ବନର ନାମ ‘ନିଧି’, ଏହି ବନ ରାଧା-କୃଷ୍ଣ ଓ ଗୋପୀମାନଙ୍କର ନିତ୍ୟ ବିହାର ସ୍ଥଳ

‘ନିଧି’ କହିଲେ ବୁଝାଏ- ହୀରା, ନୀଳା, ମୋତି, ମାଣିକ୍ୟ, ବୈଦୁର୍ଯ୍ୟ ଆଦି ମୂଲ୍ୟବାନ ରତ୍ନକୁ। କିନ୍ତୁ ବୃନ୍ଦାବନରେ ଥିବା ଏକ ତୁଳସୀ ବନର ନାମ ‘ନିଧି’। ବୈଷ୍ଣବମାନେ ସେହି ତୁଳସୀ ବନକୁ ହୀରା, ନୀଳା, ମୋତି, ମାଣିକ୍ୟ ଓ ବୈଦୁର୍ଯ୍ୟ ଆଦି ଅମୂଲ୍ୟ ନିଧିଠାରୁ ଅଧିକ ମହତ୍ତ୍ୱ ଦେଉଥିବାରୁ, ତାହାର ନାମ ‘ନିଧିବନ’। ତାହା ବ୍ରଜମଣ୍ଡଳର ଦ୍ୱାଦଶବନ ମଧ୍ୟରେ ମହତ୍ତ୍ୱପୂର୍ଣ୍ଣ। କାରଣ, ବୈଷ୍ଣବମାନଙ୍କର ବିଶ୍ୱାସରେ, ଏହି ବନ ରାଧା-କୃଷ୍ଣ ଓ ଗୋପୀମାନଙ୍କର ନିତ୍ୟ ବିହାର ସ୍ଥଳ। ସେମାନେ ବିଶ୍ୱାସ କରନ୍ତି ଯେ ଏବେ ବି ଏଠାରେ ରାଧା-କୃଷ୍ଣଙ୍କର ରାସଲୀଳା ଅନୁଷ୍ଠିତ ହେଉଛି।

ଏହି ବନର ବିଶେଷତ୍ୱ ହେଉଛି- ସେଠାରେ ଅସଂଖ୍ୟ ତୁଳସୀବୃକ୍ଷ ଦେଖାଯାଏ। ପୁଣି ସେହିସବୁ ତୁଳସୀବୃକ୍ଷ ପ୍ରାୟ ପରସ୍ପର ସହିତ ସଂଯୁକ୍ତ ହୋଇ ଯୁଗଳ ମୂର୍ତ୍ତିର ଭ୍ରମ ସୃଷ୍ଟି କରିଥାନ୍ତି। ବୈଷ୍ଣବମାନେ ବିଶ୍ୱାସ କରନ୍ତି, ଯେ ରାତ୍ରି କାଳରେ ଏହି ବୃକ୍ଷମାନେ ଗୋପୀ ଓ କୃଷ୍ଣରେ ପରିଣତ ହୋଇଯାଇ ରାସଲୀଳାରେ ପ୍ରବୃତ୍ତ ହୁଅନ୍ତି।

‘ନିଧିବନ’ ମଧ୍ୟରେ ଅଛି ‘ବାଙ୍କେବିହାରୀ’ଙ୍କର ମନ୍ଦିର। କଥିତ ଅଛି, ରାସଲୀଳା ପରେ ରାଧା-କୃଷ୍ଣ ଏହି ମନ୍ଦିରରେ ବିଶ୍ରାମ ନେଇଥାନ୍ତି। ସେଥିପାଇଁ ମନ୍ଦିର ମଧ୍ୟରେ ଚନ୍ଦନ କାଠର ଏକ ପଲଙ୍କ ରହିଛି। ପ୍ରତିଦିନ ସଂଧ୍ୟା ଆଳତି ପରେ, ମନ୍ଦିରର ପୂଜାରୀ ରାଧାରାଣୀଙ୍କ ପାଇଁ ଅଳଙ୍କାର, ବସ୍ତ୍ର ଓ ଫୁଲମାଳ ଆଦି ସେଠାରେ ସଜାଡ଼ି ରଖନ୍ତି। ଏପରିକି ପାନ ଏବଂ ଦନ୍ତମାର୍ଜନ ଲାଗି ନିମଦାନ୍ତକାଠି ଓ ପାଣି ମଧ୍ୟ ସେଠାରେ ରଖାଯାଏ। ରାତିରେ ତାହାର ଦ୍ୱାର ବନ୍ଦ ରହେ ଏବଂ ସେଠାରେ କେହି ରହନ୍ତି ନାହିଁ।

‘ନିଧିବନ’ର ଏକ ବିଶେଷତ୍ୱ ହେଉଛି- ତାହା ଏକ ଶୁଷ୍କଭୂମି; ଅଥଚ ସେଠାର ବୃକ୍ଷଗୁଡ଼ିକ ସାରାବର୍ଷ ସବୁଜ ପତ୍ର ଓ ଫୁଲରେ ଭରି ରହିଥାନ୍ତି। ବସନ୍ତ ଋତୁର ହୋଲି ଉତ୍ସବ ସମୟରେ, ସେହି ବୃକ୍ଷମାନଙ୍କୁ ରାଧା-କୃଷ୍ଣ ମନେକରି ଫଗୁ ସମର୍ପଣ କରାଯାଏ।

‘ଗୋବିନ୍ଦ ବିଳାସ’ ‘ଯୁଗଳ ରସାମୃତ ଲହରୀ’ ଓ ‘ବ୍ରଜବିହାର’ ଆଦି ବୈଷ୍ଣବ କାବ୍ୟରେ ଏହି ବନର ବର୍ଣ୍ଣନା ରହିଛି।

ସମ୍ବନ୍ଧିତ ଖବର