ଜୀବନ ମନ୍ତ୍ର: ଶ୍ରାବଣର ‘ଇନ୍ଦ୍ର’ରଥ

ଭଗବାନ ବିଷ୍ଣୁଙ୍କର ବାରମାସର ବାରନାମ ପରି, ସୂର୍ଯ୍ୟଦେବଙ୍କର ମଧ୍ୟ ବାରମାସର ବାରଟି ନାମ ଅଛି। ସେହି ନାମାନୁସାରେ ସେ ‘ଦ୍ୱାଦଶ ଆଦିତ୍ୟ’ ରୂପେ ପ୍ରଖ୍ୟାତ। ଶ୍ରାବଣ ମାସରେ ତାଙ୍କର ନାମ ‘ଇନ୍ଦ୍ର’। ସେ ଏକଚକ୍ର ରଥରେ ପରିକ୍ରମଣ କରନ୍ତି ଏବଂ ସେହି ରଥର ଆଦିତ୍ୟ, ଋଷି, ଗନ୍ଧର୍ବ, ଅପ୍‌ସରା, ଯକ୍ଷ, ସର୍ପ ଓ ରାକ୍ଷସମାନେ ମାସ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଆନ୍ତି। ‘ଶ୍ରୀବିଷ୍ଣୁପୁରାଣ’ର ଦଶମ ଅଧ୍ୟାୟରେ ଏହାର ବିଶଦ ବର୍ଣ୍ଣନା ଅଛି। ମୈତ୍ରେୟ ମୁନିଙ୍କ ଆଗରେ ମହର୍ଷି ପରାଶର ଏହା ବର୍ଣ୍ଣନା କରିଛନ୍ତି।

ସୂର୍ଯ୍ୟଦେବତାଙ୍କର ଶ୍ରାବଣ ମାସର ନାମ ‘ଇନ୍ଦ୍ର’। ଏଣୁ ଏହି ନାମରେ ବିଶ୍ୱାବସୁ ନାମକ ଗନ୍ଧର୍ବ, ସ୍ରୋତ ନାମକ ଯକ୍ଷ, ଏଳାପୁତ୍ର ନାମକ ସର୍ପ, ଅଙ୍ଗିରା ନାମକ ଋଷି, ପ୍ରମ୍ଳୋଚା ନାମ୍ନୀ ଅପ୍‌ସରା ଓ ସାର୍ପି ନାମକ ରାକ୍ଷସ ସୂର୍ଯ୍ୟଙ୍କ ରଥରେ ଅବସ୍ଥାନ କରନ୍ତି।

ଏହିପରି ଭାବରେ ଭଗବାନ ବିଷ୍ଣୁଙ୍କର ଶକ୍ତିରେ ତେଜୋମୟ ହୋଇ ଏହି ସପ୍ତଗଣ ସାରା ମାସ ସୂର୍ଯ୍ୟମଣ୍ଡଳରେ ଅବସ୍ଥାନ କରିଥାଆନ୍ତି। ସେହିପରି ଭାବରେ, ମାସ ଅନୁରୂପେ ମୁନିଗଣ ସୂର୍ଯ୍ୟଙ୍କର ସ୍ତୁତି କରନ୍ତି। ଗନ୍ଧର୍ବମାନେ ସମ୍ମୁଖରେ ରହି ତାଙ୍କର ଯଶଗାନ କରନ୍ତି। ଅପ୍‌ସରାମାନେ ରଥ ସମ୍ମୁଖରେ ନୃତ୍ୟ କରନ୍ତି। ରାକ୍ଷସମାନେ ରଥର ଅନୁଗମନ କରନ୍ତି। ସର୍ପମାନେ ରଥକୁ ବହନଯାନ ଭାବରେ ସୁସଜ୍ଜିତ କରନ୍ତି ଏବଂ ଯକ୍ଷଗଣ ଲଗାମ ଦ୍ୱାରା ରଥକୁ ନିୟନ୍ତ୍ରିତ କରନ୍ତି।

ସପ୍ତଗଣ ଏହିପରି ଭାବରେ ନିଜ ନିଜ ପାଳି ଅନୁସାରେ ପ୍ରତିମାସରେ ସୂର୍ଯ୍ୟଙ୍କ ରଥରେ ଅବସ୍ଥାନ କରି ବର୍ଷା, ଶୀତ, ଗ୍ରୀଷ୍ମ ଆଦି ଋତୁର ନିୟାମକ ହୋଇଥାନ୍ତି।
ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରଥରେ ମଧ୍ୟ ଏହିପରି ଭାବରେ ଯକ୍ଷ, ଗନ୍ଧର୍ବ, ଋଷି, ସର୍ପ, ରାକ୍ଷସ ଓ ଅପ୍‌ସରା ଆଦି ଅବସ୍ଥାନ କରନ୍ତି। ମନେହୁଏ, ‘ଶ୍ରୀବିଷ୍ଣୁପୁରାଣ’ ବର୍ଣ୍ଣିତ ରଥର ଏହି ଢାଞ୍ଚାଟି ସତେଯେମିତି ଶ୍ରୀକ୍ଷେତ୍ରର ତ୍ରିରଥରେ ସ୍ୱତନ୍ତ୍ର ରୂପ ପାଇଛି।

ସମ୍ବନ୍ଧିତ ଖବର