ଜୀବନ ମନ୍ତ୍ର: ବ୍ୟାସ ପୂର୍ଣ୍ଣିମା

ସୂର୍ଯ୍ୟଙ୍କର ଦକ୍ଷିଣାୟନ ଯାତ୍ରାର ପ୍ରଥମ ପୂର୍ଣ୍ଣିମା ତିଥିକୁ ଭାରତ, ନେପାଳ ଓ ଭୁଟାନ ଆଦି ଦେଶର ଲୋକେ ‘ଗୁରୁପୂର୍ଣ୍ଣିମା’ ବା ‘ବ୍ୟାସପୂର୍ଣ୍ଣିମା’ ଭାବରେ ପାଳନ କରିଥାନ୍ତି। ଏହି ତିଥିକୁ ହିନ୍ଦୁ, ବୌଦ୍ଧ, ଜୈନମାନେ ମଧ୍ୟ ନିଜ ନିଜର ଗୁରୁଙ୍କର ଜନ୍ମ ଦିବସ ଭାବରେ ପାଳନ କରନ୍ତି। ହିନ୍ଦୁ ପୁରାଣର ବର୍ଣ୍ଣନା ଅନୁସାରେ, ହିନ୍ଦୁଧର୍ମର ଆଦିଗୁରୁ ହେଉଛନ୍ତି ସ୍ୱୟଂ ଶିବ। ପ୍ରଥମେ ଶିବ ‘ଦକ୍ଷିଣମୂର୍ତ୍ତି’ ହୋଇ ସପ୍ତର୍ଷିମାନଙ୍କୁ ବ୍ରହ୍ମଜ୍ଞାନ ଓ ଯୋଗଜ୍ଞାନ ପ୍ରଦାନ କରିଥିଲେ। ଆଦିଗୁରୁ ଭାବରେ ଏହି ପୂର୍ଣ୍ଣିମା ତିଥି ତାଙ୍କର ପୂର୍ଣ୍ଣ ଜ୍ଞାନପ୍ରଦାନ ଦିବସ। ପରବର୍ତ୍ତୀ କାଳରେ ଗୁରୁପୂର୍ଣ୍ଣିମା ତିଥିଟିକୁ ପରାଶର ଓ ସତ୍ୟବତୀଙ୍କ ପୁତ୍ର କୃଷ୍ଣଦ୍ୱୈପାୟନ ବ୍ୟାସଙ୍କର ଜନ୍ମଦିବସ ଭାବରେ ପାଳନ କରାଯାଉଛି।

କୁହାଯାଏ, ‘ବ୍ୟାସାୟ ବିଷ୍ଣୁରୂପାୟ ବ୍ୟାସରୂପାୟ ବିଷ୍ଣବେ’। ଯେତେବେଳେ ଧର୍ମରେ ଗ୍ଳାନି ଆସେ, ଭଗବାନ ଅବତାର ଗ୍ରହଣ କରନ୍ତି। ଏହି ଉଦ୍ଦେଶ୍ୟରେ ହୁଏତ ବ୍ୟାସଙ୍କର ଜନ୍ମ ହୋଇଥିଲା। ବେଦର ଅନ୍ୟନାମ ଥିଲା ଶ୍ରୁତି। ଏହାର କୌଣସି ବିଭାଗୀକରଣ ତଥା ଲିଖିତ ରୂପ ନଥିବାରୁ, ବେଦମନ୍ତ୍ରମାନ ଅପଣ୍ଡିତଙ୍କ ହାତରେ ପଡ଼ି କ୍ରମଶଃ ବିକୃତ ହେଉଥିଲା। ଏହା କୃଷ୍ଣଦ୍ୱୈପାୟନଙ୍କୁ ଅଶେଷ କଷ୍ଟ ପ୍ରଦାନ କଲା। ତେଣୁ ସେ ସନନ୍ଦ, ସନାତନ ଓ ସନତ୍ କୁମାର ଆଦି ଗୁରୁମାନଙ୍କଠାରୁ ବେଦ ଶିକ୍ଷା କରି ତାହାକୁ ଚାରି ଭାଗରେ ବିଭକ୍ତ କଲେ ଏବଂ ମାନବସମାଜପାଇଁ ସଂରକ୍ଷିତ କରିଦେଲେ। ବେଦର ବ୍ୟାସ କରିଥିବାରୁ ସ୍ୱଳ୍ପ ବୟସରେ ସେ ‘ବେଦବ୍ୟାସ’ ଭାବରେ ପରିଚିତ ହେଲେ।

ପ୍ରାଚୀନ କାଳରେ ମୁନିଋଷିମାନେ ଆଷାଢ଼ ପୂର୍ଣ୍ଣିମା ତିଥିଠାରୁ ଚାତୁର୍ମାସ୍ୟା ବ୍ରତ ପାଳନ କରି ଜପତପରେ ମଗ୍ନ ରହୁଥିଲେ। ସାଧାରଣ ଲୋକେ ବେଦକୁ ବୁଝିବାପାଇଁ ଯେପରି ସମର୍ଥ ହେବେ, ସେଥିପାଇଁ ବେଦବ୍ୟାସ ଏହି ଦିନରୁ ମହାନ୍‌ଗ୍ରନ୍ଥ ବ୍ରହ୍ମସୂତ୍ରର ରଚନା ଆରମ୍ଭ କରିଥିଲେ। ‘ମହାଭାରତ’ ରଚନା କରି ଗୀତାଜ୍ଞାନର ଜ୍ଞାନକୋଷକୁ ସଂରକ୍ଷିତ କରି ରଖିବାରେ ବ୍ୟାସ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। କେବଳ ରଚନା କରି ନୁହେଁ, ବେଦର ସାରତତ୍ତ୍ୱକୁ ସେ ତାଙ୍କର ଚାରି ଶିଷ୍ୟ- ପୈଳ, ଜୈମିନୀ, ସୁମନ୍ତ ଓ ବୈଶମ୍ପାୟନଙ୍କ ସହିତ ନିଜ ପୁତ୍ର ଶୁକଦେବଙ୍କୁ ଶିକ୍ଷାଦେଇ ଏହାର ପ୍ରଚାର ଓ ପ୍ରସାର କରାଇଥିଲେ। ବେଦର ଉଦ୍ଧାର, ମହାଭାରତର ସ୍ରଷ୍ଟା ଏବଂ ଅଦ୍ୱୈତ ଦର୍ଶନର ପ୍ରତିଷ୍ଠାତା ହେବା ପରେ ମଧ୍ୟ ସେ ତୃପ୍ତ ହୋଇ ନଥିଲେ। ନାରଦଙ୍କ ଉପଦେଶ ଅନୁସାରେ, ସରଳ ମାର୍ଗ ଦେଇ ମନୁଷ୍ୟ ମୁକ୍ତି ପାଇବାପାଇଁ ରଚନା କରିଥିଲେ ଭକ୍ତିଗ୍ରନ୍ଥ ‘ଶ୍ରୀମଦ୍‌ଭାଗବତ’।

ଅମୃତ ପାନ ନକରି ମଧ୍ୟ, ବ୍ୟାସଦେବ ଚିରଞ୍ଜୀବୀ। ତେଣୁ ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ ନିମିତ୍ତ ଗୁରୁପୂର୍ଣ୍ଣିମାକୁ ‘ବ୍ୟାସପୂର୍ଣ୍ଣିମା’ ନାମରେ ନାମିତ କରାଯାଇଛି। ତାଙ୍କର ନିବାସ ସ୍ଥାନ ଆଜି ମଧ୍ୟ ନେପାଳରେ ରହିଛି, ଯାହା ବ୍ୟାସଗୁମ୍ଫା ନାମରେ ପ୍ରସିଦ୍ଧ। କୁହାଯାଏ, ସେହିଠାରେ ସେ ‘ମହାଭାରତ’ ଓ ଅଷ୍ଟାଦଶ ପୁରାଣ ଆଦି ରଚନା କରିଥିଲେ।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର