ଆମ୍ବ ଚାରିଜାତିର, ଜାଣନ୍ତୁ କେଉଁ ଜାତିର ଆମ୍ବ କିଣିଲେ ଆପଣ ଖାଇବେନି ଧୋକା

ଏବେ ପୁଣିଥରେ ଆସିଯାଇଛି ଆମ୍ବର ଋତୁ। ଫଳବଜାର ଭରି ଉଠିଛି ନାନା ଜାତିର ଆମ୍ବରେ। ସେ ସବୁ ଆକାର, ରଙ୍ଗ ଓ ସୁଆଦରେ ଏତେ ପ୍ରକାରର ଯେ ତାହା ମନେ ରଖିବା ସମ୍ଭବପର ନୁହେଁ। କିନ୍ତୁ ବିଶିଷ୍ଟ ବୌଦ୍ଧସାଧକ ନାଗାର୍ଜୁନ ଦୁନିଆର ସବୁ ଆମ୍ବକୁ ମାତ୍ର ଚାରିଟି ଜାତିରେ ବିଭକ୍ତ କରିଛନ୍ତି। ସେହି ଚାରିଜାତିର ଆମ୍ବ ହେଉଛି-

୧. ଯେଉଁ ଆମ୍ବ କଞ୍ଚା ଥାଏ- ଅଥଚ ପାଚିଲା ପରି ଦେଖାଯାଏ,

୨. ଯେଉଁ ଆମ୍ବ ପାଚିଥାଏ- ଅଥଚ କଞ୍ଚା ପରି ଦେଖାଯାଏ,

୩. ଯେଉଁ ଆମ୍ବ କଞ୍ଚା ଥାଏ ଓ କଞ୍ଚା ପରି ଦେଖାଯାଏ,

୪. ଯେଉଁ ଆମ୍ବ ପାଚିଥାଏ ଓ ପାଚିଲା ପରି ଦେଖାଯାଏ।

nari.punjabkesari.in

ଏହି ଚାରିଜାତିର ଆମ୍ବ ଅନୁସାରେ ଆଚାର୍ଯ୍ୟ ନାଗାର୍ଜୁନ ମଣିଷମାନଙ୍କୁ ବି ଚାରି ଜାତିରେ ବିଭକ୍ତ କରିଛନ୍ତି। ସେ କହିଛନ୍ତି, ଆମେ ଆମ୍ବ କିଣିବା ବେଳେ ସାଧାରଣତଃ ଚତୁର୍ଥ କିସମର ଆମ୍ବକୁ ହିଁ ବାଛି ଥାଉ। କାରଣ, ଏହି ଆମ୍ବ ପାଚିଲା ପରି ଦେଖାଯାଏ ଆଉ ପାଚିଥାଏ। ଏଥିରେ କୌଣସି ପ୍ରକାରର ହାନି ବା ଧୋକା ଖାଇବାର ଆଶଙ୍କା ନଥାଏ। ଏହା ପରେ ଆମେ ତୃତୀୟ ଜାତିର ଆମ୍ବ ପ୍ରତି ଧ୍ୟାନ ଦେବା ଉଚିତ। କାରଣ, ଏହି ଆମ୍ବ କଞ୍ଚା ଥାଏ ଓ କଞ୍ଚାପରି ବି ଦେଖାଯାଏ। ତେଣୁ ଏହା ଆମକୁ ଧୋକା ଦିଏ ନାହିଁ। ଆମେ ହୁଏତ ଏହାକୁ କିଣୁ ନାହିଁ ବା କିଣିଲେ ପାଚିବା ଯାଏ ଅପେକ୍ଷା କରୁ।

ଏହା ପରେ, ଆମେ ଦ୍ୱିତୀୟ କିସମର ଆମ୍ବକୁ ବାଛିବା ଉଚିତ ବୋଲି ନାଗାର୍ଜୁନ କହିଛନ୍ତି। କାରଣ, ଏହା ଉପରକୁ କଞ୍ଚା ପରି ଦେଖାଗଲେ ମଧ୍ୟ, ଭିତରେ ପାଚିଥାଏ। ଏହାକୁ କିଣିଲେ, ଆମେ ହୁଏତ ପ୍ରଥମେ ଟିକିଏ ଦ୍ୱିଧାରେ ପଡ଼ୁ, କିନ୍ତୁ ଥରେ ତାହାକୁ କାଟି ପରଖି ନେବା ପରେ ସବୁ ଦ୍ୱିଧା ଦୂର ହୋଇଯାଏ।

ଶେଷରେ, ଆମକୁ ପ୍ରଥମ ଜାତିର ଆମ୍ବ ବାବଦରେ ଚେତାଇ ଦେଇଛନ୍ତି ଆଚାର୍ଯ୍ୟ ନାଗାର୍ଜୁନ। କହିଛନ୍ତି- ସାବଧାନ! ଆମେ ଯେମିତି ଏହି କିସମର ଆମ୍ବକୁ ଜମା ନକିଣୁ। କାରଣ, ଏହା ଉପରକୁ ପାଚିଲା ପରି ଦେଖାଗଲେ ମଧ୍ୟ ଭିତରେ କଞ୍ଚା ଥାଏ। ଏହା ଆମକୁ ଧୋକା ଦିଏ।

ଆମପାଇଁ ଏହାର ଅଧିକ ବ୍ୟାଖ୍ୟା କରି ସେ କହିଛନ୍ତି- ଜୀବନରେ ବିଭିନ୍ନ ପ୍ରକାରର ଲୋକ ଆମ ସଂସ୍ପର୍ଶରେ ଆସନ୍ତି। ସେମାନେ ଏହି ଚାରି ଜାତିର ଆମ୍ବ ପରି। ଏବେ ଦୁନିଆରେ ପ୍ରଥମ ଜାତିର ଆମ୍ବ ପରି ଅନେକ ଲୋକ ଅଛନ୍ତି। ସେମାନେ ଉପରକୁ ପାଚିଲା ପରି ଜଣାଗଲେ ବି ସେମାନଙ୍କର ଭିତରଟା ପୂରା କଞ୍ଚା। ସେମାନଙ୍କ ସହ ସଂପର୍କ ରଖିଲେ ଆମେ ଧୋକା ଖାଇବା ସାର ହୁଏ। ତେଣୁ ସେମାନଙ୍କଠାରୁ ଦୂରେଇ ରହିବା ଶ୍ରେୟସ୍କର।

ସମ୍ବନ୍ଧିତ ଖବର