ସାଧାରଣତଃ ଦୀର୍ଘଜୀବୀ ହେବା ପଛରେ ସୁଷମ ଖାଦ୍ୟ, ବ୍ୟାୟାମ ଓ ସୁସ୍ଥ ଜୀବନଶୈଳୀ ଗୁରୁତ୍ବପୂର୍ଣ୍ଣ ବୋଲି ସମସ୍ତଙ୍କର ଏକ ବଦ୍ଧମୂଳ ଧାରଣା ରହିଆସିଛି। ମାତ୍ର ଏକ ନୂତନ ଅନୁଧ୍ୟାନ ଅନୁଯାୟୀ, ଏଥିପାଇଁ ଜଣଙ୍କର ସାମାଜିକ ସମ୍ପର୍କର ମଧ୍ୟ ପ୍ରମୁଖ ଭୂମିକା ରହିଛି। ନିୟମିତ ବ୍ୟାୟାମ ଜଣକୁ ଯେତିକି ସୁସ୍ଥ ରଖିପାରିବ, ସାଙ୍ଗସାଥୀ ବା ବନ୍ଧୁବାନ୍ଧବମାନଙ୍କ ଗହଣରେ ଅଧିକ ସମୟ ବିତାଉଥିବା ବ୍ୟକ୍ତି ମଧ୍ୟ ସେତିକି ସୁସ୍ଥ, ନିରାମୟ ଓ ଦୀର୍ଘଜୀବୀ ହୋଇପାରିବେ।
ଲେଖକ ତଥା ବିବିସି ସାମ୍ବାଦିକ ଡେଭିଡ୍ ରବ୍ସନ୍ ତାଙ୍କର ନୂତନ ପୁସ୍ତକ ‘‘ଦି ଲ’ଜ୍ ଅଫ୍ କନେକ୍ସନ୍’’ରେ ଏ ବାବଦରେ ପ୍ରମାଣ ସହ ଦର୍ଶାଇଛନ୍ତି ଯେ, ନିଜକୁ ନିଃସଙ୍ଗ ମନେ କରୁଥିବା ଲୋକଙ୍କ ତୁଳନାରେ ସାମାଜିକ ସମ୍ପର୍କରେ ରହୁଥିବା ବ୍ୟକ୍ତି ଅଧିକ ସୁସ୍ଥ ଓ ଦୀର୍ଘ ଜୀବନଯାପନ କରିଥା’ନ୍ତି। ମନୁଷ୍ୟର ସ୍ବାସ୍ଥ୍ୟ ଉପରେ ଏପରି ଜୈବ-ମନସ୍ତାତ୍ତ୍ବିକ-ସାମାଜିକ ପ୍ରଭାବ ସଂପର୍କରେ ତର୍ଜମା କରି ରବ୍ସନ୍ ସ୍ପଷ୍ଟ କରିଛନ୍ତି ଯେ, ବନ୍ଧୁତା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଠାରୁ ଆରମ୍ଭ କରି ହୃଦ୍ରୋଗରେ ମୃତ୍ୟୁ ହେବା ଆଶଙ୍କାକୁ ମଧ୍ୟ ଦୂର କରିଥାଏ। ତେଣୁ ଦୀର୍ଘଦିନ ବଞ୍ଚିବାର ଅଭିଳାଷ ଥିଲେ, ଲୋକଙ୍କ ସହ ସମ୍ପର୍କକୁ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି।
ଦୀର୍ଘଜୀବୀ ହେବା ପଛର କାରଣ ଖୋଜିବାକୁ ଯାଇ ୧୯୬୦ ଦଶକରେ ଆମେରିକାର ପ୍ରସିଦ୍ଧ ଚିକିତ୍ସକ ଲେଷ୍ଟର ବ୍ରିସ୍ଲୋ ‘ଆଲମେଡା ୭’ ନାମରେ ଏକ ସୂତ୍ର ବାହାର କରିଥିଲେ। ସେହି ସାତଟି ଉପାଦାନ ହେଲା: ଧୂମପାନ ବର୍ଜନ, ମଦ୍ୟପାନ ତ୍ୟାଗ, ରାତିରେ ୭ରୁ ୮ ଘଣ୍ଟା ଶୟନ, ନିୟମିତ ବ୍ୟାୟାମ, କାମଚଳା ଆହାର ବାରଣ, ମଧ୍ୟମ ଧରଣର ଓଜନ ଓ ନିଶ୍ଚିତ ପ୍ରାତଃଭୋଜନ। ତେବେ ୧୯୭୯ ମସିହାରେ ଲେଷ୍ଟରଙ୍କ ସହଯୋଗୀମାନେ ଏଥିରେ ଅଷ୍ଟମ ଉପାଦାନଟି ଯୋଡ଼ିଥିଲେ, ତାହା ହେଲା ସାମାଜିକ ସଂଯୋଗ। ବିଭିନ୍ନ ଅଧ୍ୟୟନରୁ ଏକଥା ପ୍ରମାଣିତ ଯେ ଖୁବ୍ କମ୍ ସାମାଜିକ ସମ୍ପର୍କ ରଖୁଥିବା ଲୋକଙ୍କ ତୁଳନାରେ ଅଧିକ ଯୋଗାଯୋଗରେ ଥିବା ଲୋକଙ୍କର ମୃତ୍ୟୁ ହାର ପ୍ରାୟ ଅଧା। ସୁତରାଂ ଘନିଷ୍ଠ ବନ୍ଧୁତା ପରି ସାମାଜିକ ସମ୍ପର୍କ ଉପରେ ଗୁରୁତ୍ବାରୋପ କରିବା ଦୀର୍ଘଜୀବୀ ହେବାର ଏକ ସରଳ କିନ୍ତୁ ପ୍ରଭାବଶାଳୀ ଉପାୟ କହିବା ଭୁଲ୍ ହେବ ନାହିଁ।