ରଥ ସପ୍ତମୀ : ଏହି ଦିନ କୋଣାର୍କରେ ଅନୁଷ୍ଠିତ ହୁଏ ସୂର୍ଯ୍ୟଦେବଙ୍କ ରଥଯାତ୍ରା

ଶାମ୍ବ ଦଶମୀଠାରୁ ମାଘ ସପ୍ତମୀ ପର୍ଯ୍ୟନ୍ତ, କୋଣାର୍କରେ ଅନୁଷ୍ଠିତ ହୁଏ ସୂର୍ଯ୍ୟଦେବଙ୍କ ରଥଯାତ୍ରା। ଏହି ରଥଯାତ୍ରାରେ କୋଣାର୍କର ଅନନ୍ତ ଅବଧୂତ ମଠରୁ ସୂର୍ଯ୍ୟଦେବଙ୍କର ଚଳନ୍ତି ପ୍ରତିମା, ରଥରେ ଚନ୍ଦ୍ରଭାଗାଠାରେ ଥିବା ସେହି ମଠର ଏକ ଶାଖା ଛୋ‌ଟରାମ ଦାସ ମଠକୁ ଯାଇ ସେଠାରେ ୨୭ ଦିନ ଅବସ୍ଥାନ କରିଥାନ୍ତି। ସେଠାରେ ଚନ୍ଦ୍ରଭାଗା ନଦୀର ଜଳରେ ୨୭ ନକ୍ଷତ୍ରରେ ତାଙ୍କର ପୂଜାର୍ଚ୍ଚନା ହୁଏ। ତାଙ୍କର ବାହୁଡ଼ାଯାତ୍ରା ଅନୁଷ୍ଠିତ ହୁଏ ମାଘ ସପ୍ତମୀରେ।

‘ପଦ୍ମକେଶର ଦେଉଳ କର୍ମାଙ୍ଗୀ’ରେ ଥିବା ବର୍ଣ୍ଣନା ଅନୁସାରେ, ପୂର୍ବକାଳରେ ଏହି ରଥଯାତ୍ରା ମାଘ ଶୁକ୍ଳ ପଞ୍ଚମୀରୁ ଆରମ୍ଭ ହୋଇ ମାଘ ଶୁକ୍ଳ ସପ୍ତମୀରେ ଶେଷ ହେଉଥିଲା। କିନ୍ତୁ ପ୍ରଚଳିତ ପ୍ରଥା ଅନୁସାରେ, ମାଘଶୁକ୍ଳ ପଞ୍ଚମୀ ପରିବର୍ତ୍ତେ ଶାମ୍ବଦଶମୀ ଦିନ ଏହା ଅନୁଷ୍ଠିତ ହେଉଛି। ଏହା ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କ ସୂର୍ଯ୍ୟ ଉପାସନାର ପୁରାଣ ପ୍ରସଙ୍ଗକୁ ଏହି ରଥଯାତ୍ରା ସହ ଯୋଡ଼ି ଦେଇଛି।

ମାଘ ସପ୍ତମୀ ‘ରଥସପ୍ତମୀ’ ଭାବରେ ମଧ୍ୟ ଖ୍ୟାତ। ଉତ୍ତର ଭାରତରେ ଏହାର ନାମ ‘ସୌରରଥସପ୍ତମୀ’। ଏହାକୁ ନେଇ ‘ରଥସପ୍ତମୀ ବ୍ରତକଥା’ରେ ଗୋଟିଏ ସୁନ୍ଦର ଆଖ୍ୟାନ ଅଛି।

ସେହି ଆଖ୍ୟାନ ଅନୁସାରେ- ପ୍ରାଚୀନ କାଳରେ କମ୍ବୋଜ ଦେଶରେ ରାଜତ୍ୱ କରୁଥିଲେ ଯଶୋବର୍ମା ନାମକ ଜଣେ ରାଜା। ତାଙ୍କର ପୁତ୍ର ବାଲ୍ୟକାଳରୁ ଦୁରାରୋଗ୍ୟ ରୋଗରେ ପୀଡ଼ିତ ଥିଲେ। ସେହି ରୋଗର କାରଣ କ’ଣ ବୋଲି ରାଜା ଜ୍ୟୋତିଷ ଓ ବ୍ରାହ୍ମଣମାନଙ୍କୁ ପଚାରିବାରୁ ସେମାନେ କହିଲେ- ପୂର୍ବଜନ୍ମରେ ରାଜକୁମାର ଜଣେ ବୈଶ୍ୟ ଥିଲେ। ସେ ଥିଲେ ଅଚଳାଚଳ ସଂପତ୍ତିର ଅଧିକାରୀ। କିନ୍ତୁ ସେହି ଧନରୁ ସେ କିଛି ବି ଦାନ, ଧର୍ମରେ ବ୍ୟୟ କରୁ ନଥିଲେ। ତେଣୁ ସେହି ଦୋଷରୁ ସେ ଏ ଜନ୍ମରେ ଏହି ଦୁରାରୋଗ୍ୟ ରୋଗ ଭୋଗ କରୁଛନ୍ତି। ରଥସପ୍ତମୀ ବ୍ରତ କରି ସୂର୍ଯ୍ୟଦେବଙ୍କୁ ଉପାସନା କଲେ ସେ ସେଥିରୁ ଆରୋଗ୍ୟ ଲାଭ କରିବେ। ତାହା ଶୁଣିବା ପରେ, ରାଜକୁମାର ରଥସପ୍ତମୀ ବ୍ରତ କରି ରୋଗମୁକ୍ତ ହେଲେ।

ରଥସପ୍ତମୀ ବ୍ରତକଥା ଅନୁସାରେ, ମାଘସପ୍ତମୀ ଦିନ ସୂର୍ଯ୍ୟଦେବଙ୍କର ପ୍ରତିମାଙ୍କୁ ଦିବ୍ୟରଥରେ ବସାଇ ଏକ ଜଳାଶୟ ନିକଟକୁ ନିଆଯାଏ ଏବଂ ସେଠାରେ ବୈଦିକ ମନ୍ତ୍ରରେ ସବିତାଙ୍କୁ ପୂଜା କରାଯାଏ।

ଏହି ଅନୁସାରେ, ମାଘସପ୍ତମୀ ପ୍ରତ୍ୟୁଷରେ ଚନ୍ଦ୍ରଭାଗା ନଦୀରେ ସ୍ନାନ କରି, ରଥାକୃତି ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟଦେବଙ୍କୁ ଦର୍ଶନ କରିବାର ପରମ୍ପରା ପ୍ରଚଳିତ ହୋଇଥିଲା। ଏବେ କୋଣାର୍କର ସୂର୍ଯ୍ୟ ମନ୍ଦିର ଭଗ୍ନ ଓ ବିଗ୍ରହହୀନ ହୋଇଥିବାରୁ, ଭକ୍ତମାନେ ଚନ୍ଦ୍ରଭାଗାରେ ସ୍ନାନ କରି, ସେଠାରେ ରଥଯାତ୍ରାର ସୂର୍ଯ୍ୟଦେବଙ୍କୁ ଦର୍ଶନ କରିଥାନ୍ତି।

ସମ୍ବନ୍ଧିତ ଖବର