ମକର ରାଶିକୁ ସୂର୍ଯ୍ୟଙ୍କର ସଂକ୍ରମଣ ହେଲେ ମକର ସଂକ୍ରାନ୍ତି ହୁଏ। ଏହି ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ କାଳ ଆରମ୍ଭ ହେଉଥିବାରୁ ଏହା ସ୍ୱତନ୍ତ୍ର। ପୁରାଣର ବର୍ଣ୍ଣନା ଅନୁସାରେ, ଉତ୍ତରାୟଣ ଦେବତାମାନଙ୍କର ଦିବସ କାଳ। ଦିବସ କାଳ ଆରମ୍ଭ ହେଲେ ସମସ୍ତ ଦେବଦେବୀ ଭଗବାନ ବିଷ୍ଣୁଙ୍କୁ ଦର୍ଶନ କରି ନିଜ ନିଜର କାର୍ଯ୍ୟ କରିବାକୁ ଯାଇଥାନ୍ତି।
ଏହି ସଂକ୍ରାନ୍ତିରେ, ମକର ରାଶିରେ ଅବସ୍ଥାନ କରୁଥିବା ପୁତ୍ର ଶନିଙ୍କ ସହିତ ସୂର୍ଯ୍ୟଦେବଙ୍କର ମିଳନ ହୁଏ। ସେହିପରି ଚନ୍ଦ୍ରପୁତ୍ର ବୁଧଙ୍କ ସହିତ ସୂର୍ଯ୍ୟଦେବଙ୍କର ସଂଯୋଗ ହେବାରୁ ବୁଧାଦିତ୍ୟ ଯୋଗ ପଡ଼େ। ଫଳରେ ସୂର୍ଯ୍ୟଙ୍କର ଦକ୍ଷିଣାୟନ ହେତୁ ଯେଉଁ କାର୍ଯ୍ୟ ସଂପନ୍ନ ହୋଇ ପାରୁ ନଥାଏ, ତାହା ଏହି ସମୟରେ ସଂପନ୍ନ ହୋଇଥାଏ। କଥିତ ଅଛି, ଏହି ସମୟରେ ଯେ ମୃତ୍ୟୁ ବରଣ କରେ ସେ ବିଷ୍ଣୁଲୋକ ପ୍ରାପ୍ତ ହୁଏ। ଏହାର ସବୁଠାରୁ ବଡ଼ ଉଦାହରଣ ରହିଛି ‘ମହାଭାରତ’ରେ। କାରଣ, ପିତାମହ ଭୀଷ୍ମ ଶରଶଯ୍ୟାରେ ଶୋଇ ରହି ଅଶେଷ କଷ୍ଟ ଭୋଗ କରୁଥିଲେ ମଧ୍ୟ, ଉତ୍ତରାୟଣକୁ ଅପେକ୍ଷା କରି ଶରୀର ତ୍ୟାଗ କରି ନଥିଲେ।
ସମଗ୍ର ଭାରତବର୍ଷରେ ଏହି ସଂକ୍ରାନ୍ତିକୁ ମହା ସମାରୋହରେ ପାଳନ କରାଯାଇଥାଏ। ମକରସଂକ୍ରାନ୍ତି ଭାରତର ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ପରିଚିତ। ଯଥା- ଉତ୍ତରାୟଣ ସଂକ୍ରାନ୍ତି, ମାଘି ସଂକ୍ରାନ୍ତି, ବିହୁ, ଟୁସୁ, ପୋଙ୍ଗଲ, ଭୋଗୀ ଇତ୍ୟାଦି।
ଓଡ଼ିଶାର ଏହା ଏକ ଗଣପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗାଁ ଗାଁରେ ନୂଆଧାନର ଚାଉଳ ସହିତ ଛେନା, କଦଳୀ, ଗୁଡ଼ ଓ କ୍ଷୀର ଆଦି ମିଶାଇ ମକର ଚାଉଳ ପ୍ରସ୍ତୁତ କରାଯାଇ ସୂର୍ଯ୍ୟଙ୍କୁ ଭୋଗ ଦିଆଯାଏ। ସମବୟସୀମାନେ ନିଜ ନିଜର ବଂଧୁତାକୁ ଦୃଢ଼ କରିବାପାଇଁ ପରସ୍ପରକୁ ମକର ଚାଉଳ ଖୁଆଇ ମକର ବସିଥାନ୍ତି। ଶ୍ରୀମନ୍ଦିରରେ ଏହି ଉତ୍ସବ ଏକ ଭିନ୍ନ ରୀତିରେ ପାଳିତ ହୋଇଥାଏ। ବିଶ୍ୱାସ କରାଯାଏ ଯେ ପୌଷ ସଂକ୍ରାନ୍ତିରେ ମହାଲକ୍ଷ୍ମୀ ନିଜ ବାପଘରକୁ ଯାଇଥାନ୍ତି ଏବଂ ଏହିଦିନ ତାଙ୍କର ଘର ଲେଉଟାଣି ହୋଇଥାଏ।
-ଡକ୍ଟର ତୁଳସୀ ଓଝା