ମନ୍ତ୍ର ଓ ମହାମନ୍ତ୍ର

ଅଶ୍ବିନୀ କୁମାର ଦାସ

ମନ୍ତ୍ର ଶବ୍ଦର ଅର୍ଥ କ’ଣ ? ମନ୍ତ୍ର କାହାକୁ କୁହନ୍ତି ? ମନ୍ତ୍ର କି ବସ୍ତୁ ? ମନ୍ତ୍ର ଦ୍ୱାରା କ’ଣ ଲାଭ ହୁଏ ଓ କିପରି ? ଏହାର କାରଣ କ’ଣ ?

ଏହାକୁ ବିଶ୍ଲେଷଣ କଲେ ଜଣାଯାଏ, ମନ ଧାତୁରୁ ‘ଙ’ ପ୍ରତୀୟମାନ ‘ତ୍ରୈ’ ଧାତୁଯୁକ୍ତ ହୋଇ ମନ୍ତ୍ର ଶବ୍ଦ ସାଧିତ ହୁଏ। ଅର୍ଥାତ୍ ମନ୍ତ୍ର = ମନ + ତ୍ରୈ +ଙ ,ଅର୍ଥାତ୍  “ମନନାତ୍ ତ୍ରାୟତେ ଯସ୍ମାତ୍ ତସ୍ମାତ୍ ମନ୍ତ୍ର ଉଦାହୃତ “। ଯାହାକୁ ମନଦ୍ୱାରା ଚିନ୍ତନ କରାଯାଏ ଓ ଧ୍ୟାନ ଦ୍ଵାରା ତ୍ରିତାପରୁ ଉଦ୍ଧାର ମିଳେ ତାହାକୁ ମନ୍ତ୍ର କୁହାଯାଏ। ପୁନଶ୍ଚ ଆମେ ଜାଣୁ ଏ ଜଗତ ଭଗବାନଙ୍କ ଦ୍ୱାରା ସୃଷ୍ଟି ଅର୍ଥାତ୍ ଏ ସାରା ସୃଷ୍ଟି ଭଗବାନଙ୍କ ଅଧୀନରେ, ପୁଣି ଭଗବାନ ମନ୍ତ୍ର ଦ୍ୱାରା ବଶୀଭୂତ ହୋଇଥାନ୍ତି, ସେଥିପାଇଁ କୁହାଯାଇଛି-‘ମନ୍ତ୍ରାଧୀନ ଦେବତା’, ପୁନଶ୍ଚ ସେହି ମନ୍ତ୍ର ବ୍ରାହ୍ମଣମାନଙ୍କର ଅଧୀନ ।

ସୁତରାଂ ‘ମନ୍ତ୍ର’ ଅନେକ ପ୍ରକାରର ଅଛି, ଯେପରି ବେଦମନ୍ତ୍ର, ଗାୟତ୍ରୀମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ର, ଅଷ୍ଟଦଶାକ୍ଷରୀ ମନ୍ତ୍ର, ଦ୍ଵାଦଶାକ୍ଷରୀ ମନ୍ତ୍ର, ଓଁକାର ବୀଜମନ୍ତ୍ର, ନୃସିଂହ ମନ୍ତ୍ର, ବଶୀକରଣ ମନ୍ତ୍ର ତଥା କର୍ମକାଣ୍ଡରେ ବ୍ୟବହୃତ ଅନେକ ଦେବାଦେବୀଙ୍କ ମନ୍ତ୍ର । କିନ୍ତୁ ଏହି ମନ୍ତ୍ର ଶବ୍ଦକୁ ଯଦି ବିଚାର କରାଯାଏ, ଏହା ମନ ଶବ୍ଦରୁ ଉଦ୍ଧୃତ। ଏହାଦ୍ୱାରା ଭଗବାନଙ୍କ ସ୍ୱରୂପ, ଗୁଣାବଳୀକୁ ଚିନ୍ତନ, ମନନ, ଧ୍ୟାନ କରାଯାଇଥାଏ । କିନ୍ତୁ ମନ ତ ସଦା ସର୍ବଦା ଚଳଚଞ୍ଚଳ, ଅସ୍ଥିର ଏବଂ ପ୍ରତ୍ୟେକ ଜୀବର  ଗୋଟିଏ ସ୍ୱତନ୍ତ୍ର ମନ ରହିଅଛି , ଏହା କେତେବେଳେ ସ୍ଥିର ନଥାଏ  ବିନା କୌଣସି କାମ ନ କରି ରହିନଥାଏ।

