ଅଲ୍ଝାଇମର୍ସ ଓ ପୋଦିନା ତୈଳ ବା ରାସାୟନିକ ଯୌଗିକ ‘ମେନ୍ଥଲ’ ମଧ୍ୟରେ ଏକ ଅଜଣା ସମ୍ପର୍କ ଲୋକଲୋଚନକୁ ଆସିଛି। ସଦ୍ୟ ଅନୁଷ୍ଠିତ ଏକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ଯେ ଏକ ଅଲ୍ଝାଇମର୍ସରେ ପୀଡ଼ିତ ମୂଷାକୁ ‘ମେନ୍ଥଲ’ ଶୁଂଘାଇବା ଦ୍ବାରା ତାହାର ଜ୍ଞାନାତ୍ମକ ଦକ୍ଷତାରେ ଉନ୍ନତି ଘଟିପାରୁଛି। ସୁତରାଂ ଅଲ୍ଝାଇମର୍ସ ଦ୍ବାରା ମସ୍ତିଷ୍କର ସ୍ନାୟୁ ବା କୋଷରେ ସଂଘଟିତ କ୍ଷତିକୁ ଏହି ରାସାୟନିକ ପଦାର୍ଥ ରୋକିପାରିବ ବୋଲି ଆଶା କରାଯାଉଛି।
ଆମ ମସ୍ତିଷ୍କରେ ‘ଇଣ୍ଟରଲ୍ୟୁକିନ୍-୧-ବିଟା’ ନାମକ ଏକ ପ୍ରକାର ପ୍ରୋଟିନ୍ କ୍ଷରଣ ହୋଇଥାଏ, ଯାହା ଶରୀରରେ ପ୍ରଦାହ ସମ୍ବେଦନଶୀଳତାକୁ ନିୟନ୍ତ୍ରଣ କରିଥାଏ, ଫଳରେ ଶରୀରକୁ ରୋଗପ୍ରତିରୋଧକତା ପରି ପ୍ରାକୃତିକ ସୁରକ୍ଷା ମିଳିଥାଏ। ତେବେ ଏହି ପ୍ରୋଟିନ୍ର ଅସନ୍ତୁଳନ ନାନା ସମସ୍ୟା ସୃଷ୍ଟି କରିଥାଏ। ବିଶେଷ କରି ଅଲ୍ଝାଇମର୍ସ ଆକ୍ରାନ୍ତଙ୍କ ଠାରେ ଏହି ପ୍ରୋଟିନ୍ ପରିମାଣର ହ୍ରାସ ପରିଲକ୍ଷିତ ହୋଇଥାଏ।
ପୂର୍ବରୁ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ, କୌଣସି ଗନ୍ଧ ଆଘ୍ରାଣ ଦ୍ବାରା ଶରୀରର ଏହି ରୋଗପ୍ରତିରୋଧକତା ଅବସ୍ଥାରେ ଉନ୍ନତି ଅଣାଯାଇପାରିବ। ତେଣୁ ଗବେଷକମାନେ ବିଭିନ୍ନ ପ୍ରକାର ରାସାୟନିକ ଯୌଗିକର ଗନ୍ଧକୁ ପ୍ରୟୋଗ କରି ଆସୁଥିଲେ। ଏହି କ୍ରମରେ ପରୀକ୍ଷାମୂଳକ ଭାବେ ମୂଷାଙ୍କୁ ଦୀର୍ଘ ଛଅମାସ କାଳ ନିର୍ଦ୍ଦିଷ୍ଟ ମାତ୍ରାର ‘ମେନ୍ଥଲ’ ଶୁଂଘାଇବା ପରେ ତାହାର ‘ଇଣ୍ଟରଲ୍ୟୁକିନ୍-୧-ବିଟା’ ପ୍ରୋଟିନ୍ ସ୍ତର ପୂର୍ବାବସ୍ଥାକୁ ଫେରି ଆସିଥିବା ଜଣାପଡ଼ିଥିଲା। ଆଶ୍ଚର୍ଯ୍ୟର କଥା, ଅଲ୍ଝାଇମର୍ସ ପୀଡ଼ିତ ମୂଷାଠାରେ ‘ମେନ୍ଥଲ’ ପ୍ରୟୋଗ ତାହାର ରୋଗପ୍ରତିରୋଧକତା ବଢ଼ାଇବା ସହ ସେ ତାହାର ଜ୍ଞାନାତ୍ମକ ଦକ୍ଷତା ଉଲ୍ଲେଖନୀୟ ଭାବେ ଫେରି ପାଇଥିବା ଦେଖାଯାଇଥିଲା। ବିଶେଷ କରି ଅଲ୍ଝାଇମର୍ସ, ପାର୍କିନ୍ସନ୍ସ ଓ ସିଜୋଫ୍ରେନିଆ ଆଦି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କର ଘ୍ରାଣଶକ୍ତି ଢେର କମିଯାଇଥାଏ। ସୁତରାଂ ଏହି ସଦ୍ୟ ଅନୁଧ୍ୟାନ ଗବେଷକମାନଙ୍କ ମନରେ ‘ମେନ୍ଥଲ’ ଆଘ୍ରାଣକୁ ଏକ ଅଲ୍ଝାଇମର୍ସ ଉପଚାର ଭାବେ ଉପଯୋଗ କରିବାର ଆଶା ସଂଚାର କରିଛି।