ମଘା ଓଷା କଥା: ଜଣେ ସାଧାରଣ ମହିଳାଙ୍କ ଅନୁସାରେ ନାମକରଣ

‘ମାଘ’ ମାସର ନାଆଁ ମଘା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ଯୋଗୁଁ ହୋଇଛି। କିନ୍ତୁ ‘ମଘା ଓଷା’ ମାଘମାସର ଓଷା ନୁହେଁ। ଏହା ଭାଦ୍ରବ ମାସର ଓଷା। ବିଚିତ୍ର କଥା ହେଲା- ଏହି ଓଷାର ନାମ ‘ମଘା ସାହୁଆଣୀ’ ନାମକ ଏକ ସାଧାରଣ ମହିଳାଙ୍କ ଅନୁସାରେ ହୋଇଛି।

ମଘା ଓଷାର କାହାଣୀ ସଂକ୍ଷେପରେ ଏହିପରି।

ଚକୁରିଆ ପଣ୍ଡାଟିଏ ଥିଲା। ସେ ଗାଏଁ ଗଲେ ମାଣେ ଆଣଇ। ଦି’ ଗାଁ ଗଲେ ବି ମାଣେ ଆଣଇ। ସେମାନେ ବହୁ କଷ୍ଟରେ ଚଳନ୍ତି। ଦିନେ ଚକୁରିଆ ପଣ୍ଡାର ସ୍ତ୍ରୀ ଧାନ ଶୁଖାଇଛି- ଦଇବ ବିଧାତା ତାକୁ କଷଣ ଦେବାକୁ ଷଣ୍ଢଟିଏ ହୋଇ ତା’ ଧାନତକ ଖାଇଗଲେ। ଚକୁରିଆ ପଣ୍ଡା ତାହା ଜାଣି କହିଲା- ଦଇବ ବିଧାତା ମୋତେ ଏତେ କଷ୍ଟ ଦେଲା; ତାକୁ ହତ୍ୟା ଦୋଷ ଦେଇ ମରିବି। ଏହା ମନରେ ପାଞ୍ଚି ସେ ଦଇବ ବିଧାତାକୁ ଭେଟିବାକୁ ଚାଲିଲା।
ବାଟରେ କପିଳାଗାଈ, ଆମ୍ବଗଛ, ଉତ୍ତମ ପୁଷ୍କରିଣୀ, ନିଆଁ ଉହ୍ମେଇ, ପଥର ମୁଣ୍ଡାଇଥିବା ଲୋକ, କୁଟା ଗୋଛା ମୁଣ୍ଡାଇଥିବା ଲୋକ, ମନ୍ତ୍ରୀ ଓ ମଘା ସାହୁଆଣୀ ତାର ଭେଟ ହେଲେ। ସେମାନେ ସମସ୍ତେ ଦୈବ କଷ୍ଟ ଭୋଗୁଥିଲେ। ଚକୁରିଆ ପଣ୍ଡା ଦଇବ ବିଧାତାଙ୍କୁ ଭେଟିବାକୁ ଯାଉଥିବା ଜାଣି- ତାଙ୍କ କଷ୍ଟ କଥା ଦଇବ ବିଧାତାଙ୍କୁ କହିବାକୁ ସେମାନେ ଅନୁରୋଧ କଲେ। ଚକୁରିଆ ପଣ୍ଡା ଯାଇ ଦଇବ ବିଧାତାଙ୍କୁ ସେମାନଙ୍କ କଷ୍ଟ କଥା ଜଣାଇଲା।

ଦଇବ ବିଧାତା କହିଲେ- ସେମାନେ ନିଜ ନିଜ କର୍ମର ଫଳ ଭୋଗୁଛନ୍ତି। ଦୁର୍ବାସା ଋଷି ତୃଷାର୍ତ୍ତ ଥିବା ବେଳେ କପିଳା ଗାଈ ତାଙ୍କୁ କ୍ଷୀର ଦେଇ ନଥିଲା। ତେଣୁ ତା’ କ୍ଷୀର କେହି ଖାଉ ନାହାନ୍ତି କି କେହି ତାକୁ ପୂଜା କରୁ ନାହାନ୍ତି। ଜଣେ କ୍ଷୁଧାର୍ତ୍ତ ବୈଷ୍ଣବ ଆମ୍ବ ଗଛ ମୂଳରେ ଥାଇ ମଧ୍ୟ ଆମ୍ବଗଛ ତାଙ୍କୁ ଆମ୍ବ ଦେଇ ନଥିଲା। ତେଣୁ ତା’ର ଆମ୍ବ ସୁସ୍ୱାଦ ହେଲେ ମଧ୍ୟ ତାହାକୁ କେହି ଛୁଉଁ ନାହାନ୍ତି। ପୁଷ୍କରିଣୀର ଜଳ ଗଙ୍ଗାପରି ନିର୍ମଳ ହେଲେ ମଧ୍ୟ, ସେହି ଜଳରେ ଗୋହତ୍ୟା ଓ ବ୍ରହ୍ମହତ୍ୟା ହୋଇଥିବାରୁ ତାହା କେହି ପାନ କରୁ ନାହାନ୍ତି। ନିଆଁ ଉହ୍ମେଇ ପୂର୍ବେ ପୁଅ ସେକା ମୂଲ ଦେଇ ନଥିବାରୁ ଏବେ କିଛି କାମରେ ଆସୁନାହିଁ। ଶିଳ ଉପରେ ଶିଳପୁଆ ରଖିଥିବାରୁ ପଥର ମୁଣ୍ଡାଇଥିବା ଲୋକଟି କଷ୍ଟ ଭୋଗୁଛି। ସେହିପରି ଅନ୍ୟ ମୁଣ୍ଡରେ କୁଟା ପଡ଼ିଥିବା ଦେଖି ମଧ୍ୟ ତାକୁ ନ କହିବାରୁ, ସେ ଲୋକଟି କୁଟା ଗୋଛା ମୁଣ୍ଡାଇଛି। ଭାତ ତିଉଣ ପ୍ରଥମେ ପିତୃଲୋକଙ୍କୁ ନଦେଇ ଖାଉଥିବାରୁ ମନ୍ତ୍ରୀଙ୍କ ଘରର ମଝିଖୁମ୍ବ ନିଆଁରେ ଜଳୁଛି। ଏବଂ, ମଘା ସାହୁଆଣୀ ବ୍ରତବିଧିରେ ବ୍ୟତିକ୍ରମ କରିଥିବାରୁ ତା’ ମନ ଅସୁଖ ରହୁଛି। ଏମାନେ ସମସ୍ତେ, ଉତ୍ତମ ଓ ବ୍ରହ୍ମଜ୍ଞ ବ୍ୟକ୍ତିଙ୍କୁ ଦାନ ଦେଲେ ନିଜ ନିଜ କଷ୍ଟରୁ ଉଦ୍ଧାର ପାଇପାରିବେ।

ସେମାନଙ୍କୁ ସେକଥା ଜଣାଇଦେବାକୁ ଦଇବ ବିଧାତା ଚକୁରିଆ ପଣ୍ଡାକୁ କହିଲେ। ଅନ୍ୟର ଦୁଃଖ ଜଣାଇ ପ୍ରତିକାର ଲୋଡ଼ିଥିବାରୁ, ତା’ ନିଜ ଦୁଃଖ ଦୂର ହୋଇଯିବ ଏବଂ ମହାଲକ୍ଷ୍ମୀ ତାକୁ ଧନଧାନ୍ୟରେ ଭରିଦେବେ ବୋଲି ମଧ୍ୟ ଜଣାଇଦେଲେ।

ସେହି ଅନୁସାରେ, ସେମାନେ ସମସ୍ତେ ଉପଯୁକ୍ତ ଦାନ ଦେଇ ଦୋଷମୁକ୍ତ ହେଲେ ଏବଂ ଆନନ୍ଦରେ ରହିଲେ। ମଘା ସାହୁଆଣୀ ମଧ୍ୟ ବିଧିମତେ ବ୍ରତ ପାଳନ ଓ ଦାନ କରିବାରୁ ତାର ମନ ହରଷ ହେଲା।

ସମ୍ବନ୍ଧିତ ଖବର