ଗୁଜୁରାଟ ପ୍ରଦେଶର ଜୁନାଗଡ଼ ସହର ନିକଟରେ ଦୃଶ୍ୟମାନ ହେଉଥିବା ଗୀରନାର କ୍ଷେତ୍ର ମଧ୍ୟରେ, ଗୀରନାର ପର୍ବତ ପାଦଦେଶରେ, ଏକ ସୁଦୃଶ୍ୟ ଗୁମ୍ଫା ରହିଛି। ତାହାକୁ ମୁଚୁକୁନ୍ଦ ଗୁମ୍ଫା କୁହାଯାଏ। ଏହି ଗୁମ୍ଫାର ଉଲ୍ଲେଖ ବିଭିନ୍ନ ପୁରାଣରେ ମିଳେ। ପୁରାଣ ଅନୁସାରେ, ପୁଣ୍ୟଭୂମି ମଥୁରାମଣ୍ଡଳ ଥିଲା ଶ୍ରୀକୃଷ୍ଣଙ୍କର ଜନ୍ମଭୂମି। କିନ୍ତୁ ତାଙ୍କର କର୍ମଭୂମି ଥିଲା ଦ୍ୱାରକାମଣ୍ଡଳ। ତାହାର ସାଂପ୍ରତିକ ନାମ ଗୁଜୁରାଟ। ଏହା ଗୁର୍ଜର ସଂପ୍ରଦାୟଙ୍କର ବାସଭୂମି। ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରତିଷ୍ଠିତ ନୂତନ ରାଜ୍ୟ। ଏଣୁ ପ୍ରାୟ ଗୁଜୁରାଟର ବିଭିନ୍ନ ଅଞ୍ଚଳରେ କୃଷ୍ଣଙ୍କ ସ୍ମୃତିକୁ ଅବଲମ୍ବନ କରି ଗଢ଼ି ଉଠିଛି ଅନେକ ଧର୍ମକ୍ଷେତ୍ର। ସେଥି ମଧ୍ୟରୁ ଗୀରନାର କ୍ଷେତ୍ର ଓ ଦ୍ୱାରକା କ୍ଷେତ୍ର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ‘ଭାଗବତ’ର ବର୍ଣ୍ଣନା ଅନୁଯାୟୀ, ତ୍ରେତୟା ଯୁଗରେ ସୂର୍ଯ୍ୟବଂଶରେ ମୁଚୁକୁନ୍ଦ ନାମରେ ଜଣେ ରାଜା ଥିଲେ। ଏକଦା ଦେବତା ଓ ଅସୁରମାନଙ୍କ ମଧ୍ୟରେ ଘୋର ସମର ହେଲା। ଦେବତାମାନେ ଅସୁରଙ୍କ ଦ୍ୱାରା ପରାଜିତ ହେବାରୁ ସେମାନେ ମହାରାଜ ମୁଚୁକୁନ୍ଦଙ୍କର ଶରଣଭିକ୍ଷା କଲେ। ଧର୍ମାତ୍ମା ମୁଚୁକୁନ୍ଦ ଦେବତାମାନଙ୍କୁ ସହାୟତା କରିବାପାଇଁ ଅସୁରମାନଙ୍କ ସହିତ ଘୋର ସଂଗ୍ରାମରେ ରତ ରହିଲେ। ଏ ଭିତରେ ଅନେକ ବର୍ଷ ବିତିଗଲା। କାର୍ତ୍ତିକେୟ ଜନ୍ମଲାଭ କରି ଦେବସେନାପତି ଦାୟିତ୍ୱ ନେଲା ପରେ, ମୁଚୁକୁନ୍ଦଙ୍କର କାର୍ଯ୍ୟ ଶେଷ ହେଲା। 

Advertisment

ସେତେବେଳକୁ ପୃଥିବୀରେ ତ୍ରେତୟା ଯୁଗ ସରି ଦ୍ୱାପର ଯୁଗ ଆରମ୍ଭ ହୋଇଥାଏ। ଦେବତାମାନେ କୃତଜ୍ଞତାବଶତଃ ମୁଚୁକୁନ୍ଦଙ୍କୁ ଜଣାଇଲେ ଯେ ଏ ଭିତରେ ଅନେକ ସମୟ ବିତି ଯାଇଥିବାରୁ ତାଙ୍କର ଆତ୍ମୀୟସ୍ୱଜନ ଆଉ କେହି ପୃଥିବୀରେ ନାହାନ୍ତି। ତେଣୁ ବର୍ତ୍ତମାନ ସେ ନିଜ ଇଚ୍ଛା ଅନୁସାରେ ଦେବତାଙ୍କଠାରୁ କୌଣସି ବର ମାଗିନେଇ ପୃଥିବୀଲୋକକୁ ଯାଆନ୍ତୁ। ଏସବୁ ଶୁଣି ଦୁଃଖୀ ଓ କ୍ଳାନ୍ତ ମୁଚୁକୁନ୍ଦ ଦେବତାମାନଙ୍କୁ ନିଜର କ୍ଳାନ୍ତି ଦୂର କରିବା ନିମନ୍ତେ ନିରବରେ ଶୋଇବା ପାଇଁ ଏକ ନିର୍ଜନ ସ୍ଥାନ ମାଗିଲେ। ଏବଂ ଏହି ବର ମଧ୍ୟ ମାଗିଲେ ଯେ ମୋର ନିଦ୍ରାରେ ବ୍ୟାଘାତ କରି କେହି ଯଦି ମୋତେ ଉଠାଇବ, ସେ ପୋଡ଼ି ପାଉଁଶ ହୋଇଯିବ। ଦେବତାଙ୍କ ନିର୍ଦ୍ଦେଶରେ ମୁଚୁକୁନ୍ଦ ଗୀରନାର ଗିରିର ଏହି ଗୁମ୍ଫାରେ ଆସି ଶୟନ କଲେ। 

ଗୁଜୁରାଟ ପ୍ରଦେଶର ଜୁନାଗଡ଼ ସହର ନିକଟରେ ଦୃଶ୍ୟମାନ ହେଉଥିବା ଗୀରନାର କ୍ଷେତ୍ର ମଧ୍ୟରେ, ଗୀରନାର ପର୍ବତ ପାଦଦେଶରେ, ଏକ ସୁଦୃଶ୍ୟ ଗୁମ୍ଫା ରହିଛି। ତାହାକୁ ମୁଚୁକୁନ୍ଦ ଗୁମ୍ଫା କୁହାଯାଏ।

ଦ୍ୱାପର ଯୁଗର ଶେଷଭାଗ। କୃଷ୍ଣ ଜନ୍ମଗ୍ରହଣ କଲେ ଏବଂ କଂସ ବଧ କଲେ। କଂସ ମଲାପରେ ଜରାସନ୍ଧ ବାରମ୍ବାର ମଥୁରା ଆକ୍ରମଣ କଲା। କିନ୍ତୁ ବାରମ୍ବାର ପରାହତ ହେବାରୁ କାଳଯବନ ନାମକ ଦୁର୍ଦ୍ଦାନ୍ତ ଯବନ ସହିତ ମିତ୍ରତା କରି ତାକୁ ମଥୁରା ଆକ୍ରମଣ କରିବାକୁ ପ୍ରେରିତ କଲା। କାରଣ କାଳଯବନ ବର ପାଇଥିଲା ଯେ ସମ୍ମୁଖ ସମରରେ ତାକୁ କେହି ପରାସ୍ତ କରିପାରିବେ ନାହିଁ। ଶ୍ରୀକୃଷ୍ଣ ଏହା ଜାଣି ରଥରୁ ଓହ୍ଲାଇ ଦଉଡ଼ିବାକୁ ଲାଗିଲେ। ଏହା ଦେଖି କାଳଯବନ କୃଷ୍ଣଙ୍କର ଅନୁଧାବନ କଲା। କୃଷ୍ଣ ମୁଚୁକୁନ୍ଦ ଶୋଇଥିବା ଅନ୍ଧକାର ଗୁମ୍ଫା ମଧ୍ୟକୁ ପ୍ରବେଶ କଲେ। ତାଙ୍କ ପଛେ ପଛେ କାଳଯବନ ପ୍ରବେଶ କରି ଅନ୍ଧକାର ମଧ୍ୟରେ ମୁଚୁକୁନ୍ଦଙ୍କୁ ଶ୍ରୀକୃଷ୍ଣ ଭାବି ଆକ୍ରମଣ କଲା। ନିଦ ଭାଙ୍ଗିଯିବାରୁ କ୍ରୋଧିତ ହୋଇ ମୁଚୁକୁନ୍ଦ କାଳଯବନ ଉପରେ ଦୃଷ୍ଟିପାତ କରିବାରୁ କାଳଯବନ ପୋଡ଼ି ପାଉଁଶ ହୋଇଗଲା। 

ଶ୍ରୀକୃଷ୍ଣଙ୍କୁ ଦେଖି ମୁଚୁକୁନ୍ଦଙ୍କ ହୃଦୟ ଆନନ୍ଦରେ ଭରିଗଲା। ଶ୍ରୀକୃଷ୍ଣ ତାଙ୍କୁ ଆଦରରେ ଆଲିଙ୍ଗନ କଲେ। ତାଙ୍କୁ ବଦ୍ରିକା ଯାଇ ତପସ୍ୟା କରି ମୋକ୍ଷ ଲାଭ କରିବାକୁ ଉପଦେଶ ଦେଲେ। ମୁଚୁକୁନ୍ଦ ସେଠାରେ ତପସ୍ୟା କରି ମୋକ୍ଷ ଲାଭ କଲେ। ଉତ୍ତରାଖଣ୍ଡର ଚାମୋଲି ଜିଲାରେ ରହିଛି ଏକ ପବିତ୍ର ଗୁମ୍ଫା। ଭଗବାନ ବିଷ୍ଣୁ ମୁଚୁକୁନ୍ଦଙ୍କୁ ସେଠାରେ ଦର୍ଶନ ଦେଇଥିବାରୁ ସେହି ଗୁମ୍ଫାକୁ ମଧ୍ୟ ଏକ ତୀର୍ଥକ୍ଷେତ୍ର ରୂପେ ଗଣାଯାଏ।