ଶ୍ରାବଣ କୃଷ୍ଣ ପଞ୍ଚମୀ ସାରା ଭାରତରେ ମନସା ପଞ୍ଚମୀ ଭାବରେ ପାଳିତ ହୁଏ। ‘ମନସା’ ହେଉଛନ୍ତି ସର୍ପଦେବୀ। ସେ କଶ୍ୟପ ପ୍ରଜାପତିଙ୍କ କନ୍ୟା ଏବଂ ଅନନ୍ତନାଗ (ବାସୁକୀ)ଙ୍କ ଭଉଣୀ।
ପୌରାଣିକ ଆଖ୍ୟାନ ଅନୁସାରେ, ପ୍ରାଚୀନ କାଳରେ ପ୍ରଜାଗଣ ସର୍ବଦା ସର୍ପଭୟରେ ଉଦ୍‌ବେଗରେ ଦିନ ବିତାଉଥିଲେ। ତେଣୁ ସେମାନଙ୍କୁ ସର୍ପଭୟରୁ ମୁକ୍ତ କରିବାପାଇଁ ସର୍ପମନ୍ତ୍ର ସୃଷ୍ଟି କରିବାକୁ ବ୍ରହ୍ମା କଶ୍ୟପଙ୍କୁ ପରାମର୍ଶ ଦେଇଥିଲେ। ଫଳରେ କଶ୍ୟପ ସର୍ପମନ୍ତ୍ରର ସୃଷ୍ଟି କଲେ। ସେହି ମନ୍ତ୍ରର ଅଧିଷ୍ଠାତ୍ରୀ ଦେବୀ ଭାବରେ ଏହି ଦେବୀଙ୍କୁ ମଧ୍ୟ ତପ ବଳରେ ସେ ସୃଷ୍ଟି କରିଥିଲେ। କଶ୍ୟପଙ୍କ ମାନସ କନ୍ୟା ହୋଇଥିବାରୁ ତାଙ୍କର ନାମ ହୋଇଥିଲା ‘ମନସା’। କଶ୍ୟପଙ୍କ ପୁତ୍ରୀ ଭାବରେ ମଧ୍ୟ ତାଙ୍କର ନାମ ‘କାଶ୍ୟପୀ’।

Advertisment

ମନସା ଥିଲେ ଶିବ ଓ ବିଷ୍ଣୁ ଉଭୟଙ୍କର ଭକ୍ତା। ଶିବଙ୍କ ଶିଷ୍ୟା ଭାବରେ ସେ ‘ଶୈବୀ’ ଓ ବିଷ୍ଣୁଙ୍କ ଅନୁବ୍ରତୀ ଭାବରେ ସେ ‘ବୈଷ୍ଣବୀ’ ରୂପେ ପରିଚିତା। କୁମାରୀକନ୍ୟା ଥିବାବେଳେ, ସେ ଶିବଙ୍କ ନିକଟରୁ ସ୍ତବ, ପୂଜା, ମନ୍ତ୍ର ଆଦି ଶିକ୍ଷାକରି ସିଦ୍ଧସାଧିକା ହୋଇଥିଲେ। ତାଙ୍କର ନାମ ହୋଇଥିଲା ‘ସିଦ୍ଧଯୋଗିନୀ’। ଜନ୍ମେଜୟଙ୍କ ସର୍ପଯଜ୍ଞରେ ସେ ନାଗଙ୍କର ପ୍ରାଣରକ୍ଷା କରି ‘ନାଗେଶ୍ୱରୀ’ ନାମରେ ପ୍ରଖ୍ୟାତା ହୋଇଥିଲେ। ସର୍ପବିଷ ହରଣକାରିଣୀ ଭାବରେ ତାଙ୍କର ନାମ ମଧ୍ୟ ‘ବିଷହାରିଣୀ’।

ମନସା ଥିଲେ ଅତ୍ୟନ୍ତ ସୁନ୍ଦରୀ। ତେଣୁ ‘ଜଗଦ୍‌ଗୌରୀ’ ଭାବରେ ମଧ୍ୟ ସେ କଥିତା ହୁଅନ୍ତି। କଶ୍ୟପମୁନି ତାଙ୍କୁ ଜରତ୍‌କାରୁ ମୁନିଙ୍କ ସହିତ ବିବାହ କରାଇଥିଲେ। ପରେ, ଦେବତା, ମନୁ, ମୁନି, ନାଗ ଓ ମନୁଷ୍ୟ ସମସ୍ତେ ତାଙ୍କର ପୂଜା କଲେ।

ଶ୍ରାବଣ କୃଷ୍ଣ ପଞ୍ଚମୀରେ ତାଙ୍କ ପାଇଁ ଯେଉଁ ବ୍ରତ କରାଯାଏ, ତାହାର ନାମ ‘ମନସା ପଞ୍ଚମୀ’ ବ୍ରତ।