ଆପଣ ଭାବୁଥିବେ ଯେ ଆତ୍ମା ତ ପ୍ରତ୍ୟେକ ଲୋକ ମଧ୍ୟରେ ଥାଏ। ପ୍ରତ୍ୟେକ ଲୋକର ଆତ୍ମା ନିଜସ୍ୱ। ତାହାଲେ ପ୍ରଶ୍ନ ଉଠୁଛି ଯେ ପୁରୁଷର ଆତ୍ମା କ’ଣ ସ୍ୱତନ୍ତ୍ର? କାହିଁକି ପୁରୁଷର ଆତ୍ମା ବୋଲି ଶାସ୍ତ୍ରରେ ଆଉ କାହାକୁ ବିବେଚନା କରାଯାଇଥାଏ।

Advertisment

ଯେମିତି ଜଣେ ନାରୀର ଭଗବାନ, ସ୍ୱର୍ଗ ବା ସର୍ବସ୍ୱ ତା’ର ସ୍ୱାମୀ ହୋଇଥାନ୍ତି ବୋଲି ପୂର୍ବରୁ ପୁରାଣରେ ବର୍ଣ୍ଣନା କରାଯାଇଛି ସେହିପରି ଜଣେ ପୁରୁଷର ଆତ୍ମା ଭାବେ ପୁତ୍ରକୁ ବିବେଚନା କରାଯାଏ। କୁହାଯାଏ ଯେ ଜଣେ ପୁରୁଷ ଯଦି ଏକ ଶରୀର ହୁଏ ଆତ୍ମା ରହେ ସେ ପୁରୁଷର ପୁତ୍ର ମଧ୍ୟରେ।

ଏ ନେଇ ଏକ ସୁନ୍ଦର କାହାଣୀଟିଏ ରହିଛି। ଥରେ ଜଣେ ରାଜା କୌଣସି ଏକ ଦୋଷରେ ଜଣେ ବାପା ଓ ତାଙ୍କର ଏକମାତ୍ର ପୁତ୍ରକୁ ବନ୍ଦୀ ନିର୍ଦ୍ଦେଶ ଦେଲେ। ରାଜାଙ୍କ ଲୋକେ ଯାଇ ଉଭୟ ବାପ-ପୁଅଙ୍କୁ ବାନ୍ଧି ଆଣିଲେ। ରାଜା ସେ ଦୁଇ ଜଣକୁ ନେଇ କାରାଗାରରେ ରଖିଲେ। ପ୍ରଥମେ ବାପାକୁ ଦଣ୍ଡସ୍ୱରୁପ ୧୦୦ ଚାବୁକ ପାହାର ଖାଇବାକୁ ଆଦେଶ ଦେଲେ। ପାହାର ଖାଇବା ସମୟରେ ବାପା ନିଜକୁ ଦମ୍ଭ କରି ସହିଗଲେ। ଟିକେ ବି ବିଚଳିତ ହେଲେ ନାହିଁ। ବାପର ୧୦୦ ଚାବୁକ ପାହାର ପରେ ପୁଅ ପାଳି ଆସିଲା। ପୁଅକୁ ବି ଚାବୁକରେ ବାଡ଼େଇବା ପାଇଁ ରାଜା ନିର୍ଦ୍ଦେଶ ଦେଲେ। ମାତ୍ର ପୁତ୍ର ପିଠିରେ ଥରେ ହିଁ ଚାବୁକ ବାଜୁ ବାଜୁ ପିତା ଭୋ ଭୋ ହୋଇ କାନ୍ଦି ଉଠିଲେ।

publive-image

ରାଜା ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ, ‘ତୁମେ ନିଜେ ୧୦୦ ପାହାର ଖାଇଲ ହେଲେ ଟିକେ ବି ବିଚଳିତ ହେଲ ନାହିଁ ମାତ୍ର ତୁମ ପୁତ୍ର ଦେହରେ ଚାବୁକ ବାଜୁ ବାଜୁ ହିଁ ତୁମେ କାହିଁକି ଭୋ ଭୋ ହୋଇ କାନ୍ଦି ଉଠିଲ?’ ବାପା ଉତ୍ତର ଦେଲେ, ‘ମୋତେ ବାଡ଼େଇଲା ବେଳେ ମୋ ଶରୀର ମାଡ଼ ଖାଉଥିଲା। ମାତ୍ର ମୋ ପୁଅକୁ ବାଡ଼େଇଲା ବେଳେ ତାହା ମୋ ଆତ୍ମାରେ ବାଜୁଛି। ଶରୀର କଷ୍ଟଠାରୁ ଆତ୍ମାର କଷ୍ଟ ବେଶି ଯନ୍ତ୍ରଣାଦାୟକ। ସେତେବେଳେ ମୋତେ କଷ୍ଟ ହେଉଥିଲେ ବି ଏବେ ପରି ହେଉନଥିଲା। ସେ କଷ୍ଟକୁ ମୁଁ ସହିପାରିଥିଲି ମାତ୍ର ଏ କଷ୍ଟ ସହିବା ସମ୍ଭବ ହେଉନାହିଁ।’

ରାଜା ବ୍ୟକ୍ତିଙ୍କ ମୁହଁରୁ ଏପରି ଶୁଣିବା ପରେ ଦୟା ପରବଶ ହୋଇ ଉଭୟ ବାପା-ପୁଅଙ୍କୁ ମୁକ୍ତି କରି ଦେଇଥିଲେ।

(ବି.ଦ୍ର: ପୁଅ-ଝିଅ ମଧ୍ୟରେ ଆମେ କୌଣସି ଅସମାନତା ଅନୁଭବ କରୁନାହୁଁ। ସେ ସମୟରେ ଚାଲୁଥିବା ପ୍ରଥା ଅନୁସାରେ କେବଳ ଏକ କାହାଣୀକୁ ଏଠାରେ ଉପସ୍ଥାପନା କରିଛୁ। କାହାର ଭାବପ୍ରବଣତାକୁ କ୍ଷତି ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନୁହେଁ।)