ସେଥିପାଇଁ ଶ୍ରୀମଦ୍ ଭଗବଦ୍ ଗୀତାରେ କୁହାଯାଇଛି :

“ନ ହି କଶ୍ଚିତ୍ କ୍ଷଣମପି ଜାତୁ ତିଷ୍ଠତ୍ୟକର୍ମକୃତ୍ ।

କାର୍ଯ୍ୟତେ ହ୍ୟଵଶଃ କର୍ମ ସର୍ଵଃ ପ୍ରକୃତିଜୈର୍ଗୁଣୈଃ ।।    —-[ଗୀତା -୩/୫]

ତେବେ ଏହା ଯଦି ଈଶ୍ଵରୀୟ ମାର୍ଗକୁ ନିଆଯାଏ ତେବେ ମନ୍ତ୍ର ଉଚ୍ଚାରଣର ସାଫଲ୍ୟ ମିଳିଥାଏ, ଯଦ୍ୱାରା ଈଶ୍ୱର ସନ୍ତୁଷ୍ଟ ହୋଇଥାନ୍ତି । ଆଉ ଯଦି ଖାଲି ମୁହଁରେ ଉଚ୍ଚାରଣ କରି ମନକୁ ପ୍ରବୃତ୍ତି ବା ସଂସାର ମାର୍ଗରେ ଲଗାଇବା ତେବେ ସେ ଭଳି ମନ୍ତ୍ରରେ କୌଣସି ପ୍ରଭାବ ନ ଥାଏ। ତେଣୁ ସେହି ମନକୁ ନିଶ୍ଚଳ ଓ ନିର୍ମଳ କରିବା ପାଇଁ ଜଣେ ସଦ୍ଗୁରୁଙ୍କର ପ୍ରୟୋଜନ  ଜରୁରୀ। ଏହା କେବଳ ଭଗବତ୍ କୃପା ଦ୍ୱାରା ସମ୍ଭବ ହୋଇଥାଏ । ସେହି ଭଗବତ୍ କୃପା ପ୍ରାପ୍ତି ନିମନ୍ତେ ଆମ୍ଭମାନଙ୍କ ପାଇଁ ଭଗବାନ ଶ୍ରୀରାମ ଓ ଶ୍ରୀକୃଷ୍ଣ ମର୍ଯ୍ୟାଦା ଓ ପ୍ରେମଲୀଳା ସମ୍ପାଦନ କରି ସେହି ମାର୍ଗରେ ଯିବା ନିମନ୍ତେ ଧରାବତରଣ କରି ନିରାକାରରୁ ସାକାର ରୂପେ ତ୍ରେତୟା ଓ ଦ୍ୱାପର ଯୁଗରେ ପ୍ରକଟିତ ହୋଇଥିଲେ । ସେଥିପାଇଁ ତ କୁହାଯାଇଛି –

ମଦ୍ ଭକ୍ତାନାଂ ବିନୋଦାର୍ଥେ କରୋମି ବିବିଧ ଲୀଳା” ଯାହାକୁ ଆଧାର କରି ଏ ପରମଶାସ୍ତ୍ର ଭାଗବତ, ଶ୍ରୀମଦ୍ ଭଗବତ୍ ଗୀତା ଏବଂ ଶ୍ରୀରାମ ଚରିତ ମାନସରେ ବର୍ଣ୍ଣନା କରାଯାଇଛି। ସେଥିରେ ପ୍ରଭୁଙ୍କର ନାମ, ରୂପ, ଲୀଳା, ଧାମ, ଭକ୍ତଚରିତ, ଭକ୍ତଜନ ହିତୋପଦେଶ, ମର୍ଯ୍ୟାଦା ଶିକ୍ଷା, ମୋହତ୍ୟାଗ, ଶରଣାଗତି ଭାବ ସମସ୍ତ କଥା ବର୍ଣ୍ଣନା କରାଯାଇଛି । ଯାହାକୁ ଶ୍ରୀଗୁରୁଙ୍କ ଚରଣରେ ଭକ୍ତି ନିଷ୍ଠା ପୂର୍ବକ ଶ୍ରବଣମନନ, ନିଦିଧ୍ୟାୟନବଳରେ ଈଶ୍ୱରଙ୍କୁ ପ୍ରାପ୍ତି, ମାୟାନିବୃତ୍ତି, ପରମଶାନ୍ତି ଏ ଜୀବ ପ୍ରାପ୍ତ ହୋଇଥାଏ ।

ସେଥିପାଇଁ କୁହାଯାଇଛି :

” ଜୀବ ପରମର ଭେଟାଭେଟି ଲାଗି ଅଷ୍ଟାଦଶ ଏ ପୁରାଣ ,

ଜୀବ ପରମର ଭେଟ ନ ହୋଇଲେ ପୁରାଣ କେଉଁ କାରଣ ”

ସେହି କଥାକୁ ଚରିତାର୍ଥ କରିବା ପାଇଁ, ଯାହା ଜୀବନର ଚରମ ପରମ ଲକ୍ଷ୍ୟ ହୋଇଥାଏ ତାଙ୍କୁ ‘ନାମ’ ମାଧ୍ୟମରେ ନିତ୍ୟ-ନିରନ୍ତର ମନ ଦ୍ୱାରା ଜପ କରିବାକୁ ପଡିଥାଏ । ତାହାକୁ “ମହାମନ୍ତ୍ର” କୁହାଯାଏ, ଯାହାକୁ ଆମ୍ଭେମାନେ ସମସ୍ତେ ଜାଣିଛେ ।

“ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ।

ହରେ ରାମ ହରେ ରାମ ରାମ ରାମ ହରେ ହରେ” ।।

ଉପରୋକ୍ତ ଦୁଇ ପାଦ ବିଶିଷ୍ଟ ନାମଯୁକ୍ତ ଲେଖାକୁ ବିଶ୍ଲେଷଣ ଯଦି କରାଯିବ ତେବେ ୧ମ ପାଦ ହେଉଛି -୧୬ ଅକ୍ଷର ବିଶିଷ୍ଟ ଏଥିରେ ହରେ-୪ଥର , କୃଷ୍ଣ-୪ଥର ଏବଂ ଯଦି ଦ୍ୱିତୀୟ ପାଦ କଥା ଚିନ୍ତା କରାଯାଏ ତେବେ ଏହା ମଧ୍ୟ ୧୬ଅକ୍ଷର ବିଶିଷ୍ଟ ଏଥିରେ ହରେ-୪ଥର , ରାମ-୪ଥର  ।

ଏହାର ସାର ମର୍ମ ହେଲା ସମୁଦାୟ ଦୁଇଟି ପାଦ ହେଉଛି ମୁକ୍ତିର ପଦ, କାରଣ ହରେ ମାନେ -ନୃସିଂହ ଭଗବାନ, ଯିଏକି ସତ୍ୟ- ଯୁଗର ଆଦ୍ୟ ଠାକୁର ଏବଂ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବର ପୂର୍ବର ଠାକୁର ଅର୍ଥାତ୍ ଯେ ନୃସିଂହ ସେ ଜଗନ୍ନାଥ। ସେଥିପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତ୍ୟେକ କାର୍ଯ୍ୟ ନୃସିଂହ ମନ୍ତ୍ରରେ ଅଭିହିତ ହୋଇଥାଏ ।

ତେଣୁ ଦୁଇଟି ପାଦରେ ରହିଲେ -୮

ନୃସିଂହ-୪ (ସତ୍ୟ)

ଶ୍ରୀଜଗନ୍ନାଥ -୪(କଳି)

ପୁନଶ୍ଚ, ତ୍ରେତୟା ଯୁଗର ଭଗବାନ ଶ୍ରୀରାମ ରହିଲେ -୪ଥର

ଦ୍ୱାପର ଯୁଗର ଭଗବାନ ଶ୍ରୀକୃଷ୍ଣ  ରହିଲେ -୪ଥର

ଅର୍ଥାତ୍ ଏହି ଦୁଇ ପାଦ ବିଶିଷ୍ଟ ନାମରେ ରହିଛନ୍ତି ସତ୍ୟ, ତ୍ରେତୟା , ଦ୍ୱାପର, କଳି ଯୁଗର ଭଗବାନ । ସେଥିପାଇଁ ଅଚ୍ୟୁତାନନ୍ଦ ମହାପୁରୁଷ ଗାଇଲେ :

“ରାମ, ଶ୍ରୀକୃଷ୍ଣ ଜଗନ୍ନାଥ

ସୃଷ୍ଟିର ଏହା ମୂଳ ମନ୍ତ୍ର ” (ମୂଳ ଅର୍ଥାତ ଶ୍ରେଷ୍ଠ ବା ବଡ )

ତେଣୁ ଏହା ହୋଇଗଲା “ମହାମନ୍ତ୍ର” ।

ପୁନଶ୍ଚ ଏହା ୧୬ଯୁକ୍ତ କଳା ଅର୍ଥାତ୍ ପୂର୍ଣ୍ଣକଳା  ଯୁକ୍ତ ମନ୍ତ୍ର, ଉପର ପାଦରେ ୧୬(ପୂର୍ଣ୍ଣ), ନିମ୍ନ ପାଦରେ ମଧ୍ୟ୧୬(ପୂର୍ଣ୍ଣ) ତେଣୁ ଏହି ମନ୍ତ୍ର ଯେହେତୁ ବ୍ରହ୍ମ ମନ୍ତ୍ର ଏବଂ ଏହି ମନ୍ତ୍ର ଉଚ୍ଚାରଣ ଦ୍ୱାରା  ଜୀବ ମୁକ୍ତି ଲାଭ କରେ। ଏହା ମନ୍ତ୍ର ପଦବାଚ୍ୟ ନହୋଇ  ହୋଇଯାଏ “ମହାମନ୍ତ୍ର” । ଯେପରି ଆମ ଜଗନ୍ନାଥ ହେଉଛନ୍ତି  ପୂର୍ଣ୍ଣବ୍ରହ୍ମ, ଦାରୁବ୍ରହ୍ମ ତେଣୁ ତାଙ୍କର ସବୁ ବଡ। ତାଙ୍କର ପ୍ରସାଦ -ମହାପ୍ରସାଦ, ତାଙ୍କର ବେଦୀ-ମହାବେଦୀ, ତାଙ୍କର ଦାଣ୍ଡ-ବଡଦାଣ୍ଡ,ପଣ୍ଡା-ବଡ଼ପଣ୍ଡା, ଧଣ୍ଡା-ବଡଧଣ୍ଡା, ବଡସିଂହାର, ବଡ଼ବାଡ଼ ମଣିମା, ବଡଦେଉଳ, ବଡ଼ଖାଉନ୍ଦ ଇତ୍ୟାଦି ସବୁ ବଡ଼ ତେଣୁ ତାଙ୍କୁ କୁହାଯାଏ “ମହାପ୍ରଭୁ” । ଯେହେତୁ  ସେହି ମନ୍ତ୍ର ବା ନାମ ମଧ୍ୟରେ ମହାପ୍ରଭୁ ସର୍ବଦା ରହିଥାନ୍ତି କାରଣ ‘ନାମ୍ ମେ ନାମୀ ବୈଠାହୈ‘। ଏହି ନ୍ୟାୟରେ ଏହି ମନ୍ତ୍ରକୁ କୁହାଯାଏ “ମହାମନ୍ତ୍ର“। ଆଉ ସବୁ ଦେବତାଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚାରଣ “ମନ୍ତ୍ର” କୁହାଯାଇଥାଏ, କାରଣ ଆମେ ଜାଣିଛେ :

“ବ୍ରହ୍ମାଦାତା ସୁରବର ତରୂ

ଶଙ୍କର ଜ୍ଞାନ ଦାତା

ବାଗ୍ମୀ ଦାତା ବଚନ କବିତା

ଭୋଗ ଦାତ୍ରୀ ଭବାନୀ

ସୂର୍ଯ୍ୟଦାତା ନୟନ ସୁଭଗ

ଚନ୍ଦ୍ର ସୌଂନ୍ଦର୍ଯ୍ୟ ଦାତା

ଭୋଗଦାତା ସକଳ ଦେବତା

ମୋକ୍ଷ ଦାତା ମୂରାରୀ “।।

ତେଣୁ ସେହି ମୂରାରୀ ଭଗବାନ ହେଉଛନ୍ତି କେବଳ ମୁକ୍ତିଦାତା, ସେ ରାମ, କୃଷ୍ଣ ହୋଇପାରନ୍ତି ବା ନୃସିଂହ, ଜଗନ୍ନାଥ ହୋଇପାରନ୍ତି ସମସ୍ତେ ପୂର୍ଣ୍ଣବ୍ରହ୍ମ ଓ ଏକ ଅଟନ୍ତି ।

ତେଣୁ ଆମ୍ଭମାନଙ୍କର ଏ କଳିଯୁଗରେ କେବଳ ସେହି ୩୨ଅକ୍ଷର ବିଶିଷ୍ଟ ମହାମନ୍ତ୍ରକୁ ସର୍ବଦା ପୁରଶ୍ଚରଣ କରି ମନ ମଧ୍ୟରେ ଚିନ୍ତନ କରିବାକୁ ଅସଲୀ ପୂଜା, ବ୍ରତ, ତପ, ଯଜ୍ଞ , ଦାନ, ଧର୍ମ କୁହାଯାଏ । ସେଥିପାଇଁ ତ ଶ୍ରୀରାମ ଚରିତ ମାନସରେ କୁହାଯାଇଛି :

“କଲିଯୁଗ କେଵଲ ନାମ ଆଧାରା ।

ସୁମିରୈଂ ସୁମିରୈଂ ନର ଉତ୍ତରହିଁ  ପାରା “।।

“ଏହି କଲି କାଲ ନ ସାଧନ ଦୂଜା ।

ଯୋଗ ଯାଗ ଯଜ୍ଞ ଜପ ତପ ପୂଜା “।। (ଉତ୍ତରକାଣ୍ଡ)

ଏହି ମନ୍ତ୍ର ଦ୍ୱରା ମଧ୍ୟ ସ୍ନାନାଦି କର୍ମ କରାଯାଇଥାଏ, ଯାହାକୁ କୁହାଯାଏ “ମନ୍ତ୍ରସ୍ନାନ” । ଅନ୍ୟ ଏକ ମନ୍ତ୍ର ଯାହା ଗୁରୁଙ୍କ ଦ୍ୱରା ପ୍ରାପ୍ତ ହୋଇଥାଏ, ତାହାକୁ କୁହାଯାଏ “ଗୁରୁମନ୍ତ୍ର“(ମନ୍ତ୍ର ମୂଳଂ ଗୁର୍ରୁବାକ୍ୟ ) ।

ତେଣୁ ପରିଶେଷରେ ସେହି ମହାପ୍ରଭୁଙ୍କ ନାମ, ମନ ମଧ୍ୟରେ ନିତ୍ୟ ନିରନ୍ତର ଧ୍ୟାନ, ପୁରଶ୍ଚରଣ କରିବା ହେଉଛି ଅସଲୀ “ମହାମନ୍ତ୍ର” କାରଣ  ଶାସ୍ତ୍ରରେ କୁହାଯାଇଛି:

“ଏକ ବାର ହରି ନାମ ଯତୋ ପାପ ହରେ

ଜୀବେର ସାଧ୍ୟ ନାହିଁ ତତୋ ପାପ କରେ ”

ଏହାହିଁ ମନ୍ତ୍ର ଓ ମହାମନ୍ତ୍ର ର ନିର୍ଯ୍ୟାସ ତତ୍ତ୍ୱ ।

 

-ଅଶ୍ବିନୀ କୁମାର ଦାସ

ଏନ୍ -୫/୨୩୬, ଆଇ.ଆର୍.ସି ଭିଲେଜ୍, ଭୁବନେଶ୍ୱର

ଫୋନ୍- ୮୨୪୯୩୫୬୪୨୨

ସମ୍ବନ୍ଧିତ ଖବର