ଦେବନିର୍ମିତ ସାରସ୍ୱତ ଭାରତ ବର୍ଷରେ ଦିବ୍ୟଚେତା ମହାମନୀଷିଙ୍କ ପ୍ରାକୃତ ଜଗତରେ ଆବିର୍ଭାବ ରହସ୍ୟ ଅତ୍ୟନ୍ତ ଦୁବୋଧ୍ୟ ଓ ବିସ୍ମୟକର । ଜଡ ପ୍ରକୃତି ସଂସର୍ଗରେ ହତ ଚେତନା ପ୍ରାଣୀକୁଳ ଜଡ ସର୍ବସ୍ୱ ହୋଇ ଦୁଃସହ ଦୁଃଖକୁ ସୁଖ ଜ୍ଞାନ କରି ତହିଁରେ ଅଭିନିବିଷ୍ଟ ହୋଇଯାଇଥିବା ବେଳେ ଅସୀମ ଦୟାରୁ ଏହି ମହାତ୍ମାଗଣ ସେମାନଙ୍କ ଠାରୁ ଜଡ ସମ୍ଭୋଗ ବୃତ୍ତି ଓ ମୋହ ନିଷ୍କୃତ କରାଇବା ପାଇଁ ଦୁଃଖମୟ ସଂସାରରେ ଆବିର୍ଭୂତ ହେଇ ସେମାନଙ୍କର ସ୍ୱୟଂ ଦୁଃଖ ରାଶିକୁ ଆତ୍ମୀକୃତ କରିନିଅନ୍ତି । ପ୍ରାଣୀ ସକଳର ଭୌତିକ ଦୁଃଖ ହରଣ ପାଇଁ ସ୍ୱୟଂ ଅସୀମ କଷଣ ପୀଡିତ ହେବା ସେମାନଙ୍କର ସହତାମତ ଦିବ୍ୟପ୍ରବୃତ୍ତି । ଏହି କ୍ରମରେ ପବିତ୍ର ପୁଣ୍ୟ ଉକ୍ରଳ ପ୍ରବେଶର ତକ୍ରାଳୀନ କନିକା ରାଜ୍ୟର କେରଡାଗଡରେ ୧୩୦୬ ସାଲର ପୌଷ ମାସ କୃଷ୍ଣପକ୍ଷ ଷଷ୍ଠୀତିଥି (ଇଂରାଜୀ ୧୮୯୮ ମସିହା ଜାନୁୟାରୀ ମାସ ୩ ତାରିଖ ରେ) ଧରାବତରଣ ହୋଇଥିଲା ଆଧ୍ୟାତ୍ମିକ ଜଗତର ଅନ୍ୟତମ ଜାଜଲ୍ୟମାନ ତାରକା ନାମାଚାର୍ୟ୍ୟ ଶ୍ରୀ ଶ୍ରୀ ବାୟାବାବାଙ୍କର ।

Advertisment

ପୁଣ୍ୟଉତ୍କଳର ଆଧ୍ୟାତ୍ମିକ ଜଗତରେ ନାମାଚାର୍ୟ୍ୟ ଶ୍ରୀ ଶ୍ରୀ ବାୟାବାବା ଏକ ଅନନ୍ୟ ଦିପ୍ତିମନ୍ତ ମହାପୁରୁଷ । ଏକ ସରଳ ତଥା ଅଭିନବ ଉପାୟରେ କେବଳ ମାତ୍ରକ ‘ଶ୍ରୀ ହରିନାମ କୀର୍ତ୍ତନ’ ମାଧ୍ୟମରେ କଳିକଳୁସ ସଂସାରରୁ ତାରଣ ତଥା ଜୀବନରେ ବିଭୁସତ୍ତାର ଉପଲ୍ବଧକୁ ପ୍ରାପ୍ତ ପାଇଁ ମାନବକୁ ଦିଗ୍ଦର୍ଶନ ଦେଇଥିଲେ । ସେ ଥିଲେ ସାକ୍ଷାତ ଦିବ୍ୟାତ୍ମା ମନୀଷି । ଅତ୍ୟନ୍ତ ବାଳକାଳରୁ ଏ ବାବାଙ୍କ ଦିବ୍ୟ ଦୃଷ୍ଟିରେ ଘୋର କଳିକାଳରେ ହୁଏତ ଜ୍ଞାନଯୋଗ ଓ କର୍ମଯୋଗର କଠୋର ମାର୍ଗ ଆଚରଣ କରିବା ଅତ୍ୟନ୍ତ ଦୁଃସହ ହେଉଥିବା ଦୃଷ୍ଟେ ଭକ୍ତିଯୋଗ ହିଁ ଏକ ମାତ୍ର ସରଳ, ସର୍ବଜନ ଆଦୃତ ଓ ସର୍ବବ୍ୟାପୀ ବୋଲି ପ୍ରତ୍ୟୟ ହୋଇଥିଲା । ଭକ୍ତିଯୋଗରେ ସାଧାରଣ ଅଜ୍ଞାନ ମନୁଷ୍ୟକୁ ଗଭୀର ବିଶ୍ୱାସ ସହିତ ଉପଦେଶ ଦେଇଥିଲେ ଯେ ସ୍ମରଣ, ଭଜନ, କୀର୍ତ୍ତନ ଦ୍ୱାରା ପରମେଶ୍ୱର କେବଳ ପ୍ରସନ୍ନ ହୁଅନ୍ତି ନାହିଁ , ମାତ୍ର ଦୃଢ ନିଷ୍ଠା ସହିତ ଅବିରତ ଇଶ୍ୱର ସ୍ମରଣ ଅଭ୍ୟାସ କଲେ ଦୁର୍ଦ୍ଦମନୀୟ ଚଳଚଞ୍ଚଳ ମନ ନିଗୃହିତ ଓ ସ୍ଥିର ହୋଇ ପାରିବା ।