦେବରାଜ ଇନ୍ଦ୍ର ମହାମୁନି ଗୌତମଙ୍କ ପତ୍ନୀ ଅହଲ୍ୟାଙ୍କର ଅପରୂପ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ତାଙ୍କର ସତୀତ୍ୱ ନାଶ କଲେ। ଫଳରେ ଗୌତମଙ୍କ ଦ୍ୱାରା ଇନ୍ଦ୍ର ଅଭିଶପ୍ତ ହୋଇ, ଲଜ୍ଜାରେ ଆଉ ଅମରାବତୀପୁରକୁ ନଫେରି ମେରୁ ପର୍ବତର ଶିଖର ଦେଶରେ ଥିବା ଏକ ସରୋବରର ପଦ୍ମନାଡ଼ ଭିତରେ ଲୁଚି ରହିଲେ। ଇନ୍ଦ୍ରଙ୍କୁ ସ୍ୱର୍ଗରେ ନପାଇ, ଦେବତାମାନେ ବ୍ରହ୍ମା ଓ ବୃହସ୍ପତିଙ୍କୁ ସଂଗରେ ଧରି ତାଙ୍କର ଅନ୍ୱେଷଣରେ ଯାଇ ମେରୁ ସରୋବରରେ ପହଞ୍ଚିଲେ। ଇନ୍ଦ୍ରଙ୍କଠାରୁ ସବୁ ସବୁ ଶୁଣି ବୃହସ୍ପତି ତାଙ୍କୁ ତୀର୍ଥସ୍ନାନ ପାଇଁ ଉପଦେଶ ଦେଲେ ଏବଂ ତାଙ୍କୁ ସଂଗରେ ନେଇ ତୀର୍ଥରାଜ ପ୍ରୟାଗରେ ପହଞ୍ଚିଲେ। ପ୍ରୟାଗ ହେଉଛି ତିନି ନଦୀର ମିଳନସ୍ଥଳ। ପୁରାଣ ପ୍ରସଙ୍ଗ ଅନୁସାରେ, ପୃଥିବୀରେ ଯେଉଁ ଦେଢ଼ କୋଟି ତୀର୍ଥ ରହିଛି, ସେ ମଧ୍ୟରେ ଶ୍ରେଷ୍ଠ ହେଉଛି ପଞ୍ଚପ୍ରୟାଗ (ବିଷ୍ଣୁପ୍ରୟାଗ, ନନ୍ଦପ୍ରୟାଗ, କର୍ଣ୍ଣପ୍ରୟାଗ, ରୁଦ୍ରପ୍ରୟାଗ ଓ ଦେବପ୍ରୟାଗ)ସେମାନଙ୍କର ରାଜା ହେଉଛି ତ୍ରିବେଣୀର ପ୍ରୟାଗରାଜ। ଏହି କ୍ଷେତ୍ରରେ ପତିତପାବନୀ ଗଙ୍ଗାଙ୍କ ସହିତ ପୁଣ୍ୟତୋୟା ଯମୁନା ଓ ଅନ୍ତଃସଲିଳା ସରସ୍ୱତୀଙ୍କର ମିଳନ ଘଟିଛି। ଏହା ପରମପିତା ବ୍ରହ୍ମାଙ୍କର ଯଜ୍ଞସ୍ଥଳ। ଏଠାରେ ବିଷ୍ଣୁ ବେଣୀମାଧବ ରୂପରେ ଓ ଶିବ ଅକ୍ଷୟବଟ ରୂପରେ ବିରାଜମାନ।

ଏସବୁ ଶୁଣି ଇନ୍ଦ୍ର ପ୍ରୟାଗ ରାଜରେ ଶୁଦ୍ଧପୂତ ମନରେ ସ୍ନାନ କରି ଉପରକୁ ଉଠିଲା ବେଳକୁ ଦେଖିଲେ ଯେ ତାଙ୍କ ଶରୀରରୁ ଲଜ୍ଜାଜନକ ସହସ୍ର ଯୋନି ଲୁପ୍ତ ହୋଇଯାଇ, ତାହା ସହସ୍ର ଚକ୍ଷୁରେ ପରିଣତ ହୋଇଛି। ଯୋଗକୁ ସେହି ସମୟ ଥିଲା ମାଘମାସ। ଇନ୍ଦ୍ର ମାଘ ସ୍ନାନ କରିବାରୁ ସମସ୍ତ ପାପରୁ ମୁକ୍ତ ହେଲେ।

କେବଳ ପ୍ରୟାଗରେ ନୁହେଁ; ଏହି ମାସରେ ଯେ କୌଣସି ତୀର୍ଥ, ନଦୀ, ଘାଟ ଏପରିକି ପୁଷ୍କରିଣୀରେ ବିଧି ଅନୁସାରେ ମାଘ ସ୍ନାନ, କରି ସୂର୍ଯ୍ୟ ଓ ବିଷ୍ଣୁଙ୍କୁ ପୂଜନ ଏବଂ ଶିବଙ୍କୁ ଜଳାଭିଷେକ କଲେ, ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୁଏ।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର