ମାଘ ପଞ୍ଚମୀ ତିଥିକୁ ଦେବୀ ସରସ୍ୱତୀଙ୍କର ଆବିର୍ଭାବ ଦିବସ ରୂପେ ପାଳନ କରାଯାଏ

“ଗଣେଶଜନନୀ ଦୁର୍ଗା ରାଧା ଲକ୍ଷ୍ମୀଃ ସରସ୍ୱତୀ
ସୃଷ୍ଟି ବିଧୌ ଚ ସାବିତ୍ରୀ ପ୍ରକୃତିଃ ପଞ୍ଚଧା ସ୍ମୃତା।”
ସୃଷ୍ଟିର ପ୍ରାରମ୍ଭ କାଳରେ ଦୁର୍ଗା, ରାଧା, ଲକ୍ଷ୍ମୀ, ସରସ୍ୱତୀ ଓ ସାବିତ୍ରୀ- ଏହି ପାଞ୍ଚଦେବୀ ଆବିର୍ଭୂତ ହୋଇଥିଲେ। ନିଜ ନିଜର ଶକ୍ତି ଅନୁଯାୟୀ ଏମାନେ ସୃଷ୍ଟିକର୍ମରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ବାଗ୍‌ଦେବୀ ସରସ୍ୱତୀ ଥିଲେ ଅନନ୍ୟା। ଋଗ୍‌ବେଦର ବର୍ଣ୍ଣନା ଅନୁଯାୟୀ, “ସରସ୍ୱତୀଙ୍କ ରୂପ ଦ୍ୱିବିଧ- ସେ ଦେବୀ ଏବଂ ସେ ବି ନଦୀ।”

ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିକୁ ଏହି ଦେବୀଙ୍କ ଆବିର୍ଭାବ ଦିବସ ଭାବରେ ପାଳନ କରାଯାଇଥାଏ। ସେ ଏକାଧାରରେ ବାଗ୍‌ଦେବୀ, ବେଦବାଣୀ ଏବଂ ପୁନଶ୍ଚ ନଦୀରୂପିଣୀ। ଏହି ହେତୁ ଏହି ଦେବୀଙ୍କର ଆବିର୍ଭାବ ଦିବସ ଅତ୍ୟନ୍ତ ରୋଚକ। ଭାରତରେ ଯେଉଁ ସାତଟି ପୁଣ୍ୟତୋୟା ନଦୀ ଅଛନ୍ତି, ଯଥା- ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ ଓ କାବେରୀ- ସେମାନଙ୍କ ମଧ୍ୟରେ ସରସ୍ୱତୀ ପବିତ୍ରତମ। ଏହାର କାରଣ ମଧ୍ୟ ଅଛି।

ପ୍ରାଚୀନ କାଳର କଥା। ଦେବତାମାନେ ବୃତ୍ତ୍ରାସୁରର ବଧ ନିମିତ୍ତ ଦଧୀଚିଙ୍କ ଅସ୍ଥିକୁ ଯେପରି ବ୍ୟବହାର କରିଥିଲେ, ତାହା ଜାଣି ଦଧୀଚିଙ୍କ ପୁତ୍ର ପିପ୍ପଳାଦ କଠୋର ତପସ୍ୟା କରି ବାଡ଼ବାନଳକୁ ସନ୍ତୁଷ୍ଟ କରି ଦେବତାମାନଙ୍କର ବିନାଶ ନିମିତ୍ତ ତାକୁ ଦେବଲୋକକୁ ପ୍ରେରଣ କଲେ। ସେଥିରେ ଦେବତାମାନେ କଷ୍ଟ ଅନୁଭବ କରିବାରୁ, ସେମାନେ ଭଗବାନ ବିଷ୍ଣୁଙ୍କ ପାଖରେ ପହଞ୍ଚିଲେ। ଭଗବାନ ବିଷ୍ଣୁ ବ୍ରହ୍ମଲୋକବାସିନୀ ଦେବୀ ସରସ୍ୱତୀଙ୍କୁ ଅନୁରୋଧ କଲେ, ବାଡ଼ବାନଳକୁ ନେଇ ପଶ୍ଚିମ ସମୁଦ୍ରରେ ନିକ୍ଷେପ କରିବାପାଇଁ। କିନ୍ତୁ ବ୍ରହ୍ମାଙ୍କ ଆଦେଶ ବିନା ସରସ୍ୱତୀ ବ୍ରହ୍ମଲୋକ ପରିତ୍ୟାଗ କରିବା ନିମିତ୍ତ ନିଜର ଅସାମର୍ଥ୍ୟ ପ୍ରକାଶ କରିବାରୁ, ଦେବତାମାନେ ବ୍ରହ୍ମାଙ୍କୁ ଅନୁରୋଧ କଲେ। ବ୍ରହ୍ମାଙ୍କ ଆଦେଶରେ ସରସ୍ୱତୀ ନଦୀ ରୂପ ଧାରଣ କରି ବିଷ୍ଣୁବୃକ୍ଷ ବା ପ୍ଳକ୍ଷ ମୂଳରୁ ବହିର୍ଗତ ହୋଇ ବାଡ଼ବାନଳକୁ ଗ୍ରହଣ କରି ପଶ୍ଚିମାଭିମୁଖୀ ହୋଇ ଯାତ୍ରା କଲେ ଏବଂ ପଥ ମଧ୍ୟରେ ବ୍ରହ୍ମଦେବଙ୍କର ଯଜ୍ଞମଣ୍ଡପକୁ ଧୌତ କରି ପଶ୍ଚିମ ସମୁଦ୍ରରେ ବାଡ଼ବାନଳକୁ ନିକ୍ଷେପ କଲେ। ଦେବତାମାନଙ୍କର କଷ୍ଟ ଦୂର ହେବାରୁ, ସେମାନେ ମାଘପଞ୍ଚମୀ ତିଥିକୁ ଦେବୀ ସରସ୍ୱତୀଙ୍କର ଆବିର୍ଭାବ ଦିବସ ଭାବରେ ମହା ସମାରୋହରେ ପାଳନ କଲେ। ଏହା ଏ ପର୍ଯ୍ୟନ୍ତ ଏକ ପବିତ୍ର ଦିବସ ରୂପେ ପାଳିତ ହୋଇଆସୁଛି।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର