ଶାରଦୀୟ ଦୁର୍ଗାପୂଜାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ହେଉଛି ‘ନବପତ୍ରିକା ପ୍ରବେଶ’। ଏହା ଅନୁଷ୍ଠିତ ହୁଏ ଆଶ୍ୱିନ ମାସର ଶୁକ୍ଳ ସପ୍ତମୀ ତିଥିରେ।
ଏଥିରେ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ତିନିଦିନ ଧରି, ନଅଟି ଜାତିର ଉଦ୍ଭିଦ ବା ବୃକ୍ଷର ସପତ୍ର ଶାଖାଦ୍ୱାରା ଗୋଟିଏ ମୂର୍ତ୍ତି ନିର୍ମାଣ କରାଯାଏ ଏବଂ ସେହି ମୂର୍ତ୍ତିଙ୍କୁ ଦୁର୍ଗା ରୂପେ ପୂଜା କରାଯାଏ। ଏହି ନଅଟି ଉଦ୍ଭିଦ ବା ବୃକ୍ଷର ସପତ୍ର ଶାଖା ହେଉଛି- କଦଳୀ, ସାରୁ, ହଳଦି, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତୀ, ମାଣସାରୁ ଓ ଧାନ। ଏଣୁ ଏହା ‘ନବପତ୍ରିକା’ ଭାବରେ କଥିତ ହୁଏ। ଏହା ମାତୃଶକ୍ତିର ନଅଟି ପ୍ରତୀକ।

Advertisment

ଏଥିମଧ୍ୟରୁ ମୁଖ୍ୟ ହେଉଛି- ରମ୍ଭା ବା କଦଳୀ ଗଛ। ଏହା ବ୍ରାହ୍ମଣୀଙ୍କର ପ୍ରତୀକ ହୋଇଥିବା ବେଳେ, ସାରୁଗଛ କାଳିକା, ହଳଦିଗଛ ଦୁର୍ଗା, ଜୟନ୍ତୀ ଶାଖା କାର୍ତ୍ତିକୀ, ଯୁଗ୍ମ ଫଳଯୁକ୍ତ ବିଲ୍ୱଶାଖା ଶିବା, ଡାଳିମ୍ବ ଶାଖା ରକ୍ତଦନ୍ତିକା, ଅଶୋକଶାଖା ଶୋକରହିତା, ମାଣସାରୁଗଛ ଚାମୁଣ୍ଡା ଏବଂ ଧାନଗଛ ଲକ୍ଷ୍ମୀଙ୍କର ପ୍ରତୀକ।

ଏଥି ମଧ୍ୟରୁ ସାରୁ, ହଳଦି, ମାଣସାରୁ ଓ ଧାନଗଛକୁ ଏବଂ ଜୟନ୍ତୀ, ଡାଳିମ୍ବ ଓ ଅଶୋକର ସପତ୍ର ଶାଖାକୁ, ଅପରାଜିତା ଲତା ଓ ହଳଦିମଖା ସୂତାଦ୍ୱାରା କଦଳୀ ଗଛ ସହିତ ବାନ୍ଧିଦିଆଯାଏ। ଯୁଗ୍ମ ଫଳଯୁକ୍ତ ବେଲର ସପତ୍ର ଶାଖାକୁ କଦଳୀ ଗଛର ବକ୍ଷଦେଶରେ ବାନ୍ଧି ଦିଆଯାଇ, ତାହାକୁ ଦେବୀଙ୍କର ସ୍ତନ ରୂପେ କଳ୍ପନା କରାଯାଏ। ସେହି କଦଳୀ ଗଛକୁ ବିଧି ଅନୁସାରେ ସ୍ନାନ କରାଯାଇ ଶାଢ଼ି ପିନ୍ଧାଇ ଦିଆଯାଏ। ଏହି ମୂର୍ତ୍ତି, ଦୁର୍ଗାଙ୍କର ପ୍ରତିରୂପ ଭାବରେ କଳ୍ପିତ ହୁଅନ୍ତି। ଏପରିକି ମୃଣ୍ମୟୀ ଦୁର୍ଗା ମୂର୍ତ୍ତିଙ୍କ ପୂଜାସ୍ଥଳରେ ମଧ୍ୟ, ଗଣେଶଙ୍କ ନିକଟରେ ତାହାଙ୍କୁ ସ୍ଥାପନା କରାଯାଏ।
ତତ୍ତ୍ୱବିତ୍‌ମାନଙ୍କ ମତରେ, ଏହା ଧରିତ୍ରୀ ଦେବୀ ବା ଶସ୍ୟମୟୀ ମାତୃମୂର୍ତ୍ତିଙ୍କର ଉପାସନା।

ଏହି ମାତୃଉପାସନା ଦିନେ ଥିଲା କୃଷିକାରୀ ସମାଜର ସାର୍ବଜନୀନ ପର୍ବ। କିନ୍ତୁ ଲକ୍ଷ୍ୟ କରାଯାଏ, ଏହି ଶସ୍ୟମୟୀ ମାତୃମୂର୍ତ୍ତିଙ୍କର ଉପାସନା କ୍ରମେ ଗୌଣ ହୋଇଯାଇଛି। ତାହାର ସ୍ଥାନ ନେଇଯାଇଛି ମୃଣ୍ମୟୀ, ଦାନବଦଳିନୀ ମୂର୍ତ୍ତି।