ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ: ଗୋଡ଼ ବିନା ଏଭରେଷ୍ଟ ଶୃଙ୍ଗରେ

ପର୍ବତାରୋହଣ ଏଭଳି ଏକ ଦୁଃସାହସିକ କାର୍ଯ୍ୟ, ଯାହା କେବଳ ସୁସ୍ଥ ସବଳ ମଣିଷ ପାଇଁ ଉଦ୍ଦିଷ୍ଟ ବୋଲି ସମସ୍ତଙ୍କର ଧାରଣା। ତେବେ ଦୁଇଟି ଯାକ ଗୋଡ଼ ହରାଇଥିବା ନେପାଳର ହରି ବୁଦ୍ଧ ମାଗର ଏଭରେଷ୍ଟ ଶୃଙ୍ଗରେ ପଦାର୍ପଣ କରିବା ଘଟଣା ଏବେ ବିଶ୍ବବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ୪୩ ବର୍ଷୀୟ ହରି ବ୍ରିଟିସ ଗୋର୍ଖା ରେଜିମେଣ୍ଟର ଜଣେ ସୈନିକ ଭାବେ ଆଫଗାନିସ୍ତାନରେ କାର୍ଯ୍ୟରତ ଥିବା ବେଳେ ୨୦୧୦ ଏପ୍ରିଲ ୧୭ ତାରିଖରେ ଏକ ବିସ୍ଫୋରଣରେ ଦୁଇଟି ଯାକ ଗୋଡ଼ ହରାଇଥିଲେ। ତେବେ ନିଜ ଦେଶ ନେପାଳର ଗ୍ରାମାଞ୍ଚଳରେ ଭିନ୍ନକ୍ଷମମାନଙ୍କୁ କିପରି ଏକ ବୋଝ ଭାବେ ବିବେଚନା କରାଯାଏ ଓ ପରିହାସର ଶିକାର ହେବାକୁ ପଡ଼ିଥାଏ ସେ ତାହା ପିଲା ବେଳେ ଦେଖିଥିଲେ। ତେଣୁ ତାଙ୍କ ଜୀବନ ସେଇଠି ସରିଗଲା ବୋଲି ସେ ପ୍ରଥମେ ଭାବିଥିଲେ।

ଦୁଶ୍ଚିନ୍ତାରୁ ମୁକ୍ତି ପାଇବା ଲାଗି ସେ ବେଳେ ବେଳେ ଅତ୍ୟଧିକ ମଦ୍ୟପାନ କରିବା ସହ ଏକଦା ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ। ତେବେ ପିଲାବେଳେ ଖାଲି ପାଦରେ ପାହାଡ଼ ଚଢ଼ିବାର ଅଭ୍ୟାସ ରଖିଥିବା ହରିବନ୍ଧୁ ସୈନ୍ୟ ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ଦୁଃସାହସିକ କ୍ରୀଡ଼ାରେ ସାମିଲ ହୋଇ ନିଜର ଆତ୍ମବଳ ବଢ଼ାଇଥିଲେ। ଦୁଇଟି କୃତ୍ରିମ ଗୋଡ଼ ଲଗାଇ ୨୦୧୮ରେ ସେ ଏଭରେଷ୍ଟ ଆରୋହଣ କରିବାକୁ ମନ ବଳାଇଥିଲେ। ମାତ୍ର ସେତେବେଳେ ଦୃଷ୍ଟିବାଧିତ ଓ ଦୁଇ ଗୋଡ଼ ହରାଇଥିବା ବ୍ୟକ୍ତିଙ୍କୁ ସେପରି ଦୁଃସାହସିକ ପଦକ୍ଷେପରୁ ବାରଣ କରାଯାଇଥିଲା। ତେବେ ନିଜକୁ ଦକ୍ଷ ବୋଲି ପ୍ରମାଣିତ କରିବା ଲାଗି ସେ ସ୍ପାଇଡର ଲେଗ୍‌ ନାମକ ଏକ ସ୍ବତନ୍ତ୍ର ଧରଣର କୃତ୍ରିମ ଗୋଡ଼ ଲଗାଇବା ସହ ପର୍ବତାରୋହଣରେ ଭାଗ ନେବା ପାଇଁ ପ୍ରଚାର ଅଭିଯାନ ଚଳାଇଥିଲେ। ଶେଷରେ ନିଜର ଦୃଢ଼ ମନୋବଳ ଯୋଗୁଁ ଗତ ୧୯ ତାରିଖରେ ସେ ଏଭରେଷ୍ଟ ଶୀର୍ଷରେ ପହଞ୍ଚିଥିଲେ। ଆଣ୍ଠୁ ତଳକୁ ଦୁଇଟି ଗୋଡ଼ ନଥିବା ବିଶ୍ବର ପ୍ରଥମ ବ୍ୟକ୍ତି ଭାବେ ହରି ଏହି ଐତିହାସିକ କୀର୍ତ୍ତି ସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର