ନଖରେ ଏଭଳି ପରିବର୍ତ୍ତନ ଦେଖୁଛନ୍ତି କି, ହୋଇଯାଆନ୍ତୁ ସାବଧାନ!

ନୂଆଦିଲ୍ଲୀ: ସାଧାରଣତଃ ଡାକ୍ତରଙ୍କ ପାଖକୁ ଗଲେ ସେମାନେ ପ୍ରଥମେ ରୋଗୀର ଆଖି ଡୋଳା ଓ ନଖ ଦେଖି ଥାଆନ୍ତି। ଏଥିରୁ ସେମାନେ ଶରୀରରେ ଥିବା କିଛି ରୋଗକୁ ଚିହ୍ନଟ କରି ଥାଆନ୍ତି। ତେବେ ଆସନ୍ତୁ ଜାଣିବା ନଖରେ କେଉଁକେଉଁ ସମସ୍ୟା ଦେଖାଗ‌ଲେ ଆମେ ପୂର୍ବରୁ ସତର୍କ ହୋଇଯିବା।

ପ୍ରଥମତଃ ଆପଣଙ୍କ ନଖର ଯଦି ଅସ୍ୱାଭାବିକ ଭାବରେ ବଢିବାକୁ ଲାଗେ କିମ୍ବା ସ୍ତର ମୋଟା ହେବାକୁ ଲାଗେ, ତେବେ ଏହା ମଧୁମେହ, ଫୁସଫୁସ ସଂକ୍ରମଣର ଲକ୍ଷଣ ହୋଇପାରେ ବୋଲି କୁହାଯାଏ। ସେହିପରି ନଖ ଯଦି ବଢ଼ିବା ସହିତ ବଙ୍କା ହୋଇଯାଉଛି ତେବେ ଯକୃତ ସମ୍ବନ୍ଧୀୟ ସମସ୍ୟା କିମ୍ବା ହାଇପୋକ୍ରୋମିକ୍ ରକ୍ତହୀନତାର ଲକ୍ଷଣ ହୋଇପାରେ ବୋଲି କୁହାଯାଏ । ତେଣୁ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଏଥିସହିତ ନଖରେ ଯଦି ଗାରଗାର ପଡ଼ି ଯାଉଛି, ତେବେ ଶରୀରରେ ଭିଟାମିନ୍-ବି, ବି -୧୨, ଜିଙ୍କ ଅଭାବକୁ ସୂଚିତ କରେ । ଏତଦ ବ୍ୟତୀତ ନଖ ଯଦି ସମୟସମୟରେ ନୀଳ ପଡ଼ି ଯାଉଛି ତେବେ  ହୃଦୟ ଓ ଫୁସଫୁସରେ ସମସ୍ୟା ରହିବା ସହିତ ଅମ୍ଳଜାନ ଅଭାବ ରହିଛି ବୋଲି କୁହାଯାଏ।

ଯଦି ନଖଗୁଡ଼ିକରେ ଉଜ୍ଜ୍ୱଳତା ନାହିଁ, ତେବେ ଏହା ଥାଇରଏଡ୍ ପରି ସମସ୍ୟାର ଶିକାର ହେବାର ସଙ୍କେତ ହୋଇପାରେ । ଯଦି ଆପଣଙ୍କ ଶରୀରରେ ଫଙ୍ଗଲ ସଂକ୍ରମଣ ହେଉଛି ତେବେ ନଖ ହଳଦିଆ ପଡ଼ି ଯାଇଥାଏ।  ଏସବୁ ଲକ୍ଷଣ ଯଦି ଆପଣଙ୍କ ନଖରେ ଦେଖୁଛନ୍ତି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ରୋଗ ବଢ଼ିବା ପୂର୍ବରୁ ଚିକିତ୍ସା କରାଇ ନିଅନ୍ତୁ।

ସମ୍ବନ୍ଧିତ ଖବର