‘ସ୍ୱର୍ଣ୍ଣାଦ୍ରି ମହୋଦୟ’ର ବର୍ଣ୍ଣନା ଅନୁଯାୟୀ, ଏକଦା ପାର୍ବତୀଙ୍କର ଏକ ପ୍ରଶ୍ନର ଉତ୍ତରରେ ଦେବଦେବ ମହାଦେବ କହିଥିଲେ- ଦକ୍ଷିଣ ସମୁଦ୍ର ତଟରେ ସର୍ବ ପାପହର ଏକ ବନ ଅଛି; ଯାହାର ନାମ ଏକାମ୍ର। ସେ ସ୍ଥାନ ଦେବତାମାନଙ୍କ ନିମିତ୍ତ ମଧ୍ୟ ଦୁଷ୍ପ୍ରାପ୍ୟ। ସେଠାରେ ମୁଁ ଏକାମ୍ରେଶ୍ୱର ଭାବରେ ରହେ। କେବଳ ମୋର ନୁହେଁ ସେ ସ୍ଥାନଟି ବିଷ୍ଣୁଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ ସ୍ଥାନ। ସେଠାରେ ବିଷ୍ଣୁ ଶେଷଦେବ ରୂପରେ ଶୟନ କରିଥାନ୍ତି। ସେହି କ୍ଷେତ୍ରରେ ନାନା ମହୀରୁହ ଗହଣରେ ଏକ କ୍ରୋଶ ପରିମିତ ଏକ ଆମ୍ର ବୃକ୍ଷ ରହିଛି। ସେହି ବୃକ୍ଷ ଛାୟାରେ କୋଟି ଲିଙ୍ଗ ରୂପ ଗ୍ରହଣ କରି ଶମ୍ଭୁନାଥ ବିରାଜମାନ।

Advertisment

ସେହିପରି, ‘ମହାଭାରତ’, ‘ଭୀଷ୍ମପର୍ବ’ର ବର୍ଣ୍ଣନା ଅନୁଯାୟୀ- ମେରୁ ପର୍ବତର ପୂର୍ବ ଭାଗରେ ଭଦ୍ରଶାଳ ନାମରେ ଏକ ଅରଣ୍ୟ ରହିଛି। ସେହି ଅରଣ୍ୟ ମଧ୍ୟରେ ଯୋଜନ ପରିମିତ ପରିବ୍ୟାପ୍ତ ଏକ ଆମ୍ରବୃକ୍ଷ ରହିଛି; ଯାହାର ନାମ କାଳାମ୍ର ବା ଚିରନ୍ତନୀ ଆମ୍ବ ବୃକ୍ଷ। ସେହି ବୃକ୍ଷ ସର୍ବଦା ଫଳ ଓ ପୁଷ୍ପର ଭାରାରେ ଅବନତ। ସିଦ୍ଧ ଚାରଣମାନଙ୍କର ଏହା ଆଶ୍ରୟସ୍ଥଳୀ। ଏହି ବୃକ୍ଷତଳେ ବାସ କରୁଥିବା ବ୍ୟକ୍ତିମାନେ ଗୌରବର୍ଣ୍ଣ ଓ ଅତି କମନୀୟକାନ୍ତି ସଂପନ୍ନ। ସେମାନେ ଏହି ବୃକ୍ଷର ରସ ପାନ କରି ଦଶ ସହସ୍ର ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି। ସେମାନଙ୍କର ଯୌବନ ସର୍ବଦା ସ୍ଥିର ରହିଥାଏ। ବ୍ରହ୍ମାଙ୍କ ସହିତ ମୁନିଋଷିମାନେ ସର୍ବଦା ଏଠାରେ ରହିଥାନ୍ତି।

ଏହିପରି ଭାବରେ ବିଭିନ୍ନ ପୁରାଣରେ ଆମ୍ରବୃକ୍ଷର ମହାନତା ସଂପର୍କରେ ଅନେକ ଉଲ୍ଲେଖ ମିଳେ। ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ଏହାର ପତ୍ର, ଫୁଲ, କାଠ ଆଦି ବ୍ୟବହୃତ ହୋଇଥାଏ। ଯଜ୍ଞର ସମୀଧ ହୁଏ ଆମ୍ବକାଠ। ପୌଷ ଅମାବାସ୍ୟାରେ ‘ବକୁଳ ଲାଗି’ ଶ୍ରୀମନ୍ଦିରର ଏକ ସ୍ୱତନ୍ତ୍ର ଉତ୍ସବ। ଏଥିରେ ଆମ୍ବ ବଉଳ ପଡ଼ି ଗଇଁଠା ପ୍ରସ୍ତୁତ ହୁଏ ଏବଂ ଭୋଗ ହୁଏ। କିନ୍ତୁ ପ୍ରାତ୍ୟହିକ ଜୀବନରେ ସବୁଠାରୁ ଅଧିକ ବ୍ୟବହୃତ ହୁଏ ଆମ୍ବପତ୍ର। ଆଶ୍ୱିନ ମାସ ଦେବୀ ଦୁର୍ଗାଙ୍କର ଆଗମନର ମାସ। ଏହି ସମୟରେ ଏହାର ତାତ୍ତ୍ୱିକତା ଓ ସର୍ବମାନ୍ୟତାର ନିର୍ଯ୍ୟାସ ପରିସ୍ଫୁଟ ହୋଇଥାଏ। ଦେବୀ ନବଦୁର୍ଗାଙ୍କୁ ନଅଟି ପତ୍ର ମାଧ୍ୟମରେ ଆବାହନ କରାଯାଇ ଥାଏ। ଯଥା: କଦଳୀ, ସାରୁ, ହଳଦୀ, ଅଶୋକ, ଡାଳିମ୍ବ, ମାଣସାରୁ, ଧାନ ଓ ଜୟନ୍ତୀ। ଏସବୁ ସହିତ ବେଲ ଥାଏ; କିନ୍ତୁ ଏଥିରେ ଆମ୍ବ ପତ୍ର ନଥାଏ। କିନ୍ତୁ ଆମ୍ବପତ୍ରର ଆବଶ୍ୟକତା ସର୍ବାଧିକ; ଯେପରି- ଦେବୀ ଦୁର୍ଗାଙ୍କର ସହସ୍ର କୁମ୍ଭରେ ସହସ୍ର ଆମ୍ବଡାଳ, ତୋରଣରେ ଆମ୍ବପତ୍ରମାଳ। ଏପରିକି ପ୍ରତ୍ୟେକ ଘରର ଦୁଆରବନ୍ଧ ଆମ୍ବପତ୍ରରେ ସଜ୍ଜିତ ହୋଇଥାଏ।

ଏହା ବ୍ୟତୀତ ମାନ୍ୟତା କହେ, ଆମ୍ବପତ୍ରରେ ରହିଛି ଅସମ୍ଭବ ଦିବ୍ୟଶକ୍ତି। ଏହା ବ୍ରହ୍ମାଙ୍କର ଆସନ ହୋଇଥିବାରୁ, ଏହାକୁ ଲଂଘନ କରି ରୋଗ, ଦୁଃଖ ଓ ଦାରିଦ୍ରୢ ସହିତ କୌଣସି ଅପଶକ୍ତି ଏହାକୁ ଲଂଘନ କରି ଗୃହ ମଧ୍ୟରେ ପ୍ରବେଶ କରି ପାରନ୍ତି ନାହିଁ। ତେଣୁ ଏହା ମଙ୍ଗଳକାରକ। ଏ ବିଶ୍ୱାସ ପ୍ରାଚୀନ ରୂପକଥା ପରି ମନେ ହୋଇପାରେ; କିନ୍ତୁ ସଂପ୍ରତି ବୈଜ୍ଞାନିକମାନେ ପ୍ରମାଣ କରି ଦେଖିଛନ୍ତି- ଆମ୍ବଫଳ ଶ୍ରେଷ୍ଠଫଳ ହେବା ସହିତ, ଏହାର କୋମଳ ସବୁଜପତ୍ରର ରସ ପାନ କଲେ ମଧୁମେହ, ଶ୍ୱାସ, ଯକୃତରୋଗ ତଥା ଚର୍ବି ବୃଦ୍ଧି ଆଦିରୁ ଉପଶମ ମିଳେ। ଏହିପରି ଶାସ୍ତ୍ରୀୟ ତଥା ଔଷଧୀୟ ଗୁଣବତ୍ତା ହେତୁ ଏହା ଶିବ, ବ୍ରହ୍ମା ଓ ବିଷ୍ଣୁଙ୍କର ପ୍ରିୟ ଭାବରେ କଳସର ଶୀର୍ଷମଣ୍ଡନ କରିଥାଏ।

ଡକ୍ଟର ତୁଳସୀ ଓଝା