ମାଘସ୍ନାନ ଓ ମାଧବ ଦର୍ଶନରେ ମିଳେ ମହାପୁଣ୍ୟ

କାଳେକାଳେ ଆମର ଶାସ୍ତ୍ରପୁରାଣରେ ପ୍ରାତଃସ୍ନାନକୁ ମହତ୍ତ୍ୱ ଦିଆହୋଇ ଆସିଛି। ‘ମାଘସ୍ନାନ’ ଏହାର ବ୍ୟତିକ୍ରମ ନୁହେଁ। ଏହି ମାସରେ ସୂର୍ଯ୍ୟ ମକର ରାଶିରେ ଅବସ୍ଥାନ କରୁଥିବାରୁ, ଏହି ସ୍ନାନର ଆଉ ଏକ ନାମ ‘ମକରସ୍ନାନ’। ‘ମାଘ ମାହାତ୍ମ୍ୟ’ରେ ଏହାର ମହତ୍ତ୍ୱ ବର୍ଣ୍ଣିତ। ଏହାର ଅଧ୍ୟାୟ ସଂଖ୍ୟା ୩୦ ଏବଂ ମାସର ୩୦ ଦିନ ପାଇଁ ଏହି ୩୦ ଅଧ୍ୟାୟ ରଚିତ ବୋଲି କୁହାଯାଏ।

‘ମାଘ’ ଏକ ପୁଣ୍ୟ ମାସ। ଏହାର ନାମର ବ୍ୟୁତ୍ପତ୍ତି ହେଉଛି- ‘ମା-ଅଘ’। ‘ମା’ ନିଷେଧାତ୍ମକ ଓ ‘ଅଘ’ର ଅର୍ଥ ପାପ। ଏହା ସୂଚାଏ, ଯେ ଏ ମାସରେ ସମସ୍ତ ପାପକର୍ମରୁ ବିରତ ରହି ଈଶ୍ୱର ଚିନ୍ତା କରିବା ଉଚିତ।

‘ମାଘ’ ମାସର ଅଧିପତି ‘ମାଧବ’ ନାମଧାରୀ ବିଷ୍ଣୁ। ଏଣୁ ଏହି ମାସରେ ପ୍ରାତଃସ୍ନାନ କରି ‘ମାଧବ’ ବା ବିଷ୍ଣୁଙ୍କୁ ଦର୍ଶନ କରିବା ପାଇଁ ‘ମାଘ ମାହାତ୍ମ୍ୟ’ରେ ନିର୍ଦ୍ଦେଶ ଅଛି। ବିଧିମତେ ଏହି ସ୍ନାନ କରିବାକୁ କୁହାଯାଇଛି। ଉଦ୍ଧବଙ୍କ ପ୍ରଶ୍ନରେ, ଶ୍ରୀକୃଷ୍ଣ ଏହା କହିଛନ୍ତି।

ଏହି ଉଦ୍ଧବ-ଶ୍ରୀକୃଷ୍ଣ ସମ୍ବାଦର ଦ୍ୱିତୀୟ ଅଧ୍ୟାୟରେ କୁହାଯାଇଛି ଚିତ୍ରସେନ ନାମକ ଏକ ଗନ୍ଧର୍ବଙ୍କ କଥା।

ମାଘସ୍ନାନ ବା ମକରସ୍ନାନ କଲେ ସମସ୍ତ ପାପର ବିନାଶ ହୁଏ ଜାଣି, ଚିତ୍ରସେନ ପ୍ରଭାତରୁ ଉଠି, ବିଧିମତେ ସ୍ନାନ ଓ ଶ୍ରୀମାଧବଙ୍କର ଦର୍ଶନ କରୁଥିଲେ। ଏହିପରି ୧୫ ଦିନ ବିତିଯିବା ପରେ, ଦିନେ ସେ ସ୍ନାନବିଧିରେ ବ୍ୟତିକ୍ରମ କଲେ। ତେଣୁ ଶ୍ରୀମାଧବ ତାଙ୍କୁ ବ୍ୟାଘ୍ରରୂପ ହୋଇ, ଗୋ ବ୍ରାହ୍ମଣ ଇତ୍ୟାଦିଙ୍କୁ ଖାଇ ଜୀବନ ବିତାଇବାକୁ ଅଭିଶାପ ଦେଲେ। ତେବେ, ତାହାଙ୍କର ପ୍ରାର୍ଥନା ଶୁଣି, ଶତବର୍ଷ ପରେ ସେ ମୁକ୍ତି ପାଇବେ ବୋଲି ଶ୍ରୀମାଧବ କହିଲେ। ଫଳରେ ଶହେବର୍ଷ ପରେ ଯାଇ ଚିତ୍ରସେନ ବ୍ୟାଘ୍ରରୂପରୁ ମୁକ୍ତି ପାଇଲେ।

‘ମାଘ ମାହାତ୍ମ୍ୟ’ରେ ଏ ପ୍ରସଙ୍ଗରେ କୁହାଯାଇଛି- ସ୍ନାନବିଧିରେ ବ୍ୟତିକ୍ରମ କରି ଚିତ୍ରସେନ ଯେପରି ବ୍ୟାଘ୍ରରୂପ ପାଇଥିଲେ, ସେହିପରି ମାଘ ମାସରେ ମିଥ୍ୟା କହିଲେ କୁମ୍ଭୀର ଜନ୍ମ ନେବାକୁ ପଡ଼େ। ଯୁବତୀ ସହିତ ରତି କଲେ ନର୍କପ୍ରାପ୍ତି ସହିତ ପରେ ହୀନକୁଳରେ ଜନ୍ମ ମିଳେ।

ଏ ପ୍ରସଙ୍ଗରେ, ଶେଷରେ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଛନ୍ତି- ମାଘସ୍ନାନ ବା ମକରସ୍ନାନ କରିବାରୁ ବିଧାତା ବ୍ରହ୍ମାଣ୍ଡର ଅଧିକାରୀ ଏବଂ ଶିବ ଅମର ହୋଇପାରିଛନ୍ତି। ସେହିପରି, ଇନ୍ଦ୍ର ଏ ବ୍ରତ କରି ସ୍ୱର୍ଗରେ ରାଜା ହୋଇଛନ୍ତି। ‘ମା’ ଲକ୍ଷ୍ମୀ ଏ ବ୍ରତ କରିବା ଫଳରେ ମୋତେ ‘ଧବ’ ବା ସ୍ୱାମୀ ରୂପେ ପାଇଛନ୍ତି।

ଏଣୁ ମାଘମାସରେ ସମସ୍ତେ ପ୍ରାତଃସ୍ନାନ ଓ ଶ୍ରୀମାଧବଙ୍କ ଦର୍ଶନ କରି ମହାପୁଣ୍ୟର ଅଧିକାରୀ ହୋଇପାରିବେ।

ସମ୍ବନ୍ଧିତ ଖବର