/* */

ମନସା ପଞ୍ଚମୀ

ମୁନି କଶ୍ୟପଙ୍କର ମାନସକନ୍ୟା ଦେବୀ ମନସା ବହୁ ପ୍ରାଚୀନ କାଳରୁ ସର୍ପଦେବୀ ଭାବରେ ଭାରତର ବିଭିନ୍ନ ସଂପ୍ରଦାୟ ଦ୍ୱାରା ପୂଜିତା। ‘ବ୍ରହ୍ମବୈବର୍ତ୍ତ ପୁରାଣ’ ଓ ‘ଦେବୀ ଭାଗବତ’ରେ ସେ ଜରତ୍‌କାରୁ ନାମରେ ଶିବ ଓ କୃଷ୍ଣ ଉଭୟଙ୍କ ସହିତ ସଂଯୁକ୍ତ। ଏଥିରେ ତାଙ୍କର ଦ୍ୱାଦଶ ନାମର ଉଲ୍ଲେଖ ରହିଛି। ଯଥା- ମନସା, ଜରତ୍‌କାରୁ, ଜଗତ୍‌ଗୌରୀ, ସିଦ୍ଧଯୋଗିନୀ, ଶୈବୀ, ବୈଷ୍ଣବୀ, ନାଗଭଗିନୀ, ନାଗେଶ୍ୱରୀ, ଜରତ୍‌କାରୁପ୍ର୍ରିୟା, ଆସ୍ତିକ ମାତା, ବିଷହାରିଣୀ, ମହାଜ୍ଞାନଯୁକ୍ତା ଇତ୍ୟାଦି।
ଗୁଣ, କର୍ମ ଓ ଜନ୍ମ ଅନୁସାରେ ତାଙ୍କର ପ୍ରତ୍ୟେକ ନାମ ପଛରେ ଯୁକ୍ତିଯୁକ୍ତ କାରଣ ନିହିତ ଅଛି। ମାନସକନ୍ୟା ହେତୁ ସେ ମନସା। ସେହିପରି, ଈଶ୍ୱରଙ୍କଠାରୁ ଯୋଗଶିକ୍ଷା କରି ସେ ସିଦ୍ଧଯୋଗିନୀ। ତାଙ୍କ ଶରୀରର ରଙ୍ଗ ଅତ୍ୟନ୍ତ ଗୌରବର୍ଣ୍ଣ ଏବଂ ନାଗଲୋକରୁ ବ୍ରହ୍ମଲୋକ ପର୍ଯ୍ୟନ୍ତ ତାଙ୍କ ପରି କେହି ସୁନ୍ଦରୀ ନଥିବାରୁ ସେ ଜଗତ୍‌ଗୌରୀ। ଏହିପରି ଭାବରେ, ତାଙ୍କର ପ୍ରତ୍ୟେକ ନାମ ପଛରେ କୌଣସି ନା କୌଣସି ତଥ୍ୟ ରହିଛି।

ଚମ୍ପକବରଣା ଏହି ଦେବୀ ବିଭିନ୍ନ ରତ୍ନ ଅଳଙ୍କାରରେ ଭୂଷିତା ହୋଇ, ଶରୀରରେ ଯ‌େଜ୍ଞାପବୀତ ଭାବରେ ଏକ ନାଗ ଧାରଣ କରିଥାନ୍ତି। ଅଶେଷ ସିଦ୍ଧିର ଅଧିକାରିଣୀ ହେତୁ ସେ ସମସ୍ତ ସିଦ୍ଧଗଣଙ୍କର ମୁଖ୍ୟା ଭାବରେ ସିଦ୍ଧି ନାମରେ ପରିଚିତା ହୋଇଥାନ୍ତି। ସେ କେବଳ ଉତ୍ତମ ସାଧକକୁ ସିଦ୍ଧି ପ୍ରଦାନ କରନ୍ତି। ଯିଏ ମନସାଙ୍କଠାରୁ ସିଦ୍ଧି ପ୍ରାପ୍ତ ହୋଇଥାଏ ସେ ସମଗ୍ର ପୃଥିବୀରେ ସିଦ୍ଧ ଭାବରେ ସ୍ୱୀକୃତ ହୁଏ। ସେ ଦ୍ୱିତୀୟ ଧନ୍ୱନ୍ତରୀରେ ପରିଣତ ହୋଇଥାଏ।

କଥିତ ଅଛି, ଶ୍ରାବଣ ମାସର ପ୍ରଥମ ଦିନରେ ମନସା ଦେବୀଙ୍କୁ ପ୍ରାର୍ଥନା କଲେ ଅଶେଷ ପୁଣ୍ୟ ମିଳିଥାଏ। ସେହିପରି, ଶୁକ୍ଳପକ୍ଷର ପଞ୍ଚମ ଦିନରେ ଏହି ଦେବୀଙ୍କୁ ପାଦ୍ୟ, ଅର୍ଘ୍ୟ ପ୍ରଦାନ କଲେ, ଭକ୍ତ ତାଙ୍କ କୃପାରୁ ଧନ, ରତ୍ନ ଓ ଯଶ ଏବଂ ପୁତ୍ର, କନ୍ୟା ଲାଭ କରିଥାଏ।

ସମସ୍ତ ପ୍ରାଣୀଙ୍କ ମଧ୍ୟରେ ସର୍ପ ଅତ୍ୟନ୍ତ କ୍ରୋଧୀ ବୋଲି ପୁରାଣରେ ଉଲ୍ଲେଖ ଅଛି। ତେଣୁ ପ୍ରାଣୀମାନଙ୍କୁ ସର୍ବଦା ସର୍ପ ଦଂଶନର ଭୟ ରହିଥାଏ। ଦେବୀ ମନସାଙ୍କ ପୁତ୍ର ଆସ୍ତିକ ସର୍ପମାନଙ୍କୁ ଜନ୍ମେଜୟଙ୍କ ସର୍ପଯଜ୍ଞରୁ ଉଦ୍ଧାର କରିଥିଲେ। ତେଣୁ ସର୍ପମାନେ ସର୍ବଦା ମନସାଙ୍କ ପ୍ରତି କୃତଜ୍ଞ ରହିଥାନ୍ତି। ତେଣୁ ସର୍ପଦଂଶନରୁ ରକ୍ଷା ପାଇବା ପାଇଁ ମନସା ପୂଜାର ପ୍ରଚଳନ ବୋଲି କୁହାଯାଏ। ‘ମନସା ବିଜୟ’ ଗ୍ରନ୍ଥ ଅନୁଯାୟୀ, ଜଣେ ଗୋପାଳକ ପ୍ରଥମେ ମନସା ଦେବୀଙ୍କର ଆରାଧନା କରିଥିଲେ। ପରବର୍ତ୍ତୀ କାଳରେ ମନସା ପୂଜାର ପ୍ରଚାର ଓ ପ୍ରସାର ଘଟିଛି।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର