ଧର୍ମପଦର ବିଦାୟୀ ବାର୍ତ୍ତା

‘ଧର୍ମପଦ’ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଏକ ପ୍ରେରଣାଦାୟୀ କାବ୍ୟକୃତି। ସେଥିରେ ଧର୍ମପଦ କିଂବଦନ୍ତିକୁ ସେ ଜୀବନ୍ତ କରି ଗଢ଼ିଛନ୍ତି। ତାହା ମାଧ୍ୟମରେ ଆମକୁ ଅନେକ ଅମୂଲ୍ୟ ଉପଦେଶ ମଧ୍ୟ ଦେଇଛନ୍ତି।

ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହୋଇ, ମୁଣ୍ଡି ମରାଯିବା ପରର କଥା। ଶିଳ୍ପଶାସ୍ତ୍ରରେ ଅଭିଜ୍ଞ ଓ ବରିଷ୍ଠ ଶିଳ୍ପୀମାନେ ବହୁ ଚେଷ୍ଟା କରି ମଧ୍ୟ ନବନିର୍ମିତ ମନ୍ଦିରର ମୁଣ୍ଡି ମାରିବାରେ ବିଫଳ ହେଲେ। ଶେଷରେ ବାରବର୍ଷ ବୟସର ବାଳକ ଧର୍ମପଦ ଓରଫ ଧରମା ସେଥିରେ ସଫଳ ହୋଇଥିଲା। ତାହାକୁ ନେଇ ପ୍ରଶ୍ନ ଉଠିଥିଲା- ଏହା ଜଣାପଡ଼ିଲେ, ବାରଶହ ବଢ଼େଇଙ୍କର ମାନ ସମ୍ମାନ ରହିବ ତ? ଧର୍ମପଦର ପିତା ବିଶୁ ମହାରଣା ଦ୍ୱନ୍ଦ୍ୱରେ ପଡ଼ିଥିଲେ- ଜାତିରେ ଦାୟ ନା ପୁଅରେ ଦାୟ? ତାଙ୍କ ମନରୁ ସେହି ଦ୍ୱନ୍ଦ୍ୱ ଦୂରକରି, ଆତ୍ମବଳି ଦାନ ନିମନ୍ତେ ନିଷ୍ପତ୍ତି ନେଇଥିଲା ଧର୍ମପଦ। ନିଜର ପିତାଙ୍କୁ ଉଦ୍‌ବୋଧିତ କରି ସେ ଯାହା କହିଥିଲା- ତାହା ଗୋପବନ୍ଧୁଙ୍କ ଲେଖନୀରେ କାଳକାଳର ଆଦର୍ଶ ଭାବରେ ରୂପ ପାଇଛି।

ବିଶୁ ମହାରଣାଙ୍କୁ ବୁଝାଇବାକୁ ଯାଇ ଧର୍ମପଦ କହିଛି- ହେ ପିତା, ଏ ସଂସାରରେ, ଜୀବନ ଓ ମରଣ ଅନୁକ୍ଷଣ ଲାଗି ରହିଛି। ଜନ୍ମ ହେଲେ ଆଗେ ଅବା ପଛେ ନିଶ୍ଚୟ ମରଣ ହେବ। କିନ୍ତୁ କାପୁରୁଷ ପରି ମରିବାରେ ପୌରୁଷ ପ୍ରତିପାଦିତ ହୁଏ ନାହିଁ। ଯେ ଅନ୍ୟର ମଙ୍ଗଳ ସାଧନ କରି ମୃତ୍ୟୁବରଣ କରେ, ସେ ହିଁ ସୁପୁରୁଷ।

ଏହା କହିବା ସହିତ, ପିତା ବିଶୁ ମହାରଣାଙ୍କୁ ଧର୍ମପଦ ଆହୁରି ଯାହା କହିଛି- ତାହା କାଳକାଳକୁ ଆପ୍ତବାକ୍ୟ ହୋଇ ରହିଯାଇଛି। ଗୋପବନ୍ଧୁ ଲେଖିଛନ୍ତି- “ମାନବ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ / କର୍ମେ ଜୀଏଁ ନର କର୍ମ ଏକା ତାର ଜୀବନର ମାନଦଣ୍ଡ।” ଏହା ମାଧ୍ୟମରେ, ଧର୍ମପଦ ମୁହଁରେ ଗୋପବନ୍ଧୁ ଦାସ ଆମକୁ କର୍ମ କରିବାପାଇଁ, ବିଶେଷତଃ ପରାର୍ଥକର୍ମରେ ପ୍ରବୃତ୍ତ ହେବାପାଇଁ ପ୍ରେରଣା ଦେଇଛନ୍ତି।

ଆଜି ଇଂରାଜୀ ନୂଆବର୍ଷ ପରିପ୍ରେକ୍ଷୀରେ, ଏହା ଆମ ସମସ୍ତଙ୍କ ପାଇଁ ବିଶେଷ ପ୍ରଣିଧାନର ବିଷୟ।

ସମ୍ବନ୍ଧିତ ଖବର