‘ସ୍ବାସ୍ଥ୍ୟ ହିଁ ସମ୍ପଦ’। ଅର୍ଥାତ, ପାଖରେ ଯେତେ ଧନ-ସମ୍ପଦ, ସୁଖ-ସୁବିଧା, ଆମୋଦ-ପ୍ରମୋଦ ଥିଲେ ସୁଦ୍ଧା ଯଦି ସ୍ବାସ୍ଥ୍ୟ ଭଲ ନଥାଏ, ତେବେ ଜୀବନକୁ ଭଲଭାବେ ଉପଭୋଗ କରିହୁଏ ନାହିଁ। ବିଶ୍ବସ୍ବାସ୍ଥ୍ୟ ସଂଗଠନ (WHO) ଅନୁସାରେ ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥତାକୁ ‘ଉତ୍ତମ ସ୍ବାସ୍ଥ୍ୟ’ କୁହାଯାଇଥାଏ। କୌଣସି ରୋଗବ୍ୟାଧି ନଥିଲେ ଯେ ଉତ୍ତମ ସ୍ବାସ୍ଥ୍ୟ ଲାଭ କରିହେବ ତାହା ନୁହେଁ। ଶାରୀରିକ-ମାନସିକ ସୁସ୍ଥତା ଓ ସାମାଜିକ ସୁସ୍ଥତା ଉଭୟ ଉଭୟଙ୍କର ପରିପୂରକ। ତେଣୁକରି, ବର୍ତ୍ତମାନ ‘ଉତ୍ତମ ସ୍ବାସ୍ଥ୍ୟ’ ଏକ ବ୍ୟକ୍ତିଗତ ଅଧିକାର ଭାବେ ଗ୍ରହଣୀୟ ହେଉଛି। ଅର୍ଥାତ୍ ରାଷ୍ଟ୍ର ତଥା ସମାଜରେ ‘ବ୍ୟକ୍ତି ସ୍ବାଧୀନତା’ ସେପରି ଏକ ବ୍ୟକ୍ତିଗତ ଅଧିକାର ଭାବରେ ପରିଗଣିତ ହେଉଛି। କାରଣ ଅଧୁନା ସମଗ୍ର ବିଶ୍ବରେ ପ୍ରାୟ ଅର୍ଦ୍ଧାଧିକ ଜନସାଧାରଣ (ପ୍ରାୟ ୪୦୦ କୋଟି), ଯେଉଁମାନେ କି ପ୍ରାୟ ପଚାଶରୁ ଅଧିକ ଦେଶରେ ବସବାସ କରନ୍ତି, ‘ଉତ୍ତମ ସ୍ବାସ୍ଥ୍ୟ ଅଧିକାର’ ପାଇପାରନ୍ତି ନାହିଁ।
ଏହାର କାରଣ ହେଉଛି- ଦୁର୍ବଳ ରାଷ୍ଟ୍ରୀୟ ସ୍ବାସ୍ଥ୍ୟନୀତି, ଦୁର୍ବଳ ରାଷ୍ଟ୍ରୀୟ ଅର୍ଥନୈତିକ ବ୍ୟବସ୍ଥା, ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ ହିଂସା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାରଙ୍କର ଥାଇଥାନ ପ୍ରଶମନରେ ଅପାରଗତା ବା ଅପ୍ରସ୍ତୁତି, ମହାମାରୀ ସମୟରେ ସ୍ବାସ୍ଥ୍ୟସେବା, ବ୍ୟାପକ ରୋଗପ୍ରତିରୋଧକ ଟିକାକରଣ, ଅପପୁଷ୍ଟି ନିରାକରଣ, ସ୍ବାସ୍ଥ୍ୟ ସଚେତନତା ବୃଦ୍ଧି କାର୍ଯ୍ୟକ୍ରମ, ନିଶାଦ୍ରବ୍ୟ ବ୍ୟବହାର ତଥା ଚୋରାଚାଲାଣ ବନ୍ଦ କରିବା ଇତ୍ୟାଦି ସମ୍ବନ୍ଧରେ ଯଥେଷ୍ଟ ସ୍ବାସ୍ଥ୍ୟ ସଚେତନତା ବୃଦ୍ଧି କରିବା। ଏହି ସବୁ କାରଣ ଯୋଗୁ ବ୍ୟକ୍ତି ଉତ୍ତମ ସ୍ବାସ୍ଥ୍ୟ ଉପଭୋଗ କରି ନପାରି ପରୋକ୍ଷରେ ସମାଜର ଉତ୍ତରୋତ୍ତର ଉନ୍ନତିରେ ବ୍ୟାଘାତ ସୃଷ୍ଟି କରିଥାନ୍ତି।
ପ୍ରତିବର୍ଷ ଏପ୍ରିଲ୍ ୭ ତାରିଖ ଦିନ ‘ବିଶ୍ବ ସ୍ବାସ୍ଥ୍ୟ ଦିବସ’ ପାଳନ କରାଯାଇଥାଏ। ଚଳିତବର୍ଷ ‘ବିଶ୍ବସ୍ବାସ୍ଥ୍ୟ ଦିବସ’ର ବିଷୟବସ୍ତୁ ରହିଛି ‘ମୋ ସ୍ବାସ୍ଥ୍ୟ-ମୋ ଅଧିକାର’। ଉତ୍ତମ ସ୍ବାସ୍ଥ୍ୟ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରାଇବା। ଯଥା- ଦୁର୍ଗମ ପାହାଡ଼ ସ୍ଥାନରେ ଉତ୍ତମ ସ୍ବାସ୍ଥ୍ୟସେବା, ୨୪ ଘଣ୍ଟିଆ ନିରବଚ୍ଛିନ୍ନ ସ୍ବାସ୍ଥ୍ୟ ସେବା, କୁଶଳୀ ଓ ଅଭିଜ୍ଞ ଚିକିତ୍ସକ-ସ୍ବାସ୍ଥ୍ୟକର୍ମୀ, ରୋଗର କାରଣ, ନିରାକରଣ ଏବଂ ପାର୍ଶ୍ବପ୍ରତିକ୍ରିୟା ବିଷୟରେ ବୁଝିବା ଏବଂ ରୋଗୀଙ୍କୁ ବୁଝାଇବା ଇତ୍ୟାଦି ବିଷୟରେ ସଚେତନ କରିବା ଜରୁରି। ବିଶୁଦ୍ଧ ପାନୀୟଜଳ, ବିଶୁଦ୍ଧ ବାୟୁ, ନିରାପଦ କାର୍ଯ୍ୟସ୍ଥଳ, ଜାତି-ଧର୍ମ- ଧର୍ମ ବାଛବିଚାରମୁକ୍ତ ସାମାଜିକ ନ୍ୟାୟ ବ୍ୟବସ୍ଥା, ରାଷ୍ଟ୍ରନୀତି ନିର୍ଦ୍ଧାରଣରେ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଇତ୍ୟାଦି। ‘ମୋ ସ୍ବାସ୍ଥ୍ୟ ମୋ ଅଧିକାର’ ଯାହାକି ରାଷ୍ଟ୍ରର ପ୍ରତ୍ୟେକ ନାଗରିକ ମନରେ ସୁ-ସ୍ବାସ୍ଥ୍ୟ ଅଧିକାର ବିଷୟରେ ସଚେତନ କରାଇବା ପାଇଁ ଉଦ୍ଦିଷ୍ଟ। ପ୍ରତ୍ୟେକ ନାଗରିକର ଉତ୍ତମ ସ୍ବାସ୍ଥ୍ୟ ହିଁ ଭବିଷ୍ୟତରେ ଏକ ସୁବିକଶିତ ଉତ୍ତମ ରାଷ୍ଟ୍ର ନିର୍ମାଣରେ ସହଯୋଗୀ ହେବା ସହ ଉତ୍ତମ ବିଶ୍ବ ନିର୍ମାଣରେ ଭାଗୀଦାର ହେବ।
ଡାକ୍ତର ଚିରରଂଜନ ଖାଡ଼ଙ୍ଗା
ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ
ଓ ବିଭାଗୀୟ ମୁଖ୍ୟ
ରେଡିଏସନ୍ ଅଙ୍କୋଲୋଜି,
ସମ୍ ଅଲ୍ଟିମେଟ ମେଡ଼ି କେୟାର,
ଶିକ୍ଷା ଓ ଅନୁସନ୍ଧାନ, ଭୁବନେଶ୍ବର
ମୋ: ୯୫୧୫୦୭୧୦୩୧