ନବକୃଷ୍ଣ ଚୌଧୁରୀ

ସ୍ବାଧୀନତାର ୧୦୦ ମହାନାୟକ

ବହୁ ବର୍ଷର ସଂଘର୍ଷ ଓ ଜେଲ୍‌ ଦଣ୍ଡ ଭୋଗି ଦେଶକୁ ସ୍ବାଧୀନ କରାଇବା ପରେ ଗାନ୍ଧୀ ନୀତି ଅନୁଯାୟୀ ଦେଶ ଗଢ଼ିବାକୁ ଯେଉଁ କେତେଜଣ ଆପ୍ରାଣ ଉଦ୍ୟମ କରିଥିଲେ ସେମାନଙ୍କ ମଧ୍ୟରୁ ନବକୃଷ୍ଣ ଚୌଧୁରୀ ଅନ୍ୟତମ। ଜଗତ୍‌ସିଂହପୁର ଜିଲ୍ଲାର ଖେରସ ଗ୍ରାମର ଏକ ପ୍ରତିଷ୍ଠିତ ପରିବାରରେ ୧୯୦୧ ନଭେମ୍ବର ୨୩ ତାରିଖରେ ସେ ଜନ୍ମ ନେଇଥିଲେ। କଟକ ପ୍ୟାରୀମୋହନ ଏକାଡେମିରେ ପଢ଼ି ମାଟ୍ରିକ୍ ଉତ୍ତୀର୍ଣ୍ଣ ହେବା ପରେ ସେ ରେଭେନ୍‌ସା କଲେଜରେ ନାମ ଲେଖାଇଥିଲେ। ଏହି ସମୟରେ ନବକୃଷ୍ଣଙ୍କ ବଡ଼ଭାଇ ଗୋପବନ୍ଧୁ ସରକାରୀ ଚାକିରି ଛାଡ଼ି ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ନବକୃଷ୍ଣ ମଧ୍ୟ ବଡ଼ ଭାଇଙ୍କୁ ଅନୁସରଣ କରି ୧୯୨୧ରେ ଅସହଯୋଗ ଆନ୍ଦୋଳନରେ ଝାସ ଦେଇଥିଲେ। ଏଥିପାଇଁ ତାଙ୍କୁ ରେଭେନ୍‌ସା କଲେଜ ଛାଡ଼ିବାକୁ ପଡ଼ିଥିଲା। ସେ ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମ ଯାଇ ଖଦି ବସ୍ତ୍ର ପ୍ରସ୍ତୁତି ଶିଖିଥିଲେ।

ସେଠାରୁ ଫେରି ସେ ବଡ଼ ଭାଇ ପ୍ରତିଷ୍ଠା କରିଥିବା ‘ଅଳକା ଆଶ୍ରମ’ରେ କିଶୋର ଓ ତରୁଣମାନଙ୍କୁ ତାଲିମ ଦେଉଥିଲେ। ୧୯୨୫ରେ ମହାତ୍ମା ଗାନ୍ଧୀଙ୍କ ଉପଦେଶ ଅନୁଯାୟୀ ସେ ଶାନ୍ତିନିକେତନରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ମାଳତୀଙ୍କୁ ଭେଟିଥିଲେ ଏବଂ ପରେ ଉଭୟଙ୍କର ବିବାହ ହୋଇଥିଲା। ଲବଣ ସତ୍ୟାଗ୍ରହ ଆରମ୍ଭ ହେବା ପରେ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହରେ ଯୋଗଦେଇ ନବକୃଷ୍ଣ ଜେଲଦଣ୍ଡ ଭୋଗିଥିଲେ। ଜେଲରୁ ମୁକ୍ତ ହୋଇ ସେ ନିଜର ପୈତୃକ ଗ୍ରାମରେ ‘କୃଷକ ଦଳ’ ଗଠନ କରି ଗଡ଼ଜାତ ରାଜ୍ୟମାନଙ୍କରେ କୃଷକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ପ୍ରଘଟ କରୁଥିଲେ। ଢେଙ୍କାନାଳ ପ୍ରଜା ଆନ୍ଦୋଳନ କାଳରେ ବାଜି ରାଉତଙ୍କ ହତ୍ୟାକୁ ବିରୋଧ କରି ପୁଣି ଥରେ କାରାଦଣ୍ଡ ଭୋଗିଥିଲେ। ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବା ପରେ ନବକୃଷ୍ଣ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଦେଇଥିଲେ। ସେ କଂଗ୍ରେସ ଦଳର ଟିକେଟରେ ତିର୍ତ୍ତୋଲ-ଏରସମା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୧୯୪୨ରେ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇ ୧୯୪୫ ଯାଏ ଜେଲ୍‌ରେ ରହିଥିଲେ। ୧୯୪୬ ମସିହାରେ ହରେକୃଷ୍ଣ ମହତାବଙ୍କ ନେତୃତ୍ବରେ ଗଠିତ ମନ୍ତ୍ରୀମଣ୍ଡଳରେ ସେ ରାଜସ୍ବ ମନ୍ତ୍ରୀ ହୋଇଥିଲେ। ୧୯୫୦ ମସିହାରେ ମୁଖ୍ୟମନ୍ତ୍ରୀ ମହତାବ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଯୋଗ ଦେବାରୁ ତାଙ୍କ ସ୍ଥାନ ନେବା ପାଇଁ ଜଣେ ଯୋଗ୍ୟ ନେତାଙ୍କୁ ଖୋଜାଯାଇଥିଲା। ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଅନୁରୋଧକ୍ରମେ ନବକୃଷ୍ଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଭାବେ ସେ ଅନେକ ଜନହିତକର ପଦକ୍ଷେପ ନେଇଥିଲେ। ଜମିଦାରି ପ୍ରଥା ଉଚ୍ଛେଦ, ଭାଗଚାଷୀ ଆଇନ ପ୍ରଣୟନ, ଓଡ଼ିଆକୁ ସରକାରୀ ଭାଷା କରିବା, କୃଷି ମହାବିଦ୍ୟାଳୟ ସ୍ଥାପନ ଆଦି ତାଙ୍କ କାର୍ଯ୍ୟକାଳରେ ସମ୍ଭବ ହୋଇପାରିଥିଲା।

ସେ ବିନୋବା ଭାବେଙ୍କର ସର୍ବୋଦୟ ଓ ଭୂଦାନ ଆନ୍ଦୋଳନକୁ ସଫଳ କରାଇବା ପାଇଁ ତାଙ୍କ ପଦଯାତ୍ରାରେ ସାମିଲ ହୋଇଥିଲେ। ରାଜନୀତିରୁ ଅବସର ନେବା ପରେ କାଶ୍ମୀର ଓ ନାଗାଲାଣ୍ଡରେ ଶାନ୍ତି ଫେରାଇ ଆଣିବାକୁ ସେ ଉଦ୍ୟମ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ଓ ଜେଲଦଣ୍ଡ ଭୋଗିଥିବା ସଂଗ୍ରାମୀଙ୍କ ସନ୍ତାନମାନଙ୍କ ଥଇଥାନ ଉଦ୍ଦେଶ୍ୟରେ ‘ବାଜିରାଉତ ଛାତ୍ରାବାସ’ ନାମରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ। ସେହିପରି ଓଡ଼ିଶାର ହରିଜନ, ଆଦିବାସୀ ଓ ଶ୍ରମିକଙ୍କ କଲ୍ୟାଣ ପାଇଁ ‘ଜୀବନ ବିଦ୍ୟାଳୟ’ ଓ ‘ନବଜୀବନ ମଣ୍ଡଳ’ ଭଳି ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ପତ୍ନୀ ମାଳତୀ ଦେବୀଙ୍କ ସହିତ ଗିରଫ ହୋଇ ସେ ଜେଲ୍‌ରେ ରହିଥିଲେ। ଜେଲରେ ତାଙ୍କର ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ମୁକ୍ତ କରାଯାଇଥିଲା। ହେଲେ ସେ ଆଉ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନ ଥିଲେ। ୧୯୮୪ ଜୁନ୍ ୨୪ ତାରିଖରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର