ଭୁବନେଶ୍ବର: ସେନେହ ଡୋରିରେ ମମତାର ମାଳି ଗୁନ୍ଥି, ଭାଇ ହା‌ତେ ଭାଉଣୀ ବାନ୍ଧି ଦେବ। ଖଣ୍ଡିଏ ରେଶମୀ ଡୋର ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଲାଣି ରାଜଧାନୀର ହାଟ, ବଜାର ଓ ଅନ୍‌ଲାଇନ୍‌ ସପିଂ ସାଇଟ୍‌। ଆସନ୍ତା ୩୦ ତାରିଖରେ ରାଖି ପୂର୍ଣ୍ଣିମା। ଭାଇ ଭଉଣୀକୁ ସ୍ନେହ ବନ୍ଧନରେ ବାନ୍ଧି ରଖିବାରେ ଏହି ପତଳା ରେଶମୀ ଡୋରିର ମହତ୍ୱ ଅନେକ। ଆଜିର ଡିଜିଟାଲ୍‌ ଯୁଗରେ ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ଶୁଭେଚ୍ଛା ଜଣାଉଥିଲେ ମଧ୍ୟ ଏହି ଦିନ ଭାଇଟିଏ ଯେତେ ଦୂରରେ ଥାଉନା କାହିକିଁ ଭଉଣୀଟିଏ ତା’ ପାଖକୁ ଧାଇଁ ଆସେ ସେନେହର ଡୋରିଟିଏ ହାତରେ ବାନ୍ଧି ଦେବାକୁ। ଯଦି କୌଣସି ଭଉଣୀ ନ ଆସି ପାରୁଛନ୍ତି, ତେବେ ନିଶ୍ଚିତ ରାଖିଟିଏ ପଠାଇ ଦିଅନ୍ତି ଭାଇ ନାଁରେ।

ଆଦରରେ ଭାଇ ଫଟୋ ଓ ନାମ ଲେଖା ରାଖି

Advertisment

ଏବେ ରେଶମୀ ସୂତାରେ ଗୁନ୍ଥା ଦୁଇ ଚାରୋଟି ମାଳି ତିଆରି ରାଖି ପୁରୁଣା ହେଲାଣି। ପର୍ସୋନାଲାଇଜ୍‌ଡ୍‌ ଓ କଷ୍ଟମାଇଜ୍‌ଡ୍‌ ଉପହାର ଭଳି ରାଖି ମଧ୍ୟ ଅତ୍ୟାଧୁନିକ ହେଉଛି। ରାଖି ଉପରେ ଭାଇ, ଭଉଣୀଙ୍କ ସୁନ୍ଦର ସୁନ୍ଦର ଫଟୋ ପ୍ରିଣ୍ଟ୍‌ ଏବେ ଚାହିଦାରେ ରହିଛି। ଏଥିସହ ଭାଇର ନାମ ଲେଖାଥିବା କଷ୍ଟମାଇଜ୍‌ଡ୍‌ ରାଖିର ଚାହିଦା ବି କିଛି କମ୍‌ ନାହିଁ। ଏହାକୁ ବିଶେଷ କରି ବିଭିନ୍ନ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରୁ ଅର୍ଡର କରାଯାଉଛି। ଏହି ଫଟୋ ଫ୍ରେମ୍‌ ଥିବା ପର୍ସୋନାଲାଇଜ୍‌ଡ୍‌ ରାଖି ୨୫୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ସୁନେଲି, ସିଲ୍‌ଭର୍‌ କିମ୍ବା କଳା ରଙ୍ଗର ଧାତୁରେ ଭାଇର ନାମ ଲେଖିଥିବା ରାଖି ଏବେ ଅଧିକ ପ୍ରଚଳିତ। ଏହାର ଦାମ୍‌ ୨୦୦ ଟଙ୍କାରୁ ଆରମ୍ଭ କରି ଡିଜାଇନ୍‌ ଅନୁସାରେ ଦାମ୍‌ ରହିଛି। ଏଥିସହ ବଡ଼ା ଭାଇ, ମୁଡି ଭାଇ, ସ୍ବାଗ୍‌ ୱାଲା ଭାଇ, କେୟାରିଂ ଭାଇ, ପବ୍‌ଜି ୱାଲା ଭାଇ, ମେରା ଭାଇ, ବ୍ରଦର୍‌ ଆଜି ଲେଖାଥିବା ରାଖି ମଧ୍ୟ ବଜାରରେ ଉପଲବ୍ଧ ହେଉଛି।

publive-image

ମନ ଜିଣୁଛି ରୁଦ୍ରାକ୍ଷ ରାଖି
ଆମ ହିନ୍ଦୁ ଧର୍ମରେ ରୁଦ୍ରାକ୍ଷକୁ ଅତ୍ୟନ୍ତ ପବିତ୍ର ଓ ରକ୍ଷାକବଚ ବୋଲି ବିବେଚନା କରାଯାଇଛି। ଏଣୁ ଏବେ ବଜାର, ଅନ୍‌ଲାଇନ୍‌ ସପ୍‌ଠାରୁ ଆରମ୍ଭ କରି ସବୁଠି ରୁଦ୍ରାକ୍ଷକୁ ନେଇ ରାଖି ଦେଖିବାକୁ ମିଳୁଛି। କଷ୍ଟମାଇଜ୍‌ଡ୍‌ ଓ ପର୍ସୋନାଲାଇଜ୍‌ ରାଖିରେ ମଧ୍ୟ ରୁଦ୍ରାକ୍ଷ ଗୁନ୍ଥା ହୋଇ ରହୁଛି। ଏସବୁର ଦାମ୍‌ ୩୦ ଟଙ୍କାରୁ ଆରମ୍ଭ କରି ଡିଜାଇନ୍‌ ଅନୁସାରେ ମୂଲ୍ୟ ରହୁଛି। ଜାଗମରାସ୍ଥିତ ବିପିନି ଗିଫ୍ଟ ସପ୍‌ର ସତ୍ତ୍ବାଧିକାରୀ ଲୋକନାଥ ପାତ୍ର କହିଛନ୍ତି, ଯେମିତି ଜଗନ୍ନାଥ ରାଖିର ଚାହିଦା ରହିଛି ଠିକ୍‌ ସେହିଭଳି ରୁଦ୍ରାକ୍ଷ ମାଳି ଗୁନ୍ଥା ରାଖି ଲୋକ ଅଧିକ ପସନ୍ଦ କରୁଛନ୍ତି।

ଏଥିସହ ଆଗ ଭଳି ଏବେ ମଧ୍ୟ ବଜାର‌ରେ ଷ୍ଟୋନ୍‌, କ୍ରିଷ୍ଟାଲ, ଚେନ୍‌, ଟେଡ୍ଡି, କାର୍ଟୁନ୍‌ ଓ ଫ୍ୟାନ୍‌ସି ରାଖି ଉପଲବ୍ଧ ହେଉଛି। ଷ୍ଟୋନ୍‌ ଓ କ୍ରିଷ୍ଟାଲ ରାଖିର ଚାହିଦା ବେଶି ରହିଥିବା ବେଳେ ଏହାର ଦାମ୍‌ ୨୦ ଟଙ୍କାରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। କୁନି ପିଲାମାନଙ୍କ ପାଇଁ ଡୋରେମନ୍‌, ଛୋଟାଭୀମ୍‌, ମୋଟୁ ପତ୍‌ଲୁ, ଆଙ୍ଗ୍ରିବାର୍ଡ, ସ୍ପାଇଡର ମ୍ୟାନ୍‌ ଭଳି କାର୍ଟୁନ୍‌ ରାଖି ରହିଛି। ଏହାସହ ମୋବାଇଲ୍‌ ରାଖି, ଗିଟାର, ପ୍ରଜାପତି, କାର୍ଟୁନ୍‌ ଉପରେ ଫ୍ୟାନ୍‌ ଲାଗିଥିବା ରାଖି ଆଦି ମିଳୁଛି। ଏଥିସହ ଛୋଟ ଛୁଆମାନେ ଏବେ ବି ମ୍ୟୁଜିକ୍‌ ରାଖିକୁ ଅଧିକ ପସନ୍ଦ କରୁଥିବା ଶ୍ରୀ ପାତ୍ର କହିଛନ୍ତି। ଏଗୁଡ଼ିକ ବି ୧୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାଛଡ଼ା ରାଖି, ଲବଙ୍ଗ, ଅଳେଇଚ, ସିନ୍ଦୂର, ଚାଉଳ, ଚନ୍ଦନ, ମିଶ୍ରି ଆଦି ସଜା ହୋଇଥିବା ରାଖି ଥାଳିର ମଧ୍ୟ ଆଦରରେ ରହିଛି। ଏହାର ଦାମ୍‌ ୨୦ଟଙ୍କାରୁ ଆରମ୍ଭ କରି ୧୫୦ଟଙ୍କା ଭିତରେ ରହିଛି। ରାଜସ୍ଥାନ, ମହାରାଷ୍ଟ୍ର, ଦିଲ୍ଲୀ, କୋଲକାତା, ସୁରତ ଓ ରାଜକୋଟରୁ ପ୍ରତିବର୍ଷ ରାଖି ଓଡ଼ିଶାକୁ ଆସିଥାଏ